ଧନ ବର୍ଷା କରିବ ଧଳା ଘୁଷୁରୀ: ବର୍ଷକରେ ମାଲାମାଲ୍ ହୋଇଯିବେ ଚାଷୀ, ନିଆଳି ଯୁବକଙ୍କ ଚାଷର ନୂଆ ଫଣ୍ଡା ।

1,625

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଚାଷ ଉପରୁ ପ୍ରାୟତଃ ଚାଷୀ ଭାଇମାନେ ମୁହଁ ଫେରାଉଛନ୍ତି । କାରଣ କେତେବେଳେ ବଜାର ଦରର ଅଭାବ ତ ଆଉ କେତେବେଳେ ସରକାର ଉଦାସିନତା ପାଇଁ ଚାଷପ୍ରତି ମନବଳାଉନଥିବା ଅଭିଯୋଗ ହୋଇଆସୁଛି । ହେଲେ କଟକ ଜିଲ୍ଲା ନିଆଳି ବ୍ଲକ ସଡାଶଂ ପଞ୍ଚାୟତର ଦିଲିପ ମହାନ୍ତି ଏମିତି ଏକ ଚାଷ ଉପାୟ ବାହାର କରିଛନ୍ତି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ବାସ୍ତବ । ଘୁଷୁରୀ ପାଇଁ ଲକ୍ଷପତି, ଧଳା ଘୁଷୁରୀ ଚାଷ କରି ବାର୍ଷିକ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦିଲିପ ।

ଦିଲିପ ମହାନ୍ତି ବୟସ ୪୮ ହୋଇଥିଲେ ବି ଚାଷ କ୍ଷେତ୍ରରେ ପୂରା ଫୁର୍ତ୍ତି । କଲେଜ ପାଠ ସମୟରୁ ଚାଷବାସ ପ୍ରତି ଆଗ୍ରହ ରଖିଆସୁଥିବା ଦିଲିପ ୧୪ କୁଟୁମ୍ବଙ୍କ ପେଟ କଥା ବୁଝୁଛନ୍ତି । ୨୦୧୬ରୁ ପ୍ରଥମେ ନିଆଳିରେ ପ୍ରାଚୀ ଆଗ୍ରର ଘୁଷୁରି ଫାର୍ମ କରି ଓ.ୟୁ.ଏ.ଟି.ରୁ ୧୬ଟି ଧଳା ଘୁଷୁରୀ ଆଣି ଚାଷ ଆରମ୍ଭ କରିଥିଲେ । ସେହି ଦିନଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ଏବେ ତାଙ୍କ ଫାର୍ମରେ ଏକ ହଜାର ଘୁଷୁରୀ ରଖିଛନ୍ତି ଦିଲିପ । ବଜାରରେ ଧଳା ଘୁଷୁରି ଚାହିଦା ଥିବାରୁ ଚଳିତବର୍ଷ ଯାଯପୁର କଳିଙ୍ଗ ନଗର ଠାରେ ଆଉ ଏକ ଫାର୍ମ କରି ୨୦୦ ଘୁଷୁରୀ ଚାଷ କରୁଛନ୍ତି ।

ନିଆଳି ମହାବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଛନ୍ତି । ଓ.ୟୁ.ଏ.ଟି.ର ପ୍ରଫେସର ଗୁରୁପ୍ରସାଦ ମହାନ୍ତିଙ୍କ ଠାରୁ ଉନ୍ନତ ମାନର ପ୍ରଶିକ୍ଷଣ ନେଇ ଧଳା ଘୁଷୁରି ଚାଷ କରୁଛନ୍ତି । ଏକା ଥରକେ ଘୁଷୁରୀ ଆଠରୁ ଦଶଟି ଛୁଆ ଦେଇଥାନ୍ତିି । ଅଳ୍ପ ଦାନା ,ଅଈଁଠା ଖାଦ୍ୟ ଖାଇ ଛଅରୁ ସାତ ମାସରେ ୧୦୦ କିଲୋ ବଢିଥାଅନ୍ତି । ଓଡିଶାରେ ପ୍ରଥମେ ଧଳା ଘୁଷୁରି ଚାଷ କରି ରାଜ୍ୟ ତଥା ଦେଶରେ ଦିଲିପ ଓଡିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ପ୍ରତିଦିନ ସକାଳେ ଶ୍ରମିକମାନଙ୍କ ସହ ମିଶି ଘୁଷୁରୀ ମାନଙ୍କୁ ଗାଧୋଇଦେବା ସହ ସେମାନଙ୍କ ଖାଦ୍ୟପାନୀୟ କଥା ବୁଝିଥାନ୍ତି ଦିଲିପ । ଫାର୍ମର ଉତ୍ତାପ ଠାରୁ ଆରମ୍ଭ କରି ବାୟୁ ଚଳାଚଳ ପାଇଁ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ଘୁଷୁରୀ ୩୦ ହଜାରରୁ ୪୦ ହଜାର ଟଙ୍କାରେ ବିକ୍ରି ହେଉଥିବାବେଳେ ପ୍ରତି ମାସରେ ପାରାଦୀପ , କେନ୍ଦ୍ରାପଡା , କଟକ , କଲିକତା , ରାଚିଂ ଲବଂ ଚାଇନାକୁ ଘୁଷୁରୀ ବିକ୍ରୀ ପାଇଁ ପଠାଉଛନ୍ତି ଦିଲିପ । ମାସିକ ୨ଲକ୍ଷ ରୁ ୩ଲକ୍ଷ ରୋଜଗାର କରିରୁଛନ୍ତି । ଚାଷପ୍ରତି ବିମୁଖ ହେଉଥିବା ଯୁବପିଢି ମାନଙ୍କ ପାଇଁ ସଫଳ ଘୁଷୁରୀ ଚାଷୀ ଦିଲିପ ମହାନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।