କନକ ବ୍ୟୁରୋ: ୨ ହଜାର ଟଙ୍କା ବଦଳ ପାଇଁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଲାଗିଛି ଭିଡ । ଟଙ୍କା ବଦଳ କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବସ୍ତି ବାସିନ୍ଦା, ଦିନ ମଜୁରିଆ । ତେବେ ଏମାନଙ୍କ ପାଖରେ ଏତେ ଟଙ୍କା କୁଆଡୁ ଆସିଲା ଖୋଳତାଡ ପରେ ଧରାପଡିଥିଲା ସତ । କନକ ନ୍ୟୁଜ କ୍ୟାମେରାରେ ସତ କହିଥିଲେ ଧାଡିରେ ଛିଡା ହୋଇଥିବା ମହିଳା । ସେମାନଙ୍କ କହିବା କଥା ହେଲା, ଦିନକୁ ୨୦ ହଜାର ଟଙ୍କା ବଦଳାଇଲେ ସେମାନଙ୍କୁ ମିଳୁଛି ୨ ଶହ ଟଙ୍କାର ମଜୁରୀ । କଳା ଟଙ୍କାକୁ ଧଳା କରିବାକୁ କିଛି ଧନୀ ଲୋକ ଏଭଳି କାମ କରୁଥିବା ସନ୍ଦେହ କରାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆମ ପ୍ରତିନିଧି ମୌସୁମୀ ମହାନ୍ତିଙ୍କ ସାମ୍ନାରେ ନିଜ ମନିପର୍ସରୁ ୨୦୦୦ ଟଙ୍କିଆ ୧୦ଟି ନୋଟ୍ କାଢି ଦେଖାଉଛନ୍ତି ଜଣେ ଦିନ ମଜୁରିଆ ମହିଳା । ଆଶ୍ଚର୍ଯ୍ୟ ଲାଗୁଛି ଜଣେ ବସ୍ତି ବାସିନ୍ଦାଙ୍କ ପାଖରେ ଏତେ ଟଙ୍କା ଆସିଲା କୁଆଡୁ । ଭୁବନେଶ୍ୱରରେ ଥିବା ଆରବିଆଇର ଶାଖା କାର୍ଯ୍ୟାଳୟ ଆଗରେ ଛିଡା ହୋଇଥିବା ଏମିତି ଅନେକ ମହିଳା ପ୍ରାୟ ପ୍ରତିଦିନ ୨୦ ହଜାର ଟଙ୍କା ଲେଖାଏଁ ବଦଳ କରୁଛନ୍ତି ।
ଗୁପ୍ଚୁପ୍, ଦହିବରା କିମ୍ବା ବେଲୁନ୍ ବିକାଳି, ଟ୍ରଲି ଚାଳକ ଓ ଦିନମଜୁରିଆ ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଠିଆ ହେଉଛନ୍ତି । ଟଙ୍କା ବଦଳାଇବାକୁ ଧାଡ଼ିରେ ଛିଡ଼ା ହେଉଥିବା ଏମିତି ଲୋକ ୮୦ ପ୍ରତିଶତ । ଏକାଧିକ ମହିଳାଙ୍କ ହାତରେ ଏମିତି ୨୦ ହଜାର ଟଙ୍କା ଦେଖିବା ପରେ ସନ୍ଦେହ ବଢିଥିଲା । ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା । ଖୋଳତାଡ ପରେ କନକ ନ୍ୟୁଜ କ୍ୟାମେରାରେ ସତ କହିଛନ୍ତି ଧାଡିରେ ଛିଡା ହୋଇଥିବା ମହିଳା । ଖରା ତରାରେ ଛିଡା ହୋଇ ଦିନକୁ ୨୦ ହଜାର ଟଙ୍କା ବଦଳାଇଲେ ସେମାନଙ୍କୁ ମିଳୁଛି ୨ ଶହ ଟଙ୍କା ମଜୁରୀ ।
ସନ୍ଦେହ ହେଉଛି ପୋଲିସ ନଜରରୁ ବଂଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି । ଏମାନଙ୍କୁ ଚିହ୍ନଟ କରିବା
ଆଇବିଆଇ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି ଆଂଚଳିକ ନିର୍ଦ୍ଦେଶକ । କିନ୍ତୁ ଧାଡିରେ ଛିଡା ହେଉଥିବା ଲୋକଙ୍କ ଭିଡିଓ ସିସିଟିଭିରେ ରହିଛି । ଏବଂ ବୈଧ ଡକ୍ୟୁମେଂଟ ରଖିବା ପରେ ହିଁ ଟଙ୍କା ବଦଳ କରାଯାଉଥିବା କହିଛନ୍ତି ।
ସମୟ ସରିଯିବା ପରେ ଚୁପଚାପ ଲୋକ ଲଗାଇ ଟଙ୍କା ବଦଳ କରି ଖସିଯିବାକୁ ବସିଥିଲେ ଏହି ବଡବଡିଆ । ହେଲେ ଆରବିଆଇ ଆଗରେ ଦୁଇଦିନ ଧରି ଲମ୍ବା ଲାଇନ ଲାଗିବା ପରେ ସବୁ ସତ ପଦାରେ ପଡିଯାଇଛି ।