ଆପଣଙ୍କ ଅଞ୍ଚଳର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ କିଏ ଗ୍ରହଣ କଲେ ? 

954

କନକ ବ୍ୟୁରୋ : ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଜି ମନ୍ତ୍ରୀ, ବିଧାୟକ, ଅଫିସର ମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ନବୀନ ସରକାରରେ ମନ୍ତ୍ରୀ ଥିବା ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାର ଜୁନାଗଡ, ମହାଲିଙ୍ଗ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କୋରାପୁଟ ଜୟପୁରର ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଭୁବନେଶ୍ୱରର ଆଇଆରସି ଭିଲେଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ ସୁବ୍ରତ ବାଗଚୀ ବାଣୀବିହାର ହାଇସ୍କୁଲକୁ ଓ ଆଦର୍ଶ ବିଦ୍ୟାଳୟର ପରାମର୍ଶଦାତା ବିଜୟ ସାହୁ ପଟିଆ ପ୍ରାଥମିକ ବିଦ୍ୟାଳୟ, ପଟିଆରେ ଥିବା ଶୈଳନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ରହିଥିବା ଆର, ବାଲାକ୍ରିଷ୍ଣନ ଗଞ୍ଜାମ ବେଲଗୁଣ୍ଠାରେ ଥିବା ଡକ୍ଟର ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ ସହ ଯାଜପୁର ମଙ୍ଗଳପୁରରେ ଥିବା ମହତାବ ହାଇସ୍କୁଲ ଓ ଯାଜପୁର ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଡକ୍ଟର ଅନୁପ ନାୟକ ଯାଜପୁରର ବରୀ ହାଇସ୍କୁଲକୁ , ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପଟ୍ଟାମୁଣ୍ଡାଇର ବଲୁରିଆ ହାଇସ୍କୁଲ ସହ ନବରଙ୍ଗପୁରର ସରକାରୀ ନୋଡାଲ ଆରସିଡି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ବଲାଙ୍ଗୀର କଣ୍ଟାବାଞ୍ଝିର ଉଭୟ ବାଳିକା ଓ ବାଳକ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଥିବା ରସିଦ ଖାନ୍ ଢେଙ୍କାନାଳର ଭୁବନ ହାଇସ୍କୁଲକୁ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ରାୟଗଡା ଗୁଣୁପୁରର ଡମ୍ବଳସୋରା ବାଳିକା ହାଇସ୍କୁଲ ଓ ଦେବଗଡର ଆରବିଡି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ରାଜ୍ୟ ଔଷଧ ନିଗମର ଏମଡି ଥିବା ଯାମିନୀ ଷଡଙ୍ଗୀ ଗଞ୍ଜାମ ବ୍ରହ୍ମପୁରରେ ଥିବା ସହିଦ ଲକ୍ଷ୍ମଣ ନାୟକ ମୁନିସିପାଲ ହାଇସ୍କୁଲକୁ, ପୁରୀର ଜିଲ୍ଲାପାଳ ସମର୍ଥ ବର୍ମା ପୁରୀର ବିଶ୍ୱମ୍ବର ବିଦ୍ୟାପୀଠ, ସରକାରୀ ବାଳିକା ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି କଟକର ପିଡ଼ି ଡିଆରଡିଏ ଥିବା ମହମ୍ମଦ ଅବଦଲ୍ଲ ଅଖତର ଯାଜପୁର କୋରେଇରେ ଥିବା ହଳଦୀଗାଡିଆ ହାଇସ୍କୁଲକୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଲିଙ୍ଗରାଜ ପଣ୍ଡା କେନ୍ଦ୍ରାପଡା ପାଟକୁରାର କୋରୁଆ  ହାଇସ୍କୁଲକୁ, ଅନୁଗୁଳ ପୋଲିସ ଡିଆଇଜି ଥିବା ସାର୍ଥକ ଷଡଙ୍ଗୀ ଛତ୍ରପୁରରେ ଥିବା ଅନସ୍ଲୋ ଅନୁଷ୍ଠାନକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି  ଜଷ୍ଟିସ  ଅରଜିତ୍   ପାସୟାତ କଟକର ରେଭେନ୍ସା କଲିଜିଏଟ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲେ । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସର୍ବାଧିକ୍ ୩ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି  । ପୂର୍ବରୁ ୩୬ ଜଣ ଆଇଏଏସ ଏବଂ ଆଇପିଏସ ପୋଷ୍ୟ ସ୍କୁଲ ଗ୍ରହଣ କରିସାରିଥିବା ବେଳେ ଆଗକୁ ଆହୁରି ଅଧିକା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ଆଗ୍ରହ ଦେଖାଇଛନ୍ତି ।