ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳା ଚୁଲି କିଏ ଭାଙ୍ଗିଲା? ପୁରୀ ଏସପି କହିଲେ, ରୋଷଶାଳା ଖୋଲା ଥିବାରୁ ଭାଙ୍ଗିଥାଇପାରେ ମାଙ୍କଡ଼

Advertisment
ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳା ଚୁଲି କିଏ ଭାଙ୍ଗିଲା? ପୁରୀ ଏସପି କହିଲେ, ରୋଷଶାଳା ଖୋଲା ଥିବାରୁ ଭାଙ୍ଗିଥାଇପାରେ ମାଙ୍କଡ଼

କନକ ବ୍ୟୁରୋ: ପୁରୀ ଏସପିଙ୍କୁ ଗୁଣ୍ଡିଚା ମନ୍ଦିର ରୋଷଶାଳ ଚୁଲି ଭାଙ୍ଗିବା ଘଟଣାକୁ ନେଇ ପ୍ରଶ୍ନ କରାଯିବାରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । କହିଛନ୍ତି ଏନେଇ କୌଣସି ଅଭିଯୋଗ ଆସି ନାହିଁ । ତେବେ ଗୁଣ୍ଡିଚା ମନ୍ଦିର ପରିସରରେ ମାଙ୍କଡ ପଶୁଥିବାରୁ ବୋଧେହୁଏ ଚୁଲିକୁ ମାଙ୍କଡ ଭାଙ୍ଗି ଥାଇପାରିଥାନ୍ତି ବୋଲି କହିଛନ୍ତି ଏସପି ।

ସେବାୟତ କହୁଛନ୍ତି ଗୁଣ୍ଡିଚା ମନ୍ଦିର ରୋଷଶାଳା ଚୁଲି କେହି ଭାଙ୍ଗିଦେଇଛି । ଏପଟେ ପରିଚାଳନା କମିଟି କହୁଛି ଚୁଲି ଭାଙ୍ଗିନାହିଁ । ଅନ୍ୟପଟେ ପୁରୀ ଏସପି କହୁଛନ୍ତି, ଚୁଲିକୁ ମାଙ୍କଡ ଭାଙ୍ଗି ଦେଇଥାଇପାରେ । ତେଣୁ ଏହି ଘଟଣା ସାଧାରଣରେ ଅନେକ ସଂଦେହ ସୃଷ୍ଟି କରୁଛି ।

ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ଚୁଲି ଭାଙ୍ଗିବା ଘଟଣା ଏଭଳି ଦ୍ୱନ୍ଦ୍ୱ ଭିତରେ ଘୁରି ବୁଲୁଛି । ସେବାୟତ କହୁଛନ୍ତି ଚୁଲି ଭାଙ୍ଗି ଦିଆଯାଇଛି । ପରିଚାଳନା କମିଟି ସଦସ୍ୟ କହୁଛନ୍ତି ଚୁଲି ଆଦୌ ଭାଙ୍ଗି ନାହିଁ । ପ୍ରଶ୍ନ ଉଠୁଛି କିଏ ସତ କହୁଛି? ସୁଆର ମହାସୁଆର ନିଯୋଗ ସଦସ୍ୟ ସତ କହୁଛନ୍ତି? ନା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସତ କହୁଛନ୍ତି? ଯଦି ଚୁଲି ଭାଙ୍ଗିନଥିଲା ସୁଆର ସେବାୟତ ଅଭିଯୋଗ ଆଣିଲେ କାହିଁକି? ଯଦି ସେବାୟତ ସତ କହୁଛନ୍ତି, ତେବେ ପରିଚାଳନା କମିଟି ଅସ୍ୱୀକାର କରୁଛି କାହିଁକି? ଶ୍ରୀମନ୍ଦିରର ଢିଲା ସୁରକ୍ଷା ପଦାରେ ପଡିଯିବା ଭୟରେ ଅଭିଯୋଗକୁ ଖଣ୍ଡନ କରାଯାଉଛି କି?

ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା ହେବା ଏହା ପ୍ରଥମ ଘଟଣା ନୁହେଁ । ଗତ ଏପ୍ରିଲରେ ଶ୍ରୀମନ୍ଦିର ରୋଷଶାଳାର ୪୩ଟି ଚୁଲିକୁ ଭାଙ୍ଗିଦେବା ଘଟଣାରେ ଖୋର୍ଦ୍ଧା ବେଗୁନିଆ ଅଂଚଳର ଜଗନ ମହାପାତ୍ରକୁ ପୁଲିସ ଗିରଫ କରିଥିଲା । ଏହାପରେ ଘଟଣାର ପୁନରାବୃତି ହେବାକୁ ଦିଆଯିବନି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଗଲା, କିନ୍ତୁ ରଥଯାତ୍ରାରେ ପୁଣି ଅଭିଯୋଗ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe