ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଶାସକ-ବିରୋଧୀ କଥା କଟାକଟି । ଦେଖନ୍ତୁ, କିଏ କହିଲେ କଣ?

104

କନକ ବ୍ୟୁରୋ: ବିଧାନସଭାକୁ ବନ୍ଦ କଲା କିଏ? ବିଧାନସଭା ମୌସୁମୀ ଅଧିବେଶନରେ ୮ଟି କାର୍ଯ୍ୟଦିବସ ଥିବା ସତ୍ୱେ ଏହାକୁ ୭ ଦିନରେ ଶେଷ କରିଦିଆଗଲା । ସମୟ ପୂର୍ବରୁ ବିଧାନସଭା ସାରିଦେଇଥିବା ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ସାମ୍ବାଦିକ ସମ୍ମିଳନୀ କରି ଜୟନାରାୟଣ ମିଶ୍ର କହିଛନ୍ତି, ୨୦୧୯ ପରଠୁ ବିଧାନସଭାକୁ ସଂପୂର୍ଣ୍ଣ ଚଳାଇ ଦେଇନାହାନ୍ତି ସରକାର । ୮ଟି କାର୍ଯ୍ୟଦିବସ ଥିଲା କିନ୍ତୁ ୭ ଦିନରେ ବନ୍ଦ କରିଦିଆଗଲା । ବିରୋଧୀ ଆଣିଥିବା ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହେଲା ନାହିଁ । ଗୃହରେ ବିରୋଧୀ ଦଳ ନେତା କହିବା ବେଳେ ବାରମ୍ବାର ମାଇକ୍ ବନ୍ଦ୍ କରିଦିଆଗଲା । ସରକାରଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି କହିବା ସହ ବାଚସ୍ପତିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।

ଅନ୍ୟପକ୍ଷରେ ବିଧାନସଭାରେ ଅଚଳାବସ୍ଥା ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ କହିଛନ୍ତି, ୮ ଦିନିଆ ବିଧାନସଭା ଅଧିବେଶନ ଭିତରେ ହଜାର ହଜାର ଲୋକ ରାଜରାସ୍ତାରେ ଥିଲେ । ବିରୋଧୀ ଦଳ ସେମାନଙ୍କ ସମସ୍ୟା ଗୃହରେ ଉଠାଇ ସରକାରଙ୍କୁ ଦାବି ପୂରଣ ପାଇଁ ବାଧ୍ୟ କରିବେ ବୋଲି ଆଶା ଥିଲା । କିନ୍ତୁ ସେମିତି କିଛି ହେଲାନାହିଁ । ଗୃହ ଚଳାଇବାକୁ ଇଚ୍ଛା ନଥିବାରୁ ଗୃହକୁ ବନ୍ଦ କରିଦେଲେ ।

ସେପଟେ କିନ୍ତୁ ଗୃହକୁ ଚଳାଇ ନଦେବା ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟାପକ୍ଷ ଓ ବିରୋଧୀ ବରପକ୍ଷ । କିନ୍ତୁ ବରପକ୍ଷ ବି ଆଲୋଚନାରେ ରହିବା କଥା । ଯଦି ଗୃହତ୍ୟାଗ କରି ଚାଲିଯିବେ, ତାହାହେଲେ ଆଲୋଚନା କିଭଳି ହେବ? ବିଧାନସଭାର କାର୍ଯ୍ୟ ପରିଧି ନିୟମାବଳି ଅନୁଯାୟୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ୮ଟି କାର୍ଯ୍ୟଦିବସ ଥିଲା । ନିର୍ଦ୍ଧାରିତ ଅବଧିର ଗୋଟିଏ ଦିନ ପୂର୍ବରୁ ଏହାକୁ ବନ୍ଦ କରିଦିଆଗଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ କରିଥିଲେ । କିନ୍ତୁ ସର୍ବଦଳୀୟ ବୈଠକ ନଡାକି ଦୀର୍ଘ ସମୟ ପାଇଁ ବାଚସ୍ପତି ଗୃହକୁ ମୁଲତବୀ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଦୁଇ ଚାରିଥର ବସିଥିବା ସର୍ବଦଳୀୟ ବୈଠକର ନିଷ୍ପତିକୁ ନିଜେ ଶାସକ ଦଳ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ବି ହୋଇଛି ।