କରୋନା ଭାଇରସ ଆତଙ୍କ , ଆପଣଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଉନି ତ?

2,553

ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ଚୀନରେ ଏହି ଭାଇରସ ପ୍ରଭାବରେ ୪୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ହଜାର ହଜାର ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି । କେବଳ ଯେ ଏହା ଚୀନରେ ବ୍ୟାପିଛି ତାହା ନୁହେଁ ବରଂ ପୂରା ବିଶ୍ୱକୁ ଏବେ ଏହି ଭାଇରସ ବ୍ୟାପିବା ଆରମ୍ଭ କରିଛି । ଏସବୁ ଭିତରେ କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସମସ୍ତ ପ୍ରକାର ସୂଚନା ଦିଆଯାଇଛି । କରୋନା ଭାଇରସର ଲକ୍ଷଣ କଣ ଓ ଏଥିରୁ ଆପଣ କିଭଳି ନିଜକୁ ଦୂରେଇ ରଖିପାରିବେ ସେ ବାବଦରେ ମଧ୍ୟ ଅବଗତ କରିଛି ।

କରୋନା ଭାଇରସର ଲକ୍ଷଣ :
ନିଶ୍ୱାସ ନେବାରେ କଷ୍ଟ ହେବା ସହ ନାକରୁ ପାଣି ଗଡିବା, ଶୁଖିଲା କାଶ, କଫ, ଗଳା ଦରଜ ହେବା, ଜ୍ୱର ହେବା କରୋନା ଭାଇରସର ପ୍ରାଥମିକ ଲକ୍ଷଣ । ସେହିଭଳି କିଛି ଲୋକଙ୍କ କ୍ଷେତ୍ରରେ ନିମୋନିଆ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ ତାହା ମଧ୍ୟ କରୋନା ଭାଇରସର ଲକ୍ଷଣ । ଯାହା ସ୍ୱାସ୍ଥ୍ୟ ପାଇଁ ଅତି ସାଂଘାତିକ । କରୋନା ଭାଇରସ ଖୁବ ଶୀଘ୍ର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥାଏ । ଏପରିକି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଳାମିଶା କଲେ ମଧ୍ୟ ଏହା ବ୍ୟାପିଥାଏ । ଏପରିକି କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ସମୟରେ ମଧ୍ୟ କିଛି ଡାକ୍ତର ଏହି ଭାଇରସର ଶିକାର ହୋଇଛନ୍ତି ।

କରୋନା ଭାଇରସର ଏଯାଏଁ କୌଣସି ପ୍ରତିଷେଧକ ବ୍ୟବସ୍ଥା ବାହାରି ନାହିଁ । କିନ୍ତୁ ବୃଦ୍ଧା ଲୋକ, ଡାଇବେଟିସ, ହୃଦରୋଗ କିମ୍ବା ପୂର୍ବରୁ କୌଣସି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ କରୋନା ଭାଇରସ ଅଧିକ ମାତ୍ରାରେ ଗ୍ରାସ କରିଥାଏ । ତେଣୁ କରୋନା ଭାଇରସରୁ ନିଜକୁ ଦୂରେଇ ରଖିବାକୁ ହେଲେ ପାଖ ପରିବେଶକୁ ସଫାସୁତୁରା ରଖିବାର ଆବଶ୍ୟକତା ରହିଛି । କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁରେ କପଡା ଦିଅନ୍ତୁ ଏବଂ ଏହି କପଡାକୁ ଡଷ୍ଟବିନରେ ପକାନ୍ତୁ । ଏପରିକି ଖାଇବା ପୂର୍ବରୁ ସାବୁନରେ ହାତ ଧୁଅନ୍ତୁ । ସେହିଭଳି କରୋନା ଭାଇରସ ପ୍ରଭାବିତ ଅଞ୍ଚଳକୁ ଯାଉଥିଲେ ମୁହଁରେ ମାସ୍କ ପକାନ୍ତୁ । ଖାସକରି ଭିଡ ଅଞ୍ଚଳରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।