ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା?

179

କନକ ବ୍ୟୁରୋ: ମହାନଦୀ ଡଙ୍ଗାବୁଡି ଘଟଣାରେ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୨୦ ଘଂଟାର ଅପରେସନ ପରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ । ଅନ୍ୟପଟେ ଡଙ୍ଗାବୁଡା ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି । ନିୟମକୁ ଉଲ୍ଲଂଘନ କରି ଭଙ୍ଗା ଡଙ୍ଗାରେ ଯାତ୍ରୀଙ୍କୁ ପାରି କରିବାକୁ ଉଦ୍ୟମ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ ।

କଅଁଳ ଶିଶୁ, ନଦୀ ପଠା ଦେଖିଲେ କୁଦାମାରି ଦୌଡିବାର ବୟସ । ହେଲେ ନିଷ୍ଠୁର ନିୟତିର ହିସାବ ଅଲଗା, ଓଡ୍ରାଫ୍ ଗାର୍ଡଙ୍କ ବାହୁରେ ଚୀରନିଦ୍ରାରେ ଶୋଇଯାଇଛି । ମହାନଦୀ ଡଙ୍ଗାବୁଡି ପରେ ଉଦ୍ଧାର ଅଭିଯାନ ସମୟର ଏହି ଦୁଃଖଦ ଦୃଶ୍ୟ ଯେକେହି ଦେଖିଲେ ଆଖିରେ ଲୁହ ଜକେଇ ଆସିବ ।

ପ୍ରାୟ ୨୦ ଘଂଟାର ଅପରେସନ ପରେ ମହାନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସମସ୍ତେ ଛତିଶଗଡ ଖର୍ସିଆ ଅଂଚଳର । ସବୁଠୁ ଦୁଃଖଦ କଥା ହେଉଛି ଡଙ୍ଗା ଓଲଟିପଡିବା ପରେ ମହିଳା ଓ ନୀରିହ ଶିଶୁ ପହଁରି ନପାରି ପାଣିରେ ବୁଡିଯାଇଥିଲେ । ମୃତକଙ୍କ ମଧ୍ୟରେ ଦୁଇଟି ପରିବାରର ମା ଓ ପୁଅଙ୍କ ସଳିଲ ସମାଧି ହୋଇଛି । ସେମାନେ ହେଲେ ମାଅ-ା ଲଛମନି ରାଠିଆ, ପୁଅ- ପିକେଶ୍ୱର ରାଠିଆ । ମାଆ ରାଧିକା ରାଠିଆ, ଦୁଇ ପୁଅ- କୁନାଲ ରାଠିଆ, ନବୀନ ରାଠିଆ ।

ଶୁକ୍ରବାର ଝାରୁସୁଗୁଡା ଲଖନପୁର ସ୍ଥିତ ଶରଧା ଘାଟଣରେ ଘଟିଥିଲା ଅଘଟଣ । ବରଗଡ଼ ପଥରାସେନୀରେ ମାଙ୍କ ଦର୍ଶନ କରି ବାଞ୍ଜିପାଲିରୁ ଡଙ୍ଗାରେ ୫୪ ଜଣ ଯାତ୍ରା ଆସୁଥିଲେ । ସେମାନଙ୍କ ମଧ୍ୟରେ ୪୫ ଜଣ ଯାତ୍ରୀ ଥିଲେ ଛତିଶଗଡର ଏବଂ ୯ ଜଣ ବରଗଡ଼ ଓ ଝାରସୁଗୁଡ଼ାର । ମଝି ମହାନଦୀରେ କ୍ଷମତାଠୁ ଅଧିକ ଯାତ୍ରୀ ହେବାରୁ ଡଙ୍ଗାରେ ପାଣି ପଶି ଓଲଟିିଯାଇଥିଲା । ସ୍ଥାନୀୟ ମତ୍ସ୍ୟଜୀବୀ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ଉଦ୍ୟମ ସତ୍ୱେ ୮ ଜଣଙ୍କ ଆକାଳ ବିୟୋଗ ହୋଇଛି । ଦୁର୍ଘଟଣା ପରେ ଜଣାପଡିଛି ବିନା ଲାଇସେନ୍ସରେ ଡଙ୍ଗା ଚଳାଚଳ କରୁଥିଲା । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ବିନା ଲାଇଫ୍ ଜାକେଟରେ ଯାତ୍ରୀଙ୍କୁ କେମିତି ଡଙ୍ଗାରେ ପାରି କରାଯାଉଥିଲା?
ବେଆଇନ ଡଙ୍ଗା ଚଳଚଳ ନେଇ ପ୍ରଶାସନ ପାଖରେ ଖବର ଥିଲା ନା ନାହିଁ?

ଅଘଟଣ ପରେ ସବୁ ସ୍ୱାଭାବିକ ହୋଇଛି । ମହାନଦୀର ଚହଲା ପାଣିରେ ଡଙ୍ଗା ଦୋହଳୁଛି । ପ୍ରଶାସନିକ ଅବହେଳା ଯୋଗୁଁ ୮ ଜଣ ଆତ୍ମୀୟଙ୍କୁ ହରାଇଛନ୍ତି ଅଭାଗା ପରିବାର ।