କନକ ବ୍ୟୁରୋ :  ଗୋଟିଏ ପଟେ ପୁଣିଥରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏସବୁ ଭିତରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟିକା ।

Advertisment

ସ୍କୁଲ, କଲେଜ ଖୋଲି ଯାଇଥିବାରୁ ପିଲାଙ୍କୁ ଟିକା ପ୍ରଦାନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିସହ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଟିକାକୁ ୧୨ରୁ ଅଧିକ ବୟସର ପିଲାଙ୍କୁ ଦେବାକୁ ଅନୁମତି ମିଳିଛି ।  ଏହାବାଦ୍ ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ କେର୍ବେଭାକ୍ସ ଟିକାକୁ ଅନୁମତି ମିଳିଛି । ଏନେଇ ଡିସିଜିଆଇ ଅନୁମତି ଦେଇଛି ।

ଏସବୁ ଭିତରେ  ଆଜି ଦେଶରେ ୨୪୮୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସମୀକ୍ଷା କରିବେ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମସ୍ୟା ସମାଧାନ ଦିଗରେ ପ୍ରଧାନମନ୍ତ୍ରୀ ଆଲୋନଚା କରିବେ ।

କରୋନା ଏବେ କାୟା ବିସ୍ତାର କରୁଥିବା ବେଳେ ଦେଶରେ ମଧ୍ୟ କରୋନାର ଗ୍ରାଫ୍ ଏବେ ଉପରମୁହାଁ ହୋଇଛି । ଖାସକରି କୁନି ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ କରୋନା ବିପକ୍ଷ ଲଢେଇକୁ ଉଚିତ୍ ଢଙ୍ଗରେ ମୁକାବିଲା କରାଯାଇପାରିବ ।