କନକ ବ୍ୟୁରୋ: ଭାରତରେ କରୋନା ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କରୋନା କାରଣରୁ ଭାରତରେ ୪୭ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା କୁହାଯାଇଛି । ତେବେ ଭାରତ ସରକାର ଦେଇଥିବା ରିପୋର୍ଟ ଅନୁସାରେ, ଭାରତରେ ଏପର୍ଯ୍ୟନ୍ତ କରୋନାରେ କେବଳ ୫ ଲକ୍ଷ ଲୋକ ଜୀବନ ହରାଇଛନ୍ତି । ତେଣୁ ‘ହୁ’ର ରିପୋର୍ଟକୁ ନେଇ ଏବେ ଭାରତ ସରକାର ଆପତ୍ତି ଉଠାଇଛନ୍ତି ।
ଭାରତ ସରକାରଙ୍କ କହିବା କଥା, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଯେଉଁ ମଡେଲ ଅନୁସାରେ ଏହି ରିପୋର୍ଟ ଜାରି କରିଛି, ତାହା ଠିକ୍ ନୁହେଁ । ଭାରତର ଆପତ୍ତି ସତ୍ତେ୍ୱ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୁରୁଣା ମଡେଲ ଅନୁସାରେ ଏହି ମୃତ୍ୟୁ ରିପୋର୍ଟ ପ୍ରକାଶ କରିଛି । ଭାରତର କଥାକୁ ହୁ ଆଦୌ ଗମ୍ଭୀରତାର ସହ ନେଇନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଖାଲି ସେତିକି ନୁହେଁ, ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତର କେବଳ ୧୭ଟି ରାଜ୍ୟର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ୧୭ଟି ରାଜ୍ୟର ନାଁ କଣ ତାହା ମଧ୍ୟ ଜଣାପଡିନି । କେତେବେଳେ ଏହି ତଥ୍ୟ ସଂଗ୍ରହ କରାଗଲା ସେନେଇ ମଧ୍ୟ ଭାରତ ସରକାର ଆପତ୍ତି ଉଠାଇଛନ୍ତି ।
We understand that this report has covered what they label as excess mortality, in the yr spanning #COVID19. India has been telling WHO via diplomatic channels with data that we don't agree with methodology followed for us: Dr VK Paul, on WHO's claim on COVID deaths in India pic.twitter.com/kw8ph4gQ2b
— ANI (@ANI) May 5, 2022
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ କଥା ଯଦି କହିବା, ତେବେ ଗତ ଦୁଇ ବର୍ଷ ଭିତରେ ମୋଟ ଦେଢ କୋଟି ଲୋକ କରୋନାରେ ପ୍ରାଣ ହରାଇଥିବା ହୁ ଉଲ୍ଲେଖ କରିଛି । ଭାରତରେ ଏହି ସଂଖ୍ୟା ୪୭ ଲକ୍ଷ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ କରିଛି । ହୁ ମୁଖ୍ୟଙ୍କ କହିବା କଥା, ଏହା ବେସ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଅନ୍ୟପଟେ କିନ୍ତୁ ଭାରତ ଏହାକୁ ନେଇ ଆପତ୍ତି ଉଠାଇଛି । ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଏହି ତଥ୍ୟକୁ ସଠିକ୍ ବୋଲି ଗ୍ରହଣ କରିନାହାଁନ୍ତି । ହୁ ଯେଉଁ ପ୍ରଣାଳୀରେ ଏହି ତଥ୍ୟ ଜାରି କରିଛି ତାହା ଭୁଲ ବୋଲି ସେ କହିଛନ୍ତି । ସେହିପରି ନୀତି ଆୟୋଗ ସଦସ୍ୟ ବିକେ ପଲ୍ ମଧ୍ୟ କହିଛନ୍ତି, ଭାରତ ପାଖରେ କରୋନାରେ ମୃତ୍ୟୁ ହୋଇଥିବା ସମସ୍ତ ରିପୋର୍ଟ ରହିଛି । ଏଭଳି ସ୍ଥିତିରେ ଏହି ଅନୁମାନକୁ ସତ ବୋଲି ଗ୍ରହଣ କରିବାକୁ ସେ ମନା କରିଛନ୍ତି ।