ସ୍କୁଟିରେ କଲେଜ ଯାଉଥିବା ବେଳେ ଓଭରବ୍ରିଜରେ ମାଡ଼ିଗଲା ଟ୍ରକ । ଓୟୁଟିଆରର ବି-ଟେକ୍ ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ମୃତ୍ୟୁ । ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼

4,974

କନକ ବ୍ୟୁରୋ: ସବୁଦିନ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବାଣୀବିହାରରୁ ହଂସପାଳ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇଥାଏ । କଲେଜ ଓ ଅଫିସ ଟାଇମ ହୋଇଥିବାରୁ ରାସ୍ତାରେ ଭିଡ ହୋଇଥାଏ । ଆଜି ବି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏହି ରାସ୍ତାରେ ଟ୍ରାଫିକ୍ ଜାମ ହୋଇଥିଲା କିନ୍ତୁ ଟ୍ରାଫିକ୍ ଜାମର କାରଣ ଥିଲା ଭିନ୍ନ । ବାଣୀବିହାର ଓଭର ବ୍ରିଜରେ ଜଣେ ଛାତ୍ର ଉପରେ ମାଡି ଯାଇଥିଲା ଟ୍ରକ୍ । ଆଉ ଦୁର୍ଘଟଣା ପରେ ଯେଉଁ ଦୁଃଖ କାହାଣୀ ସାମନାକୁ ଆସିଥିଲା, ତାହା ଛାତିକୁ ଥରାଇ ଦେଇଥିଲା ।

ଭୁବନେଶ୍ୱର ବାଣୀବିହାର ଓଭରବିଜ୍ର ଉପରେ ପଡିଥିଲା ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ପାଖରେ ପଡିଥିଲା ଏକ ସ୍କୁଟି ଓ ଭଙ୍ଗା ମୋବାଇଲ । ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ବାଟରେ ଯାଉଥିବା ଲୋକ । ଅଟକି ଯାଇଥିଲା ଶହ ଶହ ସଂଖ୍ୟାରେ ଗାଡ଼ି ।

ସକାଳ ପ୍ରାୟ ସାଢ଼େ ୯ଟା

ସ୍ଥାନ- ବାଣୀବିହାର ଓଭରବ୍ରିଜ

ପ୍ରତ୍ୟୁତପର୍ଣ୍ଣ ଦାସ ଓରଫ ଶିବୁନ । ଓୟୁଟିଆରର ବିଟେକ୍ ଇଲେକଟ୍ରୋନିକ୍ସ ଇଂଜିନିୟରିଂ ବିଭାଗର ପ୍ରଥମ ବର୍ଷର ଛାତ୍ର । ଜିଜିପି କଲୋନୀରେ ରହୁଥିବା ଶିବୁନ୍ ଘରୁ ବାହାରି କଲେଜ ଯାଉଥିଲେ । ଅନ୍ୟ ଦିନମାନଙ୍କ ଭଳି ଆଜି ବି ସ୍କୁଟି ଚଳାଇ ରସୁଲଗଡ ପଟୁ ଯାଉଥିବା ବେଳେ ବାଣୀବିହାର ଓଭରବ୍ରିଜ ନିକଟରେ ଯିବା ସମୟରେ ଅଚାନକ ପଛରୁ ଧକା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ତଳେ ପଡିଯାଇଥିଲେ ଶିବୁନ । ଆଉ ତାଙ୍କ ଉପରେ ମାଡି ଯାଇଥିଲା ଗାଡିର ଚକ ।

ପାଠପଢ଼ାରେ ମେଧାବୀ ଥିଲେ ଶିବୁନ୍ । ଗତ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଜନ୍ମଦିନରେ ବେଶ୍ ଖୁସି ମନାଇଥିଲେ । ଛାଡଖାଇ ପାଇଁ ଶୀଘ୍ର ଘରକୁ ଫେରିବେ କହି କଲେଜ ବାହାରି ଯାଇଥିଲେ । କିନ୍ତୁ ବାଟରେ ଛକିଥିଲା ମୃତ୍ୟୁର ଟ୍ରକ ।

ତେବେ ଟ୍ରକ ମାଡିଯିବାରୁ ଜଣେ ମେଧାବୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପରିବାର ଉପରେ ଓଜାଡି ହୋଇ ପଡିଛି ଦୁଃଖର ପାହାଡ଼ । ବାପା ପ୍ରଦତ କୁମାର ଦାସ, ବାହାରେ ରୁହନ୍ତି । ପୁଅର ମୃତ୍ୟୁ ଖବର ପାଇବା ପରେ ମାଆ ଅନ୍ନପୂର୍ଣ୍ଣା ଦାସ ବାରମ୍ବାର ବେହୋସ ହୋଇ ପଡୁଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ଟ୍ରକ ଡ୍ରାଇଭର ଥାନାରେ ଅଟକ ରହିଛି । ହେଲେ ଏବେ ପ୍ରଶ୍ନ ଉଠୁଛି….

  • ରାସ୍ତା ଉପରେ ମୃତ୍ୟୁରୁ କେବେ ମିଳିବ ମୁକ୍ତି?
  • କେବେ ବନ୍ଦ ହେବ ବିପଜ୍ଜନକ ଗାଡ଼ି ଚାଳନା?

ନଜର ପକାନ୍ତୁ, ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ତଥ୍ୟ ଉପରେ…

  • ଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଯାଇଛି ୨୫,୯୩୪ ଜୀବନ
  • ଆହତ ହୋଇଛନ୍ତି ୫୧,୮୭୩
  • ୨୦୨୨ରେ ସର୍ବାଧିକ ୫,୪୬୭ ବ୍ୟକ୍ତିଙ୍କ ମୃତ୍ୟୁ
  • ପ୍ରତିଦିନ ରାଜ୍ୟରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହେଉଛି