ଇସ୍ତଫା ଦେଲେ ବିଜୟ, ଏବେ କିଏ ହେବ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ?

202

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କ ଇସ୍ତଫା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ । ଆଉ ହଠାତ୍ ବିଜୟଙ୍କ ଏଭଳି ଇସ୍ତଫା ପରେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆସନ୍ତାବର୍ଷ ଶେଷ ଆଡକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ  ହେବାକୁ ଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି କାହା ଉପରେ ଭରସା କରିବ ସେନେଇ ସସପେନ୍ସ ଲାଗି ରହିଛି । ଏସବୁ ଭିତରେ ଆଜି ରାତିରେ ଅହମ୍ମଦାବାଦରେ ବିଜେପିର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଯେଉଁ ବୈଠକରେ ବିଧାୟକ ଦଳ ନେତା ବଛାଯାଇପାରେ । ତେବେ ନୂଆ ମୁଖ୍ୟମନ୍ତ୍ରୀ ରେସରେ ମୁଖ୍ୟତଃ ୩ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ । ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଏହି ୩ ହେଭିୱେଟ ନେତାଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନସୁଖ ମାଣ୍ଡଭିୟଙ୍କ ନାଁକୁ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଦିଲ୍ଲୀ ଦରବାରରେ ଦବଦବା ସହ ମୋଦୀଙ୍କ ଗୁଡବୁକରେ ଥିବା ଏହି ନେତା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ବୋଲି ଆକଳନ କରାଯାଉଛି । କାରଣ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଏକ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କୁ ଏହି ଆସନରେ ବସାଇପାରେ । ଆଉ ଏହି ଆଧାରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପ୍ରବଳ ଦାବିଦାର ବୋଲି କୁହାଯାଉଛି ।

ସେହିଭଳି ଗୁଜୁରାଟର ଜଣାଶୁଣା ନେତା ତଥା ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି । ଦଳରେ ଦୃଢ ସଙ୍ଗଠକ ଭାବେ ଜଣାଶୁଣା ସିଆର ପାଟିଲ ପରଦା ପଛରେ କାମ କରିବାରେ ବେଶ ମାହିର । ଏବେ ବିଜେପିରୁ ସାଂସଦ ଥିବା ସିଆର ପାଟିଲ ନିର୍ବାଚନ ପରିଚାଳନରେ ବେଶ ଦକ୍ଷ । ସଙ୍ଗଠନକୁ ଗୁରୁତ୍ୱ ଦେଉଥିବା ଏହି ନେତାଙ୍କ ମୋଦୀଙ୍କ ଗୁଡବୁକରେ ରହିଛନ୍ତି । ଏପରିକି ମୋଦୀ ପ୍ରଧାନମନ୍ତ୍ରୀ  ହେବା ପରେ ସିଆର ପାଟିଲଙ୍କର  ଗୁଜୁରାଟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ବଡ ଅବଦାନ ରହିଛି । ଯେଉଁଥିପାଇଁ ଆଗାମୀ ଗୋଟିଏ ବର୍ଷ ପାଇଁ ସିଆର ପାଟିଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି ବିଜେପିର ଥିଙ୍କଟ୍ୟାଙ୍କ । ଯାହାଦ୍ୱାରା ଆଗାମୀ ନିର୍ବାଚନ ପୂର୍ବରୁ ଦଳର ସଙ୍ଗଠନ ଆହୁରି ସୁଦୃଢ ହେବା ସହ ଦଳ ପାଇଁ ବିଜୟ ସହଜ ହୋଇପାରେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେସରେ ପଛରେ ନାହାନ୍ତି ଏବେ ଉପ-ମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ । ଗତ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିନଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜୟଙ୍କ ନାଁରେ ମୋହର ମାରିଥିଲା ଦଳ । ତେବେ ବରିଷ୍ଠ ତଥା ଦଳର ବିଶ୍ୱାସୀ ନେତା ଭାବେ ଜଣାଶୁଣା ନୀତିନଙ୍କୁ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ସିଆର ପାଟିଲଙ୍କୁ ସଙ୍ଗଠନର ଦାୟିତ୍ୱ ଦେଇପାରେ । ତେଣୁ ବିଜୟଙ୍କ ଇସ୍ତଫା ପରେ କିଏ ବର୍ଷକ ପାଇଁ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବ ତାହା ଆଜି ବିଧାୟକ ଦଳ ବୈଠକ ପରେ ଏକପ୍ରକାର ସ୍ପଷ୍ଟ ହୋଇଯିବ ।