କନକ ବ୍ୟୁରୋ : ଆଇପିଏଲ  ମହାନିଲାମୀ ଶେଷ ହୋଇଛି । ୧୦ଟି ଟିମ ନିଜ ପସନ୍ଦର ଖେଳାଳୀଙ୍କୁ ଦଳରେ ସାମିଲ କରିଛନ୍ତି । ରଣନୀତି ସହ ଟିମ୍ ଗୁଡିକ ଖେଳାଳୀଙ୍କୁ କିଣିଛନ୍ତି । କିନ୍ତୁ ଏତିକିରେ କାମ ସରିନାହିଁ । ଅନେକ ଟିମ୍ ରହିଛନ୍ତି ଯେଉଁମାନଙ୍କ କାମ ଏବେ ଆହୁରି ବାକି ଅଛି । ଦଳର ମଙ୍ଗ କିଏ ଧରିବ ତାହା ଏବେ ଅନେକ ଫ୍ରାଞ୍ଚାଇଜର ଚିନ୍ତା ବଢାଇଛି । କୋଲକାତା, ବାଙ୍ଗାଲୋର ଓ ପଞ୍ଜାବ ଦଳର ଅଧିନାୟକ ଭାର କାହାକୁ ମିଳିବ ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ମହାନିଲାମୀରୁ କିଣାଯାଇଥିବା ଖେଳାଳୀଙ୍କ ମଧ୍ୟରୁ ଏହି ୩ ଦଳ ଅଧିନାୟକ ବାଛିପାରନ୍ତି ବୋଲି କୁହାଯାଉଛି ।

Advertisment

କୋଲକାତା ଗତ ସିଜିନରେ ଫାଇନାଲ ଖେଳିଥିଲା । ଆଉ ଅଧିନାୟକ ଥିଲେ ମୋର୍ଗାନ । କିନ୍ତୁ ଚଳିତ ମହାନିଲାମୀ ପୂର୍ବରୁ ମୋର୍ଗାନଙ୍କୁ ରିଲିଜ କରିଥିଲା କୋଲକାତା । ଆଉ ଏହାସହ ଅଧିନାୟକ ପଦ ମଧ୍ୟ ଫାଙ୍କା ପଡିଥିଲା । ତେବେ ଚଳିତ ମହାନିଲାମୀରେ ଶ୍ରେୟସ ଆୟର ୧୨.୨୫ କୋଟି ଟଙ୍କାରେ କିଣିଛି କୋଲକାତା ।  ଯେହେତୁ ଶ୍ରେୟସ ପୂର୍ବରୁ ଦିଲ୍ଲୀର ଅଧିନାୟକ ଭାର ତୁଲାଇ ସାରିଛନ୍ତି ତେଣୁ କୋଲକାତା ତାଙ୍କୁ ଦଳର ଅଧିନାୟକ ବାଛିପାରେ ।

publive-imageସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଅଧିନାୟକ ପଦକୁ ନେଇ ଚିନ୍ତାରେ । ବିରାଟ କୋହଲି ବାଙ୍ଗାଲୋରର ଅଧିନାୟକ ପଦ ଛାଡିବା ପରେ ଏହି ସ୍ଥାନ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ବାଙ୍ଗାଲୋର ମ୍ୟାକ୍ସୱେଲଙ୍କୁ ରିଟେନ ରଖିଥିବା ବେଳେ ମହାନିଲାମୀରେ ଡୁ ପ୍ଲେସିସଙ୍କୁ କିଣିଛି । ତେଣୁ ଉଭୟଙ୍କ ମଧ୍ୟରୁ ଜଣକୁ କାହାକୁ ଅଧିନାୟକ ଭାର ଦେଇପାରେ ବାଙ୍ଗାଲୋର । ମ୍ୟାକ୍ସୱେଲ ବିବିଏଲରେ ଅଧିନାୟକ ଭାର ତୁଲାଉଥିବା ବେଳେ ଡୁ ପ୍ଲେସିସ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଅଧିନାୟକ ରହି ସାରିଛନ୍ତି ।

publive-imageଅନ୍ୟପଟେ କେ. ଏଲ ରାହୁଲ ପଞ୍ଜାବ ଛାଡିବା ପରେ ତାଙ୍କ ସ୍ଥାନରେ କାହାକୁ ଅଧିନାୟକ କରାଯିବ ତାହାକୁ ନେଇ ଚିନ୍ତାରେ ଥିଲା ଟିମ୍ ମ୍ୟାନେଜମେଣ୍ଟ ।  ତେବେ ମହାନିଲାମୀରେ ଧୱନ ଟିମରେ ସାମିଲ ହେବା ପରେ ଫ୍ରାଞ୍ଚାଇଜର ଚିନ୍ତା କିଛି ମାତ୍ରାରେ ଦୂର ହୋଇଛି ।  ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଚଳିତ ସିଜିନରେ ଏହି ପଦ ଛାଡିପାରନ୍ତି । ଧୋନୀଙ୍କ ବଦଳରେ ଜାଡେଜାଙ୍କୁ ଚେନ୍ନାଇର ଅଧିନାୟକ ଭୂମିକାରେ ଦେଖିବାକୁ ମିଳିପାରେ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅନ୍ୟପଟେ ଦିଲ୍ଲୀର ଅଧିନାୟକ ଭାବେ ରିଷଭ ପନ୍ତଙ୍କୁ, ରାଜସ୍ଥାନର ଅଧିନାୟକ ଭାବେ ସଞ୍ଜୁ ସାମସନ, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ରୋହିତ ଶର୍ମା, ସନରାଇର୍ଜସ ହାଇଦ୍ରାବାଦର ଅଧିନାୟକ ଭାବେ କେନ୍ ୱିଲିୟମସନ୍, ଲକ୍ଷ୍ ନୌ ସୁପର ଜାଏଣ୍ଟସର ଅଧିନାୟକ ଭାବେ କେ.ଏଲ ରାହୁଲ ଓ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଭାର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ ।