କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ତାତି ବଢିଲାଣି, ଆଉ ଏହାସହ ଆଶାୟୀଙ୍କ ମନରେ ଛନକା ମଧ୍ୟ ପଶିଲାଣି । ଦଳୀୟ ସୁପ୍ରିମୋ କାହାକୁ ଟିକେଟ ଦେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଲାଇମଲାଇଟକୁ ଆସିଛି ଉପକୂଳ ଓଡିଶାର ଆଉ ଏକ ହାଇଭୋଲଟେଜ ବିଧାନସଭା ନିର୍ବାଚନମଣ୍ଡଳୀ କୋରେଇ । ଅଣକଂଗ୍ରେସ ଦୁର୍ଗ ଭାବେ ପରିଚିତ କୋରେଇ ନିର୍ବାଚନମଣ୍ଡଳୀ ଉପରେ ଏଥର ରାଜ୍ୟ ରାଜନୀତିର ହେଭିୱେଟ ନେତାଙ୍କ ନଜର । ୧୯୭୪ ମସିହାରୁ ୨୦୧୪ ମଧ୍ୟରେ ୧୦ଟି ନିର୍ବାଚନ ହୋଇଛି। ଏଥିମଧ୍ୟରୁ କଂଗ୍ରେସ ଓ ବିଜେପି ଥରେ ଲେଖାଏଁ ବିଜୟ ସ୍ବାଦ ଚାଖିଛନ୍ତି। କଂଗ୍ରେସରୁ ରାମଚନ୍ଦ୍ର ଖୁଣ୍ଟିଆ ୧୯୮୫ ମସିହାରେ ବିଜୟୀ ହୋଇଥିବା ବେଳେ ବିଜେପିରୁ ୨୦୦୪ ମସିହାରେ ସଞ୍ଚିତା ମହାନ୍ତି ଜିତିଥିଲେ। ଅବଶିଷ୍ଟ ୮ଥର ଅଣ କଂଗ୍ରେସ ପ୍ରାର୍ଥୀ ଏଠାରୁ ଜିତାପଟ ହାସଲ କରିଛନ୍ତି। ସେଥିରୁ ଅଶୋକ ଦାସ ସର୍ବାଧିକ ୫ଥର ବିଜୟୀ ହୋଇଛନ୍ତି। ଅଶୋକ ଦାସଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେଡ଼ି ବିଧାୟକ ଆକାଶ ଦାସନାୟକଙ୍କ ପର୍ଯ୍ୟନ୍ତ ବୈତରଣୀ ଅବବାହିକାରେ ଥିବା କୋରେଇ ନିର୍ବାଚନମଣ୍ଡଳୀ ଅଣ କଂଗ୍ରେସ ଦୁର୍ଗରେ ପରିଣତ ହୋଇଛି।
୨୦୧୪ ଅଭିନେତା ଆକାଶଙ୍କୁ ନେତା ସଜାଇଥିଲେ କୋରେଇବାସୀ । ବିଜେଡି ଟିକେଟରେ ବିଜୟୀ ହୋଇ ଗଡ ରକ୍ଷା କରିଥିଲେ ଆକାଶ । ତେଣୁ ପୁଣିଥରେ ଏହି ଆସନରେ ବିଜେଡି ଟିକେଟରୁ ନିର୍ବାଚନ ଲଢିବାକୁ ଆଶା ବାନ୍ଧିଛନ୍ତି ଆକାଶ । ତେବେ ଆକାଙ୍କ ପାଇଁ ଟିକେଟ ପାଇବା ଏତେ ସହଜ ହେବନି । କାରଣ ଏଥର ବିଜେଡିରେ ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ । ଏହାଛଡା ୨୦୧୪ ନିର୍ବାଚନରେ ୪୨ ହଜାର ୮୬୭ ଭୋଟ ବ୍ୟବଧାନରେ ଆକାଶ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ବିଶ୍ବଜିତ ନାୟକଙ୍କୁ ହରାଇଥିଲେ। ସେତେବେଳେ ଆକାଶ ଶିବିରର ଅନ୍ୟତମ ମାର୍ଗଦର୍ଶକ ଭାବେ ବବି କାମ କରୁଥିଲେ। କିନ୍ତୁ ଏଥରର ଅବସ୍ଥା ସଂପୂର୍ଣ୍ଣ ଭିନ୍ନ। ଆକାଶ ଓ ବବିଙ୍କ ଶିବିର ମଧ୍ୟରେ ଅହିନକୁଳ ସଂପର୍କ। ବିଧାୟକ ଆକାଶ ଲୋକସଂପର୍କ ବଜାୟ ରଖିଥିବା ବେଳେ ଆଜିକାଲିର ରାଜନୀତି ଗୋଟି ଚାଳନାରେ ସେ ପଛରେ ପଡ଼ିଯାଇଛନ୍ତି। ଖାସକରି କୋରେଇକୁ ଘେରି ରହିଥିବା ସୁକିନ୍ଦା, ଯାଜପୁର ଓ ଧର୍ମଶାଳା ବିଧାୟକ (ଡାନି-ବବି-ଜିତୁ)ଙ୍କ ଶିବିର ସହ ଆକାଶଙ୍କ ସେପରି ସୁସମ୍ପର୍କ ନାହିଁ।
ଅଣକଂଗ୍ରେସ ଗଡରେ ବିଜେଡି ଟିକେଟରୁ ନିର୍ବାଚନ ଜିତିବା ସମ୍ଭାବନା ଅଧିକ ଥିବାରୁ ଏହି ଆସନ ଉପରେ ଏବେ ଶାସକଦଳର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କର ନଜର ରହିଛି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ସ୍ବର୍ଗତ ଅଶୋକ ଦାସଙ୍କ ହସ୍ତମୁଦି ଭଳି ଥିବାରୁ ତାଙ୍କ ସୁପୁତ୍ର ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଭାବ ମଧ୍ୟ ଏଠାରେ ରହିଛି। ଶାସକ ଦଳରେ ବବିଙ୍କ ଦବଦବା ଥିବାରୁ ତାଙ୍କ କ୍ୟାମ୍ପରୁ ଯେକେହି ବି ଏଠାରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେଥିରେ ଖୋଦ୍ ନିଜେ ବବି, ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ ଓ ଭିଣୋଇ ଅରିନ୍ଦମ ରାୟଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେହିପରି ବବିଙ୍କୁ ଆଶ୍ରା କରି ବିଜେପିରୁ ବିଜେଡିକୁ ଫେରିଥିବା ଅଶୋକ ବଳ ମଧ୍ୟ ଟିକେଟ ପାଇଁ ବେଶ ଆଶାବାଦୀ।
ଏମାନଙ୍କ ବ୍ୟତୀତ କୋରେଇର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ (ଡାନି)ଙ୍କ ପ୍ରଭାବ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ କିଛି କମ୍ ନାହିଁ। ୨୦୧୪ରେ କୋରେଇ ଆସନକୁ ବାଏ ବାଏ କରିଥିବା ଡାନି ଏଥର ଏହି ଆସନକୁ ମଧ୍ୟ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ନିର୍ବାଚନରେ ଡାନିଙ୍କ ସମର୍ଥକ ପ୍ରତାପ କୁମାର ମହାନ୍ତି ଏଠାରୁ ଟିକେଟ ଲବିରେ ଥିଲେ। ଦଳୀୟ ଟିକେଟ୍ ନପାଇବାରୁ ସ୍ବାଧୀନ ପ୍ରାର୍ଥୀ ହୋଇ ୭୧୭୦ ଭୋଟ ପାଇଥିଲେ। ଏବେ ସେ ବିଜେଡିରେ। ବବିଙ୍କ ନିକଟତର ମଧ୍ୟ ହୋଇଛନ୍ତି। ବବିଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା କୁହାଯାଉଛି।
ସେହିପରି ପ୍ରଶାସକରୁ ରାଜନେତା ହେବାକୁ ଆଶାବାନ୍ଧିଥିବା ସେଲ୍ ଟ୍ୟାକ୍ସ ଅତିରିକ୍ତ କମିଶନ ପୀୟୂଷ ପାଣି ମଧ୍ୟ ବିଜେଡି ଟିକେଟ ଆଶାୟୀ ବୋଲି ଚର୍ଚ୍ଚା ହେଉଛି। ତାଙ୍କୁ ମଧ୍ୟ ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି। ଏପରିକି ବିଧାୟକ ଆକାଶ ଦାସନାୟକଙ୍କ ବାପା ତଥା ଶ୍ରମିକ ନେତା ମାୟାଧର ନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସେହିପରି ଗତଥର କଂଗ୍ରେସର ପ୍ରାର୍ଥୀ ବିଶ୍ବଜିତ ନାୟକ ଏଥିମଧ୍ୟରେ ବିଜେପିରେ ଯୋଗଦେବା ସହ କୋରେଇ ପଞ୍ଚାୟତ ସମିତି ଦଖଲ କରି ନିଜ ରାଜନୈତିକ ଗୋଟି ଚାଳାନାରେ ଗୋଟିଏ ପାହାଚ ଆଗେଇ ଯାଇଛନ୍ତି। ବିଶ୍ବଜିତ ଏଥର ବିଜେପି ପ୍ରାର୍ଥୀ ହେବେ ବୋଲି ତାଙ୍କ ଶିବିର ବେଶ୍ ଉତ୍ସାହିତ । ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଶିବିରକୁ ମଧ୍ୟ ପୁରୁଣା ବିଜେପି ନେତାମାନେ ସମର୍ଥନ ଯୋଗାଇ ଆସୁଛନ୍ତି। ଆଉ ଏସବୁ ଭିତରେ ପଛରେ ପଡିନାହାନ୍ତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ଯୁବନେତା ଆଲେକଜାଣ୍ଡାର ଦାସ । ଯୁବବର୍ଗଙ୍କୁ ସଙ୍ଗଠିତ କରି ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ନିଜକୁ ପ୍ରମୁଖ ଦାବିଦାର ଭାବେ ଉଭା କରିଛନ୍ତି ଆଲେକଜାଣ୍ଡାର । ଏମାନଙ୍କ ବ୍ୟତୀତ ଚନ୍ଦ୍ରଶେଖର ପଣ୍ଡା ଓ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ବିଜେପି ଟିକେଟ ପାଇଁ ଆଶାବାଦୀ ଅଛନ୍ତି।
କଂଗ୍ରେସରେ ମଧ୍ୟ ଟିକେଟ ପାଇଁ ଅନେକ ହେଭିୱେଟ୍ ନେତାଙ୍କ ନାମ ଥିବା ନେଇ ବେଶ ଚର୍ଚ୍ଚା ହେଉଛି। ଏଆଇସିସି ସଂପାଦକ ରାମଚନ୍ଦ୍ର ଖୁଣ୍ଟିଆ ଏହି ଆସନକୁ ନିଜ ଦଖଲରେ ରଖିବାକୁ ସର୍ବଦା ଉଦ୍ୟମ କରିଆସିଛନ୍ତି। ସେ ଥରେ ଏଠାରେ ଜିତିଥିବା ବେଳେ ତାଙ୍କ ପତ୍ନୀ ହେମଲତା ଖୁଣ୍ଟିଆ ୨୦୦୯ରେ ପରାସ୍ତ ହୋଇଥିଲେ। ଏଥର ମଧ୍ୟ ରାମବାବୁ ନିଜର କାହାକୁ ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପୂର୍ବଥର ରାମଚନ୍ଦ୍ରଙ୍କ ସମର୍ଥକ ଥିବା ବିଶ୍ୱଜିତ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଏବେ ଗୁରୁଙ୍କ ହାତ ଛାଡି ବିଜେପି କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି । ତେଣୁ ଚଳିତ ଥର ପ୍ରାର୍ଥୀ ଦେବା ପୂର୍ବରୁ ବେଶ ସର୍ତକତାର ସହ ଗୋଟି ଚାଳନା କରୁଛନ୍ତି ରାମଚନ୍ଦ୍ର । ନିଜର ସର୍ମ୍ପକୀୟ କିମ୍ବା ବିଶ୍ୱାସୀ ବ୍ୟକ୍ତିଙ୍କୁ ଟିକେଟ ଦେଇ କୋରେଇ ଆସନରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାମଚନ୍ଦ୍ର ।
ତେବେ ଚଳିତ ଥର ରାମଚନ୍ଦ୍ର ନିଜର ସର୍ମ୍ପକୀୟ କିମ୍ବା ନିଜ ପାଇଁ ଟିକେଟ ନେବା ଏତେ ସହଜ ହୋଇନପାରେ । କାରଣ ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ତଥା ବ୍ୟାସନଗର ପୂର୍ବତନ ନଗରପାଳ ବନ୍ଦିତା ପରିଡ଼ା କୋରେଇରେ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଶିବିରରେ ଆଲୋଚନା ହେଉଛି। ବନ୍ଦିତା ମଧ୍ୟ ବିଭିନ୍ନ ସଭା ସମିତିରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକ୍ରମର ନେତୃତ୍ବ ନେଉଛନ୍ତି। ମାନବାଧିକାର କର୍ମୀ ମନୋଜ ଜେନା ଓ ପୁରୁଖା କଂଗ୍ରେସ ନେତା ହରେକୃଷ୍ଣ ସାହୁ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ଏହାଛଡ଼ା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ବାରମ୍ବାରକୋରେଇ ଗସ୍ତ ଓ ଛୋଟବଡ଼ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁତାଙ୍କର ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେଣୁ ୨୦୧୯ରେ କାହାକୁ ଟିକେଟ ଦେବେ ଦଳୀୟ ମୁଖିଆ ଓ କିଏ ଦଖଲ କରିବ କୋରେଇ ଆସନ ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/KOREI.jpg)