ଦେଶରୁ ଦେଶକୁ ଡେଉଁଛି ଓମିକ୍ରମ୍ : ଦକ୍ଷିଣ ଆଫ୍ରିକା ପରେ ୨୩ ରାଷ୍ଟ୍ରରୁ ଚିହ୍ନଟ ହେଲେଣି ସଂକ୍ରମିତ

427

କନକ ବ୍ୟୁରୋ : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି। ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି। ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା । କରୋନାର ଅନ୍ୟ ପ୍ରଜାତିଠାରୁ ଓମିକ୍ରନ୍‌ ଅତ୍ୟନ୍ତ ସଂକ୍ରାମକ ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି। ‘ହୁ’ କହିଛି ଯେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗ, ଅସୁସ୍ଥ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଭ୍ରମଣ ବନ୍ଦ କରିବା ଉଚିତ। ଗରିବ ରାଷ୍ଟ୍ରମାନେ ଏବେ ଟିକା ପାଇଁ ସଂଘର୍ଷ କରୁଥିବା ବେଳେ ଓମିକ୍ରନ୍‌ର ଆବିର୍ଭାବ ସଙ୍କଟ ବଢ଼ାଇ ଦେଇଛି ।

ଓମିକ୍ରନ୍‌ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଏବେ ଏହା ଅଷ୍ଟ୍ରେଲିଆ, ଇଟାଲି ଏବଂ ବ୍ରିଟେନ୍‌ ସମେତ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆର ସିଡ୍‌ନିରେ ୨ ଜଣ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିବା ୱେ ଜର୍ମାନୀରେ ୨ଟି ମାମଲା, କାନାଡ଼ାରେ ୨ଟି ମାମଲା, ନେଦରଲାଣ୍ଡ୍‌ , ଇସ୍ରାଏଲ, ସାଉଦି ଆରବ, ସ୍ବିଜରଲା‌ଣ୍ଡ୍‌, ବେଲଜିୟମ, ଇଟାଲି, ହଂକଂରେ ବି ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି । ତେବେ ସବୁଠୁ ଚିନ୍ତାଜନକ ହେଉଛି ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ରକେଟ ବେଗରେ ମାଡ଼ିଲାଣି । ନଭେମ୍ବର ମଧ୍ୟ ଭାଗରେ ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ୩୦୦ ଥିବାବେଳେ ଏବେ ଦୈନିକ ସଂକ୍ରମଣ ୩୦୦୦ ଉପରେ ରହିଛି ।

ଏଥିରୁ ଅଧିକାଂଶ ଓମିକ୍ରନ୍‌ ପ୍ରଜାତିର ହୋଇଥିବାରୁ ଆତଙ୍କ ଖେଳିଯାଇଛି । ବିଶ୍ବରେ ସର୍ବାଧିକ ବେଗରେ ସଂକ୍ରମଣ ଏବେ ଦକ୍ଷିଣ ଆଫ୍ରିକାରେ ହେଉଛି । ଆମେରିକାରେ ଏ ଯାବତ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇନାହିଁ । ଆମେରିକା ପ୍ରଶାସନ ଟେଷ୍ଟିଂ ଓ ଟ୍ରେସିଂକୁ ବ୍ୟାପକ କରିବା ପ୍ରକ୍ରିୟା ଆରମ୍ଭ କରିଛି । ସାଉଦି ଆରବରେପ୍ରଥମ ମାମଲା ଚିହ୍ନଟ ହେବାପରେ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି ।