ବଡ ଖବର : ସପ୍ତାହ ମଧ୍ୟରେ କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

78

କନକ ବ୍ୟୁରୋ : ଖୁବଶୀଘ୍ର କୋଭାକ୍ସିନକୁ ନେଇ ଆସିପାରେ ଆଶ୍ୱସ୍ତିକର ଖବର । ଭାରତରେ କରୋନା ବିରୋଧରେ ଲଢେଇ ପାଇଁ ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଯାଏଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମଞ୍ଜୁରୀ ଦିଆଯାଇନାହିଁ । କିନ୍ତୁ ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ଅଥାର୍ତ ଗୋଟିଏ ସପ୍ତାହ ମଧ୍ୟରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଯେହେତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୋଭାକ୍ସିନକୁ ମଞ୍ଜୁରୀ ଦିଆଯାଇନାହିଁ ତେଣୁ ଏହାକୁ ଅନେକ ଦେଶ ବ୍ୟବହାର ପାଇଁ ମାନ୍ୟତା ଦେଇନାହାନ୍ତି ।

ସବୁଠୁ ବଡ କଥା ହେଉଛି, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିନଥିବାରୁ ବିଦେଶକୁ ଯାଉଥିବା ଭାରତୀୟଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । କୋଭାକ୍ସିନ ଟିକା ନେଇଥିବା ଭାରତୀୟଙ୍କୁ ଅନ୍ୟ ଦେଶରେ ପ୍ରବେଶ ଅନୁମତି ମିଳୁନାହିଁ । ତେଣୁ ଅଧିକାଂଶ ଭାରତୀୟ କୋଭାକ୍ସିନ ଟିକା ନେଇଥିଲେ ମଧ୍ୟ ବିଦେଶ ଯାଇପାରୁନାହାନ୍ତି । କିନ୍ତୁ ଏସବୁ ଭିତରେ କୋଭାକ୍ସିନ ନେଇ ବିଦେଶ ଯାଉଥିବା ଭାରତୀୟଙ୍କୁ ଖୁସିଖବର ମିଳିବାକୁ ଯାଉଛି ।

ଗତ ଜୁଲାଇରେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରିବାକୁ ସମସ୍ତ କାଗଜପତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପାଖରେ ଦାଖଲ କରିଥିଲା ଭାରତ ବାୟୋଟେକ । ପରେ କମ୍ପାନି ପକ୍ଷରୁ ଦିଆଯାଇଥିବା ସମସ୍ତ କାଗଜପତ୍ରର ଯାଞ୍ଚ କରିଥିଲା ଡବ୍ଲୁଏଚଓ । ଆଉ ଏବେ ଖୁବଶୀଘ୍ର ଡବ୍ଲୁଏଚଓ ପକ୍ଷରୁ କୋଭାକ୍ସିନକୁ ମଞ୍ଜୁରୀ ମିଳିବାକୁ ଯାଉଛି । ଏବେ ସୁଦ୍ଧା ଡବ୍ଲୁଏଚଓ ଫାଇଜର, ଆଷ୍ଟ୍ରାଜେନିକା- ସେରମ, ଜନସନ, ମଡର୍ଣ୍ଣା ଓ ସିନୋଫାର୍ମର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି । ଅନ୍ୟପଟେ ଯଦି କୋଭାକ୍ସିନ କଥା କହିବା ତେବେ ଏହା ଭାରତର ପ୍ରଥମ ସ୍ୱଦେଶୀ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଗତ ଜାନୁଆରୀ ୩ରେ ଅନୁମତି ମିଳିଥିଲା । ପରୀକ୍ଷଣ ପରେ ଏହା ସ୍ପଷ୍ଟ ମଧ୍ୟ ହୋଇଥିଲା ଯେ, ଏହି ଟିକା କରୋନା ବିରୋଧରେ ୭୮ ପ୍ରତିଶତ ପ୍ରଭାବୀ ।