କନକ ବ୍ୟୁରୋ : ଜୀବନ  ଯନ୍ତ୍ରଣା ପାଲଟି ଯିବା ପରେ ସହାୟତା ପାଇଁ ବାରମ୍ବାର ଗୁହାରି କରୁଥିଲେ ଦୁଷ୍ମନ୍ତ । ଚିଠି ଲେଖୁଥିଲେ, ଟୁଇଟ୍ କରୁଥିଲେ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଫାଇଭ୍ ଟିକୁ ଟୁଇଟ୍ କରି ଏସସିବି ମେଡିକାଲ କଲେଜର ଅବହେଳା କଥା କହୁଥିଲେ । ଦୁଷ୍ମନ୍ତଙ୍କ ଶେଷ ଟୁଇଟ୍ ସାମନାକୁ ଆସିଥିବାବେଳେ , ଏଥିିରେ ଇଛାମୃତ୍ୟୁ ପାଇଁ ନିବେଦନ କରିଥିଲେ । ଆଇନଜୀବୀ କହିଛନ୍ତି, ଦୁଷ୍ମନ୍ତଙ୍କ ଶେଷ ବୟାନକୁ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଗ୍ରହଣ କରିପାରନ୍ତି କୋର୍ଟ । ସେପଟେ ଦୁଷ୍ମନ୍ତଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି, ଘଟଣା ଦିନ କେହି ଜଣେ ଖଳ ବ୍ୟକ୍ତି ତାଙ୍କ ପୁଅକୁ ବିଭିନ୍ନ କଥା କହି ଭୁବନେଶ୍ୱର ନେଇ ଯାଇଥିଲେ । ତେଣୁ ଦୁଷ୍ମନ୍ତଙ୍କୁ ଉସୁକାଇ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଭଳି ଏକ ଧାରଣା ତିଆରି ହେଉଛି ।

Advertisment

କଟକ ଏସସିବି ମେଡିକାଲର ଚକ୍ରବ୍ୟୁହରେ ଫସିଗଲି । ଉଦ୍ଧାର କରନ୍ତୁ ନଚେତ୍ ଦୟାକରି ମୋତେ ଇଚ୍ଛା ମୃତ୍ୟୁ ପ୍ରଦାନ କରନ୍ତୁ ।  ପ୍ଲିଜ ସାର ମୋତେ ଓ ମୋ ପରିବାରକୁ ଇଚ୍ଛା ମୃତ୍ୟୁ ପ୍ରଦାନ କରନ୍ତୁ ।  ଜୀବନ ଯେତେବେଳେ ଯନ୍ତ୍ରଣା ପାଲଟିଗଲା ସେତିକିବେଳେ ବାରମ୍ବାର ଏହିଭଳି ଟ୍ୱିଟ୍ କରି ସହାୟତା ମାଗୁଥିଲେ ଦୁଷ୍ମନ୍ତ ଦାସ । ଇଚ୍ଛା ମୃତ୍ୟୁ ଦେବାପାଇଁ ଟ୍ୱିଟ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଫାଇବ-ଟି ସଚିବଙ୍କୁ ଟ୍ୟାଗ କରୁଥିଲେ । କଟକ ଏସସିବି ମେଡିକାଲର ଅବହେଳା ନେଇ ଅଭିଯୋଗ କରୁଥିଲେ । ଆଇନଜୀବୀ କହିଛନ୍ତି, ରାଜ୍ୟର ସବୁଠାରୁ ବଡ ସରକାରୀ ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ପ୍ରସଙ୍ଗ ଯଦି କୋର୍ଟକୁ ଯାଏ ତାହାହେଲେ ସେ ଚିଠିରେ ଦର୍ଶାଇଥିବା କିଛିଧାଡି ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଧରାଯିବ । ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୩୨ରେ ଏହି ନିୟମ ମଧ୍ୟ ରହିଛି ।

ଦୁଷ୍ମନ୍ତଙ୍କ  ମୃତ୍ୟୁକୁ ନେଇ ତାଙ୍କ ମା’ ଜୟନ୍ତୀ ଦାସ କୁଜଙ୍ଗ ଥାନାରେ ଏତଲା  ଦେବା ପରେ ଘଟଣା ଏବେ ନୂଆ ମୋଡ ନେଇଛି ।  ବାସନ୍ତୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ବୁଧବାର ସକାଳେ ଜଣେ ଖଳ ପ୍ରକୃତିର ବ୍ୟକ୍ତି ପୁଅକୁ କଟକ ବଡ ମେଡିକାଲରେ ପଂହଚି ବିଭିନ୍ନ କଥା କହି ଭୁବନେଶ୍ୱର ନେଇଥିଲେ । ପୁଅ ଗଲାବେଳେ କହିଥିଲା ସେ ଭୁବନେଶ୍ୱର ଯାଉଛି, ସେଠୁ ଆସିଲେ  ଗାଁକୁ ଯିବେ । ଏହାର କିଛି ସମୟ ପରେ ସେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଥିଲେ । ଆଉ କଟକ ଏସସିବିରେ ଦୁଷ୍ମନ୍ତଙ୍କ ଦେହାନ୍ତ ପରେ ଆଗକୁ ଆସିଛନ୍ତି ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ । ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ଚାକିରି କଲାଯାଏଁ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏହାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବିଜେପି ନେତା । କେବଳ ସୋସିଆଲ ମିଡିଆରେ ବାହାବାହା ନେବାକୁ ଏହା ବିଧାୟକଙ୍କ ଚାଲ ବୋଲି ଅଭିଯୋଗ ବାଢିଛନ୍ତି ।

ଅନ୍ୟପଟେ ଦୁଷ୍ମନ୍ତଙ୍କ ଗାଁକୁ ଯାଇଥିବା ବିଜେପିର ୭ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଫେରି ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ତାଙ୍କ ଝିଅ ନାଁରେ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କା ଡିପୋଜିଟ କରନ୍ତୁ, ପରିବାରକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ସେହି ଅଂଚଳରେ ସରକାରୀ ଚାକିରୀ ଦିଆଯାଉ ବୋଲି ଦାବି କରିଛି ବିଜେପି ।