ଆଇଏଏସ୍ ପରୀକ୍ଷାରେ କ’ଣ ପଚାରା ଯାଇଥିଲା ପ୍ରଶ୍ନ? କିପରି ଉତର ଦେଇଥିଲେ କୃତି ପରୀକ୍ଷାର୍ଥୀ, କନକ ନ୍ୟୁଜ ଆଗରେ ବଖାଣିଲେ ସିଭିଲ ସର୍ଭିସର ଜଟିଳ ପ୍ରଶ୍ନ ଓ ସେମାନେ ରଖିଥିବା ସରଳ ଉତ୍ତର । 

2,418

କନକ ବ୍ୟୁରୋ: ୨୦୧୯ ୟୁପିଏସସି ପରୀକ୍ଷାର ଚାଲିଥିଲା ମୌଖିକ ପ୍ରଶ୍ନୋତର । ଇଏ ହେଉଛି ତାର ଏକ ସାଙ୍କେତିକ ଚିତ୍ର । ଦେଖନ୍ତୁ ଟପ-୧୦ରେ ସ୍ଥାନ ପାଇଥିବା ଓଡିଆ ଝିଅ ସଂଜିତାଙ୍କୁ କଣ ପ୍ରଶ୍ନ ପଚରାଯାଇଥିଲା ଓ ସେ କ’ଣ ଉତର ରଖିଥିଲେ ।

ଏତେ ନିୟମ କାନୁନ ଥିବା ସତ୍ୱେ ଶିଶୁ ଶ୍ରମିକଙ୍କ ଉପରେ ରୋକ ଲାଗୁନାହିଁ କାହିଁକି ? ଆଇନକୁ ଅଧିକ କଡାକଡି କରିବା ଆବଶ୍ୟକ ଅଛି କି ?

ଉତ୍ତର-ଶିଶୁ ଶ୍ରମିକର ମୂଳ ସମସ୍ୟା ହେଉଛି ଦାରିଦ୍ର୍ୟ । ତେଣୁ ପ୍ରଥମେ ଦାରିଦ୍ର୍ୟର ସମାଧାନ କରିବାକୁ ପଡିବ । ରୋଜଗାର ବଢିଲେ, ପିଲାମାନେ ପାଠ ପଢିବେ ଏବଂ ଶିଶୁ ଶ୍ରମିକର ମୂଳତ୍ପାଟନ କରିହେବ ।

ପ୍ରଶ୍ନ-୨ ଓଡିଶାରେ ମହିଳାଙ୍କ ସ୍ଥିତି କଣ ?

ଉତର- ଓଡିଶାରେ ମହିଳାଙ୍କ ପାଇଁ ବହୁତ ସୁବିଧା ରହିଛି । ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ହୋଇଛି । ପଂଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ରହିଛି । ମହିଳାଙ୍କୁ ସଶକ୍ତ କରିବାରେ ମିଶନ ଶକ୍ତି ଏକ ବହୁତ ବଡ ପ୍ଲାଟଫର୍ମ ହୋଇଛି ।

ପୁରୀକୁ ବିଶ୍ୱ ପର୍ଯ୍ୟଟକଙ୍କ ଗନ୍ତବ୍ୟସ୍ଥଳ କରାଯାଇପାରିବ କି ?

ଉତ୍ତର- ପୁରୀ ଅତି ସୁନ୍ଦର ହୋଇସାରିଲାଣି । ଜବରଦଖଲ ଉଚ୍ଛେଦ କରାଯାଇ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମ ଆଗେଇଚାଲିଛି । ଯଦି କିଛି ଦରକାର ଅଛି ତା ହେଉଛି ପୁରୀକୁ ବିମାନ ଉଡାଣ । ଏ ଦିଗରେ କିଛି ପଦେକ୍ଷପ ନିଆଯିବା ଜରୁରୀ । ତେବେ ଯାଇ ବିଶ୍ୱ ପର୍ଯ୍ୟଟକଙ୍କ ଗନ୍ତବ୍ୟସ୍ଥଳ କରାଯାଇପାରିବ ।

କୋଭିଡ ସମୟରେ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଗଲେ କଣ କରିବେ ?

ଉତ୍ତର-ମହାମାରିର ମୁକାବିଲା ପାଇଁ ଓଡିଶା ସରକାର ଆଗୁଆ ଅନେକ ପଦକ୍ଷେପ ନେଇସାରିଛନ୍ତି । ମୁଁ ଦାୟିତ୍ୱ ନେଲେ ଭିତିଭୂମିକୁ ଅଧିକ ଗୁରୁତ୍ୱ ଦେବି ।  ସଂଗରୋଧ କେନ୍ଦ୍ର ଅଧିକ କାର୍ଯ୍ୟକାରୀ କରିବି । କୋଭିଡ କାର୍ଯ୍ୟକର୍ତାଙ୍କୁ ଅଧିକ ସୁବିଧା ଯୋଗାଇବି । ପ୍ରାଥମିକ ଆବଶ୍ୟକତାକୁ ପୂରଣ କରିବି ।

ପ୍ରଶ୍ନ-୧ ବ୍ରହ୍ମପୁତ୍ର ନଦୀର ଭଲ ଏବଂ ଖରାପ ଦିଗ ଟି କଣ?

ଉତ୍ତର-ଭଲ ଦିଗଟି ହେଲା ଏହା ପ୍ରାକୃତିକ ସମ୍ପଦ , କାରଣ ଏହାର ପାଣିକୁ ବ୍ୟବହାର କରାଯାଏ । ଏଥିରୁ ଜଳ ବିଦ୍ୟୁତ ଉତ୍ପାଦନ ହୁଏ । ମତ୍ସ୍ୟଜୀବୀଙ୍କୁ ଏହା ଜୀବିକା ଯୋଗାଇଥାଏ । ଖରାପ ଦିଗଟି ହେଲା ଏହା ଯୋଗୁଁ ବନ୍ୟା ଆସେ । ଯୋଗାଯୋଗ ଏବଂ ପରିବହନ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୁଏ ।

ପ୍ରଶ୍ନ-୨ କେବିକେରେ ଶିଳ୍ପାୟନକୁ ବିରୋଧ ବେଳେ କଣ କରାଯାଇପାରିବ ?

ଉତ୍ତର- ସ୍ଥାୟୀ ବିକାଶ, ପରିବେଶ ସମସ୍ୟାର ସମାଧାନ, ଆଦିବାସୀଙ୍କ ଅଧିକାରକୁ ବୁଝିବାକୁ ପଡିବ ।

ଜବରଦସ୍ତ ସେମାନଙ୍କୁ ବିତାଡିତ କରାଯାଇପାରିବ ନାହିଁ । ଆଦିବାସୀମାନଙ୍କୁ ଅଂଶିଦାର ଧାରକ ଭାବେ ପରିଗଣିତ କରି ଶିଳ୍ପାୟନ କରିହେବ ।

ପ୍ରଶ୍ନ-୩ ଭାରତରେ ବୈଦିକ ଗଣିତର ପ୍ରାସଙ୍ଗିକତା କଣ ରହିଛି?

ଉତ୍ତର- ଏହା ଆମ ସଂସ୍କୃତିର ଅଂଶବିଶେଷ । ଅତିତରେ ଯେଉଁ ଯଜ୍ଞକୁଣ୍ଡ ତିଆରି ହେଉଥିଲା ତାର ନିର୍ଦ୍ଦିଷ୍ଟ ମାପ ରହୁଥିଲା । ସେସବୁ ବୈଦିକ ଗଣିତ ଆଧାରରେ ଚାଲିଥିଲା । ଆମେ ତାକୁ ମନେରଖିବା ଉଚିତ କାରଣ ଆଗକୁ ଏହାର ବ୍ୟବହାର ଆସିବାକୁ ଯାଉଛି । ଏଥସିହ ଶୂନର ବ୍ୟବହାର ଭାରତରୁ ଆସିଥିବାରୁ ଆମେ ଏହାକୁ ନେଇ ଉତ୍ସବ ମନେଇବା ଦରକାର ।

ପ୍ରଶ୍ନ-୪ ପରିବହନ ଏବଂ ସୁରକ୍ଷାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କଣ ?

ଉତ୍ତର- ଇଟେଲିଜେଂଟ ଟ୍ରାଫିକ ମ୍ୟାନେଜମେଂଟ ବ୍ୟବସ୍ଥାରେ ଏହାକୁ ବ୍ୟବହାର କରି ଟ୍ରାଫିକ ଅନୁସାରେ ଲାଇଟ ବ୍ୟବସ୍ଥାକୁ ପରିଚାଳନା କରିହେବ । ସହର ଭିତରେ ବସ ନେଟୱାର୍କକୁ ମଧ୍ୟ ପରିଚାଳନା କରିହେବ । ସୀମା ସୁରକ୍ଷା କ୍ଷେତ୍ରରେ ବିପଦ ଜାଣିହେବ । ଅନୁପ୍ରବେଶକୁ ବିଚାର କରାଯାଇପାରିବ । ଏଥିସହ ପୋଲିସ ଆଧୁନିକିକରଣ କରାଯାଇପାରିବ ।

Comments are closed.