କନକ ବ୍ୟୁରୋ: ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଠିକ୍ ସମୟରେ ପାଉନାହାଁନ୍ତି । ୪ମାସର ଚାଉଳ ଏକାସଙ୍ଗରେ ଉଠିଥିବା ବେଳେ ହିତାଧିକାରୀଙ୍କୁ ଗୋଟିଏ ମାସର ଚାଉଳ ମିଳୁଛି । ହିତାଧିକାରୀଙ୍କ ଖାତାରେ ରିଟେଲର ୨ ମାସର ଚାଉଳ ଦିଆଯାଉଥିବା ଲେଖି ଗୋଟିଏ ମାସର ଚାଉଳ ଦେଉଛି । ଗତ ୨୦୨୨ ମସିହା ଡିସେମ୍ବର ମାସର ରିଟେଲର ଚାଉଳ ଉଠାଇ ନାହାଁନ୍ତି । ଯଦି ରିଟେଲର ଚାଉଳ ଉଠାଇଲେନି, ଲୋକେ ଚାଉଳ ପାଇଲେନି ତେବେ ସେହି ମାସର ଚାଉଳ କୁଆଡେ ଗଲା? ହିତାଧିକାରୀ ଚାଉଳ ପାଇଁ ଦୌଡି ଦୌଡି ଚାଉଳ ପାଉନଥିବା ବେଳେ ଯୋଗାଣ ଅଧିକାରୀଙ୍କ ନିଦ ଭାଙ୍ଗୁନି ।

କିଏ ଖାଇଲା ଗରିବଙ୍କ ଚାଉଳ? ହିତାଧିକାରୀଙ୍କ ଚାଉଳ ହଡପ କଲା କିଏ? ରାଜନଗର ବ୍ଲକ ବାଲିସାହିପାଟଣା ପଂଚାୟତର ବାଲିସାହିପାଟଣାରୁ ନେଇ ମଧୁପୁର, ଚମ୍ପାଦିଆ ଆଦି ୨ ହଜାରରୁ ଅଧିକ ପରିବାରର ରିଟେଲର ଦାୟିତ୍ୱରେ ବାଲିସାହିପାଟଣା ଗ୍ରାମ ପଂଚାୟତ ରହିଛି । ପଂଚାୟତ ନିିଜେ ଯୋଗାଣ ସାମଗ୍ରୀ ବଂଟନ ଦାୟିତ୍ୱରେ ଥିଲେ ମଧ୍ୟ ହିତାଧିକାରୀଙ୍କ ଚାଉଳ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଏକାସଙ୍ଗରେ ହିତାଧିକାରୀ ରିଟେଲରଙ୍କ ଠାରୁ ୪ ମାସର ଚାଉଳ ପାଇବାର ଅଛି । ମାତ୍ର ହିତାଧିକାରୀଙ୍କୁ ଚଳିତମାସ ପ୍ରଥମ ସପ୍ତାହରେ ଚାଉଳ ବଂଟନ କାର୍ଯ୍ୟ ଆରମ୍ଭ ହୋଇଛି । ହିତାଧିକାରୀଙ୍କ ଖାତାରେ ଜାନୁୟାରୀ, ଫେବୃୟାରୀ ଦୁଇ ମାସର ଚାଉଳ ଦିଆଯାଉଥିବା ଲେଖି ଗୋଟିଏ ମାସର ଚାଉଳ ଦିଆଯାଉଛି । ଅଭିଯୋଗ କଲେ ସମସ୍ତଙ୍କୁ ରିଟେଲର ନାଲିଆଖି ଦେଖାଉଥିବା କହିଛନ୍ତି ଗାଁର ଲୋକମାନେ ।

ଦେଢ ବର୍ଷ ତଳର ଚାଉଳ ହଡପ ଏବେ ସାମ୍ନାକୁ ଆସିଛି । କହୁ କହୁ କ୍ୟାମେରା ଆଗରେ ସତ କହି ଦେଇଛନ୍ତି ବାଲିସାହିପାଟଣା ଗ୍ରାମ ପଂଚାୟତ ପକ୍ଷରୁ ଚାଉଳ ବାଂଟୁଥିବା ବ୍ୟକ୍ତି । ଡିସେମ୍ବର ୨୦୨୨ରେ ୨୨୭ କୁଇଂଟାଲ ଆଲାର୍ଟମେଂଟ ଆସିଥିଲା, ସେ ଚାଉଳ ଆମେ ରିସିଭ କରିପାରିନାହୁଁ । ଆଜି ପର୍ଯ୍ୟନ୍ତ ଆମେ ଗୋଟିଏ ମାସ କମେଇ ଲୋକଙ୍କୁ ଚାଉଳ ଦେଇ ଆସୁଛୁ । ଆଜି ପର୍ଯ୍ୟନ୍ତ ସେହି ଚାଉଳ ଆମ ପାଖକୁ ଆସିପାରିନହେିଁ । ଗୋଟିଏ ମାସର ଚାଉଳ ପାଇନଥିବାରୁ ହିତାଧିକାରୀଙ୍କୁ ଠିକ୍ ସମୟରେ ଚାଉଳ ଦେଉପାରୁନଥିବା କହିଛନ୍ତି ରିଟେଲର । ସେପଟେ ଏହି ଗରିବଙ୍କ ଚାଉଳ କିଏ ଖାଇଗଲା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବୀ କରିଛନ୍ତି । ୪ ମସର ଚାଉଳ ହେରଫେର ହୋଇଥିବା ବେଳେ ତଦନ୍ତ କରି ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀ ଦାବି କରିଛନ୍ତି ।