କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତ ଏବେବି ପୋଲିସ ପଞ୍ଝାରୁ ଦୂରରେ । ପୋଲିସକୁ ଚକମା ଦେଇ ଏବେବି ଲୁଚି ରହିଛନ୍ତି ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ । ୩ଟି ଟିମ ଗଠନ କରି ପଡୋଶୀ ରାଜ୍ୟକୁ ଯାଇ ପୋଲିସ ଛାନଭିନ କରୁଛି । କୁହାଯାଉଛି ମାନସ ହତ୍ୟାକାଣ୍ଡରେ ଗିରଫ ସୁନିଶ୍ଚିତ ବୋଲି ଜାଣିବା ପରେ ଭଦ୍ରକ ଓ ଯାଜପୁରରେ ସେ ଆତ୍ମଗୋପନ କରିଥିଲେ ।

Advertisment

କେଉଁଠି ଲୁଚିଛନ୍ତି ମାନସ ମର୍ଡରର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ? ଅଭ୍ୟାସଗତ ଅପରାଧୀ ଭଳି ପୁଲିସକୁ ଦେଉଛନ୍ତି ଚକମା । ମାନସ ହତ୍ୟାକାଣ୍ଡକୁ ଏହା ଭିତରେ ପ୍ରାୟ ଦେଢ଼ମାସ ବିତିଲାଣି । ମାନସଙ୍କୁ ୱେବ ପୋର୍ଟାଲ ମାଲିକାଣି ତଥା ସମାଜସେବୀ ଶର୍ମିଷ୍ଠା ରାଉତ ଅପହରଣ କରିବା ପରେ ହତ୍ୟା କରିଥିବା ୧୦ ଦିନ ହେଲା ଜଣାପଡିଲାଣି । ହେଲେ ଏପର୍ଯ୍ୟନ୍ତ ଶର୍ମିଷ୍ଠାଙ୍କୁ ଧରିପାରିନି ପୁଲିସ । ପୁଲିସକୁ ଚକମା ଦେଇ ଫେରାର ଅଛନ୍ତି ଶର୍ମିଷ୍ଠା । ଏପରିକି ଶର୍ମିଷ୍ଠା ରାଜ୍ୟ ବାହାରକୁ ଚାଲିଯାଇଥିବା ପୁଲିସ ସୂଚନା ମିଳିଛି । ଆଉ ସୂଚନା ପାଇବା ପରେ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୁଲିସର ତିନିଟି ଟିମ୍ ରାଜ୍ୟ ବାହାରକୁ ଯାଇଛନ୍ତି ।

ସୂଚନା ଅନୁସାରେ ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ସେ କେଉଁଠି ଅଛନ୍ତି ତାର ଟେର ପାଇଛି ପୁଲିସ । ଏଥିସହ ତାଙ୍କୁ ଧରିବା ପାଇଁ ପଡୋଶୀ ରାଜ୍ୟ ପୁଲିସର ସହଯୋଗ ମଧ୍ୟ ନେଉଛି ଓଡିଶା ପୁଲିସ ।

ଚକମା ଦେବାକୁ ଜାଗା ବଦଳାଉଥିଲେ ଶର୍ମିଷ୍ଠା । ଯାଜପୁର ଓ ଭଦ୍ରକରେ କରିଥିଲେ ଆତ୍ମଗୋପନ । ମାନସ ହତ୍ୟାକାଣ୍ଡରେ ଗିରଫ ହେବା ନିଶ୍ଚିତ ଜାଣିବା ପରେ ପୁଲିସକୁ ଚକମା ଦେବାକୁ ବାରମ୍ବାର ଠିକଣା ବଦଳାଇଥିଲେ ଧୂର୍ତ୍ତ ଶର୍ମିଷ୍ଠା । ଯାଜପୁରର କାଳିଆପାଣିରେ ୪ଦିନ ଓ ଭଦ୍ରକର ଆଗରପଡାରେ ୨ଦିନ ଆତ୍ମଗୋପନ କରିଥିଲେ । କୁହାଯାଉଛି ଏଥିରେ ତାଙ୍କର କେତେଜଣ ସମ୍ପର୍କୀୟ ସହଯୋଗ କରୁଥିଲେ ।

ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶର୍ମିଷ୍ଠା । ଆଉ ଜାମିନ ଆବେଦନର ଶୁଣାଣି ହେବା ପର୍ଯ୍ୟନ୍ତ, ପୁଲିସ ତାଙ୍କୁ ଯେମିତି ଧରି ନପାରିବ ସେଥିପାଇଁ ବନାଉଥିଲେ ବ୍ଲୁପ୍ରିଂଟ ।

ଶର୍ମିଷ୍ଠାଙ୍କ ଜାମିନ ଆବେଦନ ଖାରଜ । ଆତ୍ମସମର୍ପଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଶର୍ମିଷ୍ଠାଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ ତାଙ୍କ ପାଇଁ ଆଉ ଖସିବାର କିଛି ବାଟ ନାହିଁ । ଅପହରଣ ମାମଲାରେ ଗିରଫଦାରୀ ଏଡାଇବା ପାଇଁ ଜାମିନ ଆବେଦନ କରିଥିବା ଶର୍ମିଷ୍ଠାଙ୍କ ବିରୋଧରେ ଏବେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇ ସାରିଛି । ତେଣୁ ଆଉ ନଲୁଚି ଆତ୍ମସମର୍ପଣ କରନ୍ତୁ ବୋଲି କୋର୍ଟ କହିଛନ୍ତି ।

ଥାନାରୁ ଶର୍ମିଷ୍ଠାଙ୍କୁ ଛାଡିଥିଲା କିଏ ? ଶର୍ମିଷ୍ଠାଙ୍କୁ ଖସାଇବା ପାଇଁ ପଡିଥିଲା କି ଚାପ ? ମାନସ ନିଖୋଜ ହେବା ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶର୍ମିଷ୍ଠାଙ୍କୁ ଥାନାଙ୍କୁ ୨ଥର ଡକାଯାଇଥିଲା । ପଚରାଉଚୁରା ବି କରାଯାଇଥିଲା । ହେଲେ ସେତେବେଳେ କାହିଁକି ପୋଲିସ ଛାଡି ଦେଇଥିଲା, ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଏସପି ଚରଣ ସିଂ ମୀନା । ଏସବୁ ଭିତରେ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡାଙ୍କ ସହ ଶର୍ମିଷ୍ଠାଙ୍କ ଏକ ଫଟୋ ମିଳିଛି । ଯେଉଁ ଫଟୋକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଯେ, ଏଭଳି ପ୍ରଭାବଶାଳୀଙ୍କ ସହ ସମ୍ପର୍କ ପାଇଁ ଥାନାରୁ ତାଙ୍କୁ ଛାଡି ଦିଆଯାଇଥିଲା କି ?