ଜଟିଳ ସ୍ଥିତିରେ ତିର୍ତ୍ତୋଲ ରାଜନୀତି । ବିଜେଡିରେ ବିଷ୍ଣୁ-ରାଜଶ୍ରୀଙ୍କ ମଧ୍ୟରେ ଛକାପଞ୍ଝା, ଶଙ୍ଖ ଦୁର୍ଗ ଭାଙ୍ଗିବାକୁ ବିରୋଧୀଙ୍କ ଚକ୍ରବ୍ୟୁହ ।

ଏହି ଆସନଟିକୁ ହାତେଇବା ପାଇଁ ପ୍ରମୁଖ ତିନି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

376

କନକ ବ୍ୟୁରୋ: ରାଜ୍ୟ ରାଜନୀତି ଉଷ୍ମ ହେଉଥିବାବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରାଜନୀତି ପାରଦ ମଧ୍ୟ ସେତେ ବଢ଼ିବାରେ ଲାଗିଛି । କାରଣ ଜଗତସିଂହପୁର ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀ ହେଉଛି ଏକମାତ୍ର ସଂରକ୍ଷିତ ଆସନ । ଏହି ଆସନଟିକୁ ହାତେଇବା ପାଇଁ ପ୍ରମୁଖ ତିନି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷ କରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଚରଣ ଦାସଙ୍କର ଏହି ଆସନ ଉପରେ ନଜର ରହିଛି । ସେପଟେ ବିରୋଧୀ କଂଗ୍ରେସ ଓ ବିଜେପିରୁ ଏକାଧିକ ପ୍ରାର୍ଥୀ ଟିକଟ ପାଇଁ ଆଶାୟୀ ଥିବା ଶୁଣିବାକୁ ମିଳୁଛି । ଯାହା କି ଦଳୀୟ ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ପାଇଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ହାତେଇବା ଏକ ପ୍ରକାର ଚ୍ୟାଲେଂଜ ସୃଷ୍ଟି କରିଛି । ବିରୋଧୀଙ୍କୁ ନେଇ ରାଜଶ୍ରୀଙ୍କର ଯେତିକି ଚିନ୍ତା ନାହିଁ, ବିଷ୍ଣୁଙ୍କ ଗୋଟି ଚାଳନା ବିଧାୟିକାଙ୍କୁ ହରଡ଼ଘଣାରେ ପକାଉଛି । ସମୟଥିଲା ଦିନେ ବିଷ୍ଣୁଙ୍କ ବାଟ ଓଗାଳିବା ପାଇଁ ସେ, ବିଧାୟକ ଡାକ୍ତର ଦାମୋଦର ରାଉତଙ୍କର ପରାମର୍ଶ ଗ୍ରହଣ କରୁଥିଲେ । ମାତ୍ର ବର୍ତ୍ତମାନ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ବିନା ଦାମଙ୍କ ସହାୟତାରେ ଏବେ ବିଷ୍ଣୁଙ୍କୁ ମୁକାବିଲା କରିବା ପାଇଁ ରାଜଶ୍ରୀ କି ଗୋଟି ଚଳାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଯେତେବେଳେ ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଥିଲେ ରବୀନ୍ଦ୍ର ଭୋଇ । ବର୍ତ୍ତମାନର ବିଧାୟିକା ସେତେବେଳେ ପ୍ରାର୍ଥୀ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ମାତ୍ର ଶେଷ ମୂହୂର୍ତ୍ତରେ ଭୋଟର ତାଲିକାରେ ରାଜଶ୍ରୀଙ୍କ ନାଁ ନଥିବା ଜଣାପଡ଼ିଥିଲା। ଏଣୁ ବିଷ୍ଣୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ରବୀନ୍ଦ୍ରଙ୍କୁ ଦଳ ତରବରିଆ ଭାବେ ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ । ରବୀନ୍ଦ୍ରଙ୍କୁ ବର୍ତ୍ତମାନ ପ୍ରତ୍ୟେକ୍ଷ ରାଜନୀତିରେ ଦେଖିବାକୁ ମିଳୁ ନାହିଁ। ଅନ୍ୟପକ୍ଷରେ ବିଷ୍ଣୁ ଏହି ଆସନକୁ ହାତେଇବା ପାଇଁ ସମସ୍ତ କୌଶଳ ପ୍ରୟୋଗ କରିଛନ୍ତି । ନିଜ ପୁଅ ବିଜୟ ଶଙ୍କରଙ୍କୁ ନିର୍ବାଚନ ମଇଦାନକୁ ଆଣିବା ପାଇଁ କସରତ ଚଳାଇଛନ୍ତି। ଏଣୁ ତିର୍ତ୍ତୋଲରେ ବିଜେଡି ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି।

ଅନ୍ୟପଟେ ସ୍କ୍ରିନିଂ କମିଟି ନିକଟରେ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଦେବେନ୍ଦ୍ର ମଲିକ, ପ୍ରତିମା ମଲିକ ଓ ରାଜକିଶୋର ବେହେରା ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ୨୦୦୯ ଓ ୨୦୧୪ରେ କ୍ରମାଗତ ଭାବେ ରାଜକିଶୋରଙ୍କୁ ଦଳ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିଲେ ସୁଦ୍ଧା ସେ ସଫଳ ହୋଇ ପାରିନଥିଲେ । ଯାହା କି ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ସେ ଟିକେଟ୍ ନ ପାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏବେ ଦଳର ରାଜ୍ୟ ଅନୁସୂଚିତ ଜାତି ବିଭାଗର ଆବାହକ ଥିବା ଦେବେନ୍ଦ୍ର ମଧ୍ୟ ଟିକଟ ହାସଲ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ।

ସେପଟେ ଶାସକ ବିଜେଡି କବଜାରେ ଥିବା ଏହି ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ମଧ୍ୟ ଏହି ଆସନକୁ କବଳିତ କରିବାକୁ ଯୋଜନା କରୁଛନ୍ତି । ତେଣୁ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ମଧ୍ୟ କିଛି କମ୍ ନାହିଁ । ଦଳରେ ଦିନକୁ ଦିନ ଆଶାୟୀଙ୍କ ସଂଖ୍ୟା ଲମ୍ବି ଚାଲିଛି । ବିଜେପି ନେତା ତଥା ଗତଥର ଦଳ ପକ୍ଷରୁ ଟିକେଟ୍ ପାଇ ଲଢ଼ିଥିବା ରମାକାନ୍ତ ଭୋଇ , ସଞ୍ଜୟ ଦାସ ଓ ହରିହର ବେହେରା ପ୍ରମୁଖ ଟିକଟ ଆଶାୟୀ ରହିଛନ୍ତି । ଏହି ତିନି ଜଣ ନେତା, ଦଳୀୟ ଟିକଟ ଘୋଷଣା ହେବାପରେ ଏକାଠି ରହିବେ କି ନାହିଁ, ତାହା ଉପରେ ହିଁ ବିଜେପି ଭାଗ୍ୟ ନିର୍ଦ୍ଧାରଣ କରିବ ।