କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ସରକାର । ସାରା ଦେଶରେ ୪ଟି ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଓଡିଶାରେ ଜୁନ୍ ୩୦ ଯାଏଁ ଆହୁରି କଡାକଡି ହୋଇଛି କଟକଣା । କାରଣ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢାଇ ଚାଲିଛି । ଆଉ ଏହାରି ଭିତରେ ରାଜ୍ୟରୁ ଆସିଥିବା କରୋନାର ପ୍ରକାର ଜାଣିବାକୁ ପ୍ରୟାସ ଚଳାଇଛି ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ- ଆଇଏଲଏସ । ସଂସ୍ଥାର ନିର୍ଦ୍ଦେଶକ ଅଜୟ ପରିଡା କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି ।

Advertisment

ଆଇଏଲଏସ କରୁଛି ପରୀକ୍ଷା
- ଓଡିଶାରେ ଚାଲିଛି ଭାଇରାଲ ଜିନୋମ ଆନାଲିସିସ୍
- କରୋନା ଆକ୍ରାନ୍ତଙ୍କଠାରୁ ନମୂନା ନେଇ ଚାଲିଛି ପରୀକ୍ଷା
- ଭୂତାଣୁର ପ୍ରକାର ଜାଣିବାକୁ ହେଉଛି ଜିନୋମ ଆନାଲିସିସ୍
- ଜଣାପଡିବ କେଉଁ ପ୍ରକାର ଭୂତାଣୁ ଓ କେଉଁଠୁ ଆସିଛି?
- ଭୂତାଣୁ ଷ୍ଟ୍ରେନରେ କୌଣସି ଫରକ ଅଛି ନା ନାହିଁ?
- ରାଜ୍ୟରେ ଏହି କରୋନା ଭୂତାଣୁ କେତେ ସଂକ୍ରାମକ?

ମାର୍ଚ୍ଚ, ଏପ୍ରିଲ ତୁଳନାରେ ମେ ମାସରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିଛି । ତାଲାବନ୍ଦର ୪ଟି ପର୍ଯ୍ୟାୟ ପରେ ଧିରେ ଧିରେ ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ବହୁ କୋହଳ କରାଯାଇଛି । ଫଳରେ ବିଭିନ୍ନ ଲୋକଙ୍କ ଗମନାଗମନ ବଢିଛି । ଆଉ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ପ୍ରତିଶତ ବ୍ୟକ୍ତି ରାଜ୍ୟ ବାହାରୁ ଆସିଥିବା ସ୍ପଷ୍ଟ ହୋଇଛି । ପ୍ରବାସୀଙ୍କ ତୁଳନାରେ ସ୍ଥାନୀୟ ସଂକ୍ରମଣର ହାର ଢେର କମ୍ ରହିଛି । ଦେଶରେ କରୋନାର ସମୂହ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ବିଶେଷଜ୍ଞ ମାନେ ମତ ରଖୁଛନ୍ତି । ହେଲେ ଓଡିଶାରେ ଗୋଷ୍ଠୀ ବା ସମୂହ ସଂକ୍ରମଣ ଆରମ୍ଭ ହୋଇନଥିବା କହିଛନ୍ତି ଆଇଏଲଏସର ନିର୍ଦ୍ଦେଶକ ।

ବର୍ତମାନ ଓଡିଶାରେ ୯୫ ପ୍ରତିଶତ ଆକ୍ରାନ୍ତ କ୍ୱାରେନ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହେଉଥିବା ବେଳେ ୫ ପ୍ରତିଶତ ସ୍ଥାନୀୟ ଲୋକ ଚିହ୍ନଟ ହେଉଛନ୍ତି । ତଥାପି ଜୁନ ମାସକୁ ଗୁରୁତ୍ୱପୂର୍ଣ୍ଣ ମନେକରି ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ସରକାରୀ ନିୟମକୁ ମାନିବା ସହ ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା ଓ ହ୍ୟାଣ୍ଡ ସାନିଟାଇଜ କରିବା ଭଳି ସୁରକ୍ଷା ଉପାୟ ଗୁଡକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।