କନକ ବ୍ୟୁରୋ: କିଏ କାନ୍ଦୁଛି, କିଏ ଛାତିରେ ହାତ ପିଟୁଛି । ଆଉ କିଏ ହାତଯୋଡ଼ି ସରକାର ଓ ପ୍ରଶାସନ ପାଖରେ ଭିକ ମାଗୁଛି । ନେହୁରା ହେଉଛି ହେଲେ ତା’ ଝାଳ ବୁହା ଧନରେ ଛିଡ଼ା ହୋଇଥିବା ଘର ଉପରେ ସରକାର ବୁଲାଉଛି ବିକାଶ ନାଁର ବୁଲଡୋଜର । ସିମେଣ୍ଟ କାନ୍ଥ ଭଳି ଭାଙ୍ଗି ଯାଉଛି ସରକାରଙ୍କ ଉପରେ ଥିବା ସାଧାରଣ ଲୋକର ବିଶ୍ୱାସ!! ଯାଜପୁର ସଢ଼େଇ ପୋଖରୀ ଅଞ୍ଚଳର ଜବରଦଖଲ ସରକାରଙ୍କୁ ସମାଲୋଚନାର ଶିକାର କରିଛି ।
ରାଜା ଯଯାତୀକେଶରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯାଜପୁର ସଢ଼େଇ ପୋଖରୀଠାରେ ପ୍ରଶାସନ ବୁଲାଇଛି ବୁଲଡୋଜର । ଗୋଚର ଜମିରେ ରହୁଥିବା ୪୦ରୁ ଅଧିକ ପରିବାରର ଛପର-ଆଜବେଷ୍ଟ ଘରକୁ ଭାଙ୍ଗିରୁଜି ଚୁରମାର କରିଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଏମିତି ହୋଇଛି ଯେ, ଗରିବୀ ସୀମାରେଖା ଭିତରେ ଭରସା ଖୋଜୁଥିବା ଗୋଟେ ଗୋଟେ ପରିବାରର ସବୁ ଆଶା ଭାଙ୍ଗି ଯାଇଛି । ବଢ଼ିଲା ଝିଅକୁ ନେଇ କୁଆଡେ ଯିବୁ ବୋଲି ଜଣେ ମା’ ସରକାରଙ୍କୁ ପ୍ରଶ୍ନ କରୁଛି...
ବର୍ଷ ବର୍ଷ ଧରି ରହି ଆସୁଥିବା ଏହି ପରିବାରକୁ ହରାଇବାକୁ ପଡିଛି ଭିଟାମାଟି । ଏହି ସଢେଇ ପୋଖରୀ ଅଞ୍ଚଳକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ, ପ୍ରଶାସନ ପକ୍ଷରୁ ଏଠାରେ ଥିବା ୭ ଏକରରୁ ଉର୍ଦ୍ଧ୍ୱ ଜମିକୁ ଅଧିଗ୍ରହଣ କରିବ । ଏହି ସବୁ ଗୋଚର ଜମିରେ ରହୁଥିବା ପରିବାର କୁ ପୂର୍ବରୁ ନୋଟିସ ଦିଆଯାଇଥିବା ବେଳେ ଆଜି ହଠାତ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି । କିନ୍ତୁ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ତାଙ୍କୁ ପ୍ରତାରିତ କରାଯାଥିବା ସେ ଅଭିଯୋଗ ଆଣିଛନ୍ତି ।
ଜିଲା ପ୍ରଶାସନ ପକ୍ଷରୁ ସହରର ପ୍ରବେଶ ପଥରେ ରାଜା ଯଯାତୀ କେଶରୀଙ୍କ ମୂର୍ତି ସ୍ଥାପନ କରାଯିବା ସହିତ ପୋଖରୀକୁ ପୁନଃ ଉଦ୍ଧାର କରାଯିବ । ଏଥିପାଇଁ ବିସ୍ଥାପିତ ପରିବାର ସଦସ୍ୟଙ୍କୁ ରେଡ଼କ୍ରସ ପାଣ୍ଠିରୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଯାଜପୁର ତହସିଲଦାର ସୂଚନା ଦେଇଛନ୍ତି ।
ତେବେ ଏଠି ପ୍ରଶ୍ନ, ଉଠୁଛି!! ଏତେ ସବୁ ଯୋଜନା ଥାଇ ବି ୪୦ ପରିବାରର ଚିକ୍ରାର ସରକାରଙ୍କୁ ଶୁଣାଯାଉନି କି? ରାଜାଙ୍କ ପ୍ରତିମୂର୍ତ୍ତି ପାଇଁ ଏତେ ପରିବାରର ପେଟକୁ ଗୋଇଠା ମାରିବା କେତେଦୂର ଠିକ୍? ଅନେକ ପ୍ରଜାଙ୍କ ଆଖିରେ ଲୁହ ଦେଇ ତାଙ୍କ ସଂସାର ଉଜାଡ଼ି ରାଜାଙ୍କ ପ୍ରତିମୂର୍ତ୍ତି ଛିଡ଼ା କରିବା ରାଜାଙ୍କୁ ଶ୍ରେଷ୍ଠ ସମ୍ମାନ କି? ବିସ୍ଥାପିତଙ୍କୁ ଭୂମିପଟା ଦେବା ବଦଳରେ, ଅସ୍ଥାୟୀ ଟିଣ ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଠକୁ ନାହାନ୍ତି କି ସରକାର?