ହାତୀ ପରେ ଏବେ ବାଘକୁ ବ୍ୟାପିଲା ‘ହର୍ପିସ୍’ ଭାଇରସ୍ । ସଂକ୍ରମଣରେ ଧଳା ବାଘ ଅସୁସ୍ଥ । ସଫାରୀରେ ବାଘକୁ ରଖି କରାଯାଉଛି ଚିକିତ୍ସା

ସେପଟେ ଜୀବଜନ୍ତୁଙ୍କ ମୃତ୍ୟୁ ନେଇ କଂଗ୍ରେସର ପ୍ରତିବାଦ; ଭୁଆଶୁଣି ଡମ୍ପିୟାର୍ଡ ପାଇଁ ଜୀବଜନ୍ତୁ ମରୁଥିବା ଅଭିଯୋଗ

277

କନକ ବ୍ୟୁରୋ: ନନ୍ଦନକାନନରେ ହର୍ପିସ ଭୁତାଣୁ ସଂକ୍ରମଣରେ ୪ ହାତୀଙ୍କ ମୃତ୍ୟୁ ପରେ ଏବେ  ଧଳା ବାଘ ଶୁଭ୍ରାଶୁଂ ଅସୁସ୍ଥ ଅଛି । ଗତ ରବିବାରଠାରୁ ୫ ବର୍ଷର ଧଳା ବାଘ ଶୁଭ୍ରାଂଶୁ ଅସୁସ୍ଥ ଅଛି ।  ସେ ଠିକ ଭାବେ ଖିଆପିଆ କରୁନାହିଁ ।  ଦୁର୍ବଳ ହେବା ସହ ଗୋଟିଏ ସ୍ଥାନରେ ପଡିରହୁଛି ।  ୨୦୧୪ରେ ଜନ୍ମ ହୋଇଥିଲା ବାଘ ଶୁଭ୍ରାଶୁଂ । ନନ୍ଦନକାନନ ଡାକ୍ତରୀ ଦଳଙ୍କ ଦ୍ୱାରା ଚିକିତ୍ସା ଜାରି ରହିଛି ।

ଏବେ ନନ୍ଦନକାନନରେ ୨୬ଟି ବାଘ ଅଛନ୍ତି । ସେପଟେ ନନ୍ଦନକାନନରେ ହାତୀ ସୁରକ୍ଷା ବ୍ୟବସ୍ଥାର  ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବ ଆସୁଛନ୍ତି । ସେ ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ସେହିପରି ହାତୀ ମୃତ୍ୟୁର ନିରାକରଣ ପାଇଁ ଆସାମରୁ ହର୍ପିସ ଭୁତାଣୁ ବିଶେଷଜ୍ଞ ଡକ୍ଟର ଜି ମହାତୋ ଆସୁଛନ୍ତି ।

ଅନ୍ୟପଟେ, ନନ୍ଦନକାନନରେ ହର୍ପିସ ଭୁତାଣୁ ସଂକ୍ରମଣରେ ୪ ହାତୀଙ୍କ ମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ନନ୍ଦନକାନନ ସାମନାରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ  ଧାରଣାରେ ବସିଥିଲେ । ଭୁଆଶୁଣି ଡମ୍ପିୟାର୍ଡ ପାଇଁ  ଦୂଷିତ ପରିବେଶରୁ ଜୀବଜନ୍ତୁ ମରୁଥିବା ସେ ଅଭିଯୋଗ କରିଛନ୍ତି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୪ ଦଫା ସମ୍ବଳିତ ଦାବି ପତ୍ର ପରେ ଆନ୍ଦୋଳନ ହଟିଥିଲା ।