କାଳିଆ ଯୋଜନାରେ ହିତାଧିକାରୀଙ୍କୁ ମାରିଦେଲା ବ୍ୟବସ୍ଥା । ଚାଷୀ ଜଣଙ୍କ ଜୀବିତ ଥିବା ବେଳେ, କାଳିଆ ଯୋଜନାରେ ଦର୍ଶାଯାଇଛି ମୃତ ।

139

କନକ ବ୍ୟୁରୋ: ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଦେବା ବଦଳରେ ଚାଷୀଙ୍କୁ ମାରି ଦିଆଯାଉଛି । ଚାଷୀଙ୍କୁ ମୃତ ଦର୍ଶାଇ କାଳିଆ ଯୋଜନା ହିତାଧିକାରୀ ତାଲିକାରୁ ନାଁ କାଟି ଦିଆଯାଇଛି । ଫଳରେ ପ୍ରଥମ କସ୍ତି ଟଙ୍କା ପାଇଥିବା ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିନାହିଁ । ଆଉ କାହିଁକି କାଳିଆ ଟଙ୍କା ମିଳୁନାହିଁ ବୋଲି ଖୋଳତାଡ କରିବାକୁ ସାମ୍ନାକୁ ଆସିଛି ସରକାରୀ ବ୍ୟବସ୍ଥାର ଅସଲ ଚିତ୍ର ।

କାଳିଆ ଯୋଜନା ପାଇଁ ଜୀବିତ ଚାଷୀକୁ ମାରିଦେଲା ପ୍ରଶାସନ ଓ ସରକାରୀ ବ୍ୟବସ୍ଥା । ଯେଉଁ ଚାଷୀ କାଳିଆ ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, ପରବର୍ତୀ ସମୟରେ ତାଙ୍କୁ ଅନଲାଇନରେ ମୃତ ଘୋଷଣା କରିଛି କୃଷି ବିଭାଗ । ଏହା ଜାଣିବା ପରେ ଚାଷୀ ଜଣକ ଭାଙ୍ଗି ପଡିଛନ୍ତି । ତେବେ ସରକାରୀ ଘୋଷଣା ଓ ବାସ୍ତବ ବ୍ୟବସ୍ଥା କିପରି କାର୍ଯ୍ୟକ୍ଷମ ହେଉଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ବରୀ ଅଞ୍ଚଳରେ ।

ବରୀ ବ୍ଲକ ଅଙ୍ଗାଳ ପଞ୍ଚାୟତର ନିରଞ୍ଜନ ଜେନା । ଚାଷ ହେଉଛି ତାଙ୍କର ମୁଖ୍ୟ ବେଉସା । ତେବେ କାଳିଆ ଯୋଜନାରେ ନିରଞ୍ଜନଙ୍କୁ ପ୍ରଥମ କିସ୍ତି ଟଙ୍କା ପାଇଥିବା ବେଳେ ଦ୍ୱିତୀୟ କିସ୍ତି ଟଙ୍କା ମିଳିନଥିଲା । କାହିଁକି ଦ୍ୱିତୀୟ କିସ୍ତି ଟଙ୍କା ମିଳିନାହିଁ ବୋଲି ସେ କୃଷକ ସାଥୀଙ୍କୁ ଜଣାଇଥିଲେ । ପରେ ଅନଲାଇନ ମାଧ୍ୟମରେ ଜଣାପଡିଛି ସରକାରୀ ଖାତାରେ ଚାଷୀ ନିରଞ୍ଜନଙ୍କୁ ମୃତ ଦର୍ଶାଯାଇଛି । ତେବେ ଜୀବିତ ଚାଷୀଙ୍କୁ ମୃତ ଦର୍ଶା ଯାଇଥିବା ବେଳେ ନ୍ୟାୟ ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କୁ ଜଣାଇ ନିରାଶ ହୋଇଛନ୍ତି ନିରଞ୍ଜନ । ଅନ୍ୟପଟେ କିଏ ଜୀବିତ ଚାଷୀଙ୍କୁ ସରକାରୀ ରେକର୍ଡରେ ହତ୍ୟା କରିଛି ତାହାର ତଦନ୍ତ ଦାବି କରିଛନ୍ତି ଚାଷୀଙ୍କ ସଂର୍ପକୀୟ ।