କନକ ବ୍ୟୁରୋ : ତାମିଲନାଡୁର କୋଏମ୍ବାଟୁରରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ନାଗ । ପ୍ରବଳ ବର୍ଷାରେ ତାମିଲନାଡୁ ବେହାଲ ହୋଇଥିବା ବେଳେ କୋଏମ୍ବାଟୁରରେ ବିରଳ ନାଗ ସାପକୁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । କାରଣ ସାପର ରଙ୍ଗ ସମ୍ପୂର୍ଣ୍ଣ ଧଳା ଥିଲା । ସାଧାରଣତଃ ନାଗ ସାପର ରଙ୍ଗ ହଲୁକା କଳା କିମ୍ବା କଳା ଧୁସରିଆ ହୋଇଥାଏ । କିନ୍ତୁ କୋଏମ୍ବାଟୁରରେ ଦେଖିବାକୁ ମିଳିଥିବା ସାପର ରଙ୍ଗ ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିଲା । ଏହି ଧଳା ରଙ୍ଗର ନାଗ ସାପକୁ ବୈଜ୍ଞାନିକ ଭାଷାରେ ଆଲବିନୋ କୋବ୍ରା ବୋଲି କୁହାଯାଏ । ଏହି ସାପ ଖୁବ୍ କ୍ୱଚିତ୍ ସମୟରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ମୂଷଳ ଧାରାରେ ବର୍ଷା କାରଣରୁ ଏହି ସାପ ନିଜ ଗାତରୁ ବାହାରକୁ ବାଧ୍ୟ ହୋଇଛି ।
ଧଳା ରଙ୍ଗର ସାପ ଦେଖି ସମସ୍ତେ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ତେବେ ୱାଇଲ୍ଡଲାଇଫ ଆଣ୍ଡ ନେଚର କନଜରଭେସନ ଟ୍ରଷ୍ଟର କିଛି ଏକ୍ସପର୍ଟ ଏହି ସାପକୁ ଅତି ସର୍ତକତାର ସହ ଧରି ଜଙ୍ଗଲରେ ଛାଡିଥିଲେ । ୫ ଫୁଟର ଏହି ସାପ ବେଶ ବିଷାକ୍ତ ବୋଲି କହିଛନ୍ତି ଏକ୍ସପର୍ଟ । ଏହି ସାପ ଚୋଟ ମାରିବା ଦ୍ୱାରା ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥାଏ । ତେବେ ଏହି ସାପର ରଙ୍ଗ ଧଳା ହେବା ପଛର କାରଣ ହେଲା ଜେନେଟିକ୍ ସମସ୍ୟା । ଯାହାଦ୍ୱାରା ତ୍ୱଚାରେ ମେଲାନିନ୍ ସୃଷ୍ଟି ହୁଏ ନାହିଁ । ମେଲାନିନ କାରଣରୁ ଭିନ୍ନ ଭିନ୍ନ ତ୍ୱଚା ଦେଖିବାକୁ ମିଳେ । ଯଦି ମେଲାନିନ୍ ଆଦୌ ନଥାଏ ତେବେ ରଙ୍ଗ ଧଳା ହୋଇଥାଏ ।
ଏହି ଅଲବିନୋ ଅଥାର୍ତ ଧଳା ରଙ୍ଗର ଜୀବଙ୍କ ଆଖି ଗୋଲାପୀ ରଙ୍ଗର ହୋଇଥାଏ । ଏମାନଙ୍କୁ ଦେଖିବାରେ ସମସ୍ୟା ହୋଇଥାଏ ନଚେତ ଏମାନେ ଦୃଷ୍ଟିହୀନ ହୋଇଥାନ୍ତି । ଏମାନଙ୍କର ତ୍ୱଚା ସୂର୍ଯ୍ୟଙ୍କ କିରଣକୁ ସହ୍ୟ କରିପାରନ୍ତି ନାହିଁ । ଅଧିକାଂଶ ଜୀବଙ୍କ ପାଇଁ ଅଲବିନୋ ଭାବେ ଜନ୍ମ ନେବା କୌଣସି ମୃତ୍ୟୁ ଠାରୁ ମଧ୍ୟ କମ କଷ୍ଟଦାୟକ ନୁହେଁ । କାରଣ ଧଳା ରଙ୍ଗର ହୋଇଥିବାରୁ ବେଶ ସହଜରେ ଅନ୍ୟ ନଜରକୁ ଏମାନେ ଚାଲି ଆସିଥାନ୍ତି । କୋଏମ୍ବାଟୁରରେ ଯେଉଁ ଧଳା ରଙ୍ଗର ନାଗକୁ ଦେଖିବାକୁ ମିଳିଛି ତାହା ସମ୍ପୂର୍ଣ୍ଣ ବିକଶିତ ହୋଇସାରିଛି । ଏପରିକି ଏହି ସାପ ଉପରେ ଅଲବିନୋର ପ୍ରଭାବ ମଧ୍ୟ ବେଶ କମ ରହିଛି । ଏହି ସାପଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ବେଳେ ବର୍ଷା କାରଣରୁ ବାହାରକୁ ଆସିଥିବା ବିଶେଷଜ୍ଞ କହିଛନ୍ତି ।
ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଧଳା ନାଗକୁ ଧରିବା ବେଶ ଜରୁରୀ ଥିଲା । ଏପରିକି ଏହି ସାପର ଯେପରି କୌଣସି କ୍ଷତି ନହେବ ତାହା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଥିଲା । କାରଣ ଏହା ବେଶ ଦୁଲର୍ଭ ପ୍ରଜାତିର ସାପ । ଯଦି ଏହି ସାପ ଏହାକୁ ଚୋଟ ମାରେ ତେବେ ତାହାର ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ ।ତେଣୁ ଏହି ପ୍ରଜାତିର ସାପକୁ ଧରିବାକୁ ଅଧିକରୁ ଅଧିକ ପ୍ରାକ୍ଟିସ ଓ ଅନୁଭବ ଆବଶ୍ୟକ । କୋଏମ୍ବାଟୁରରେ ଏହି ଧଳା ରଙ୍ଗର ନାଗ ସାପ ଗତ ୩ ମେ’ରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ୨୦୧୯ରେ ମଧ୍ୟ ଏହି ପ୍ରଜାତିର ସାପ କୋଏମ୍ବାଟୁରରେ ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ଏହି ସାପକୁ ବେଶ ସର୍ତକତାର ସହ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/3-20.jpg)