ଆଇପିଏଲ ମହାନିଲାମୀ : କେଉଁ ଦଳ କାହାକୁ ରଖିବେ, କାହାକୁ ଛାଡିବେ? ଧୋନୀଙ୍କୁ ନେଇ ଚେନ୍ନାଇ ନେଇପାରେ ବଡ ନିଷ୍ପତ୍ତି?

493

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ଆଇପିଏଲ ଶେଷ ହୋଇଥିବା ବେଳେ ଏବେ ପୁଣିଥରେ ଆଇପିଏଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଆଇପିଏଲରେ ଦୁଇଟି ନୂଆ ଟିମ୍ ଯୋଡି ହୋଇଥିବା ବେଳେ ଚଳିତଥର ମହାନିଲାମୀ ହେବାକୁ ଯାଉଛି । ତେବେ ମହାନିଲାମୀ ପୂର୍ବରୁ ପ୍ରତ୍ୟେକ ଦଳ କେଉଁ ୪ ଜଣ ଖେଳାଳୀଙ୍କୁ ରିଟେନ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ପୁରୁଣା ୮ଟି ଦଳ ପାଖରେ ୪ ଜଣ ଲେଖାଏଁ ଖେଳାଳୀଙ୍କୁ ରିଟେନ କରିବାର ସୁଯୋଗ ରହିଛି । ଏସବୁ ଭିତରେ ଚାମ୍ପିୟନ ଚେନ୍ନାଇ ପୁଣିଥରେ ଧୋନୀଙ୍କୁ ରିଟେନ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ ଗତ କିଛିଦିନ ପୂର୍ବେ ଧୋନୀ ଯେଉଁ ବୟାନ ଦେଇଥିଲେ ସେଥିରୁ ସଂକେତ ମିଳିଥିଲା ଯେ ଦଳ ତାଙ୍କୁ ଆଗାମୀ ଆଇପିଏଲ ସିଜିନ ପାଇଁ ରିଟେନ କରିବ । କାରଣ ଧୋନୀ କହିଛନ୍ତି ଚେନ୍ନାଇରେ ହିଁ ଶେଷ ଟି-୨୦ ମ୍ୟାଚ୍ ଖେଳିବେ । ଚେନ୍ନାଇକୁ ଚାମ୍ପିୟନ କରିବା ପଛରେ ଧୋନୀଙ୍କର ବଡ ଅବଦାନ ରହିଛି । ଧୋନୀଙ୍କ ଅଧିନାୟକତ୍ୱରେ ହିଁ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି । ତେଣୁ ଧୋନୀଙ୍କୁ ଏତେ ସହଜରେ ଛାଡିବାକୁ ଚାହୁଁନାହିଁ ଦଳ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ ଆସନ୍ତା ଆଇପିଏଲ ସିଜିନ ପାଇଁ ଧୋନୀଙ୍କୁ ରିଟେନ କରିପାରେ । ଧୋନୀଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ, ରବୀନ୍ଦ୍ର ଜାଡେଜା ଓ ମୋଇନ ଅଲ୍ଲୀଙ୍କୁ ରିଟେନ କରିପାରେ ଚେନ୍ନାଇ । ମୋଇନ ଅଲ୍ଲୀଙ୍କ ସ୍ଥାନରେ ସାମ କୁରାନଙ୍କୁ ମଧ୍ୟ ଦଳ ରିଟେନ କରିବାର ସମ୍ଭାବନା ଥିବା କୁହାଯାଉଛି । ତେବେ ରୈନାଙ୍କୁ ଆଉ ଦଳ ରିଟେନ କରିବାର ସେଭଳି ସଂକେତ ମିଳିନାହିଁ ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରିପାରେ । ଯେହେତୁ ରିଷଭ ପନ୍ତଙ୍କୁ ଦଳ ଅଧିନାୟକ ଦାୟିତ୍ୱ ଦେଇଛି ତେଣୁ ଶ୍ରେୟସ ଆୟରଙ୍କୁ ଦଳ ରିଲିଜ କରିବାର ସମ୍ଭାବନା ଅଧିକ ରହିଛି । ରିଷଭ ପନ୍ତଙ୍କ ସହ ପୃଥ୍ୱୀ ଶ, ଅକ୍ଷର ପଟେଲ ଓ ନୋକିଆଙ୍କୁ ଦଳ ରିଟେନ କରିପାରେ ।

ନଭେମ୍ବର ୩୦ ମଧ୍ୟରେ ପୁରୁଣା ଦଳ ରିଟେନ ତାଲିକା ପ୍ରଦାନ କରିବେ । ରିଟେନ ପ୍ରକ୍ରିୟା ପୂରା ହେବା ପରେ ଆସନ୍ତାମାସରେ ମେଗା ନିଲାମୀ ହେବ । ଯେଉଁ ନିଲାମୀରେ ଦୁଇ ନୂଆ ଦଳ ଅହମ୍ମଦାବାଦ ଓ ଲକ୍ଷ୍ନୌ ମଧ୍ୟ ସାମିଲ ହେବେ । ଚର୍ଚ୍ଚା ଅନୁଯାୟୀ ପଞ୍ଜାବ ଦଳର ଅଧିନାୟକ ଥିବା କେ.ଏଲ ରାହୁଲ ଲକ୍ଷ୍ନୌ ଟିମର ମଙ୍ଗ ଧରିପାରନ୍ତି । ସେହିପରି ରୈନାଙ୍କୁ ମଧ୍ୟ ନୂଆ ଦଳରେ ଦେଖିବାକୁ ମିଳିପାରେ । ସେହିଭଳି ସର୍ବାଧିକ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସହ ଯଶପ୍ରୀତ ବୁମରା, ଇଶାନ କିଶନଙ୍କୁ ରିଟେନ କରିପାରେ । ପୋଲାର୍ଡଙ୍କୁ ରିଟେନ କରିବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି । ଏହାବାଦ୍ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ମହାନିଲାମୀରେ ପୁଣିଥରେ କିଣିବାକୁ ଦଳ ଉଦ୍ୟମ କରିପାରେ । ତେଣୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ଦଳ ରିଟେନ କରିବା ବଦଳରେ ରିଲିଜ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

ସେହିଭଳି କୋଲକାତା ନାଇଟ ରାଇଡର୍ସ ଦୁଇ କାରବିଆନ ଖେଳାଳୀ ସୁନୀଏ ନାରାୟଣ ଓ ଆନ୍ଦ୍ରେ ରସେଲଙ୍କୁ ଦଳରେ ରିଟେନ କରି ରଖିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିଭଳି ଭାରତୀୟ ଖେଳାଳୀ ଭାବେ ଭେଙ୍କଟେଶ ଆୟର ଓ ଶୁଭମାନ ଗିଲଙ୍କୁ ନେଇ ବଡ ନିଷ୍ପତ୍ତି ନେଇପାରେ ଦଳ । ସେହିଭଳି ବାଙ୍ଗାଲୋର କୋହଲି, ମ୍ୟାକ୍ସୱେଲ, ଚହଲଙ୍କୁ ରିଟେନ କରିପାରେ । ଯେହେତୁ ଡିଭିଲିୟର୍ସ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି ତେଣୁ ଆଉ ଜଣେ ବ୍ୟାଟରଙ୍କୁ ରିଟେନ କରିପାରେ ଦଳ । ଆଉ ଏହି ରେସରେ ଦେବଦତ୍ତ ପାଡିକଲଙ୍କ ନାଁ ସବୁଠୁ ଆଗରେ ରହିଛି । ଏହାବାଦ୍ ହାଇଦ୍ରାବାଦ ରସିଦ ଖାନଙ୍କୁ ରିଟେନ କରିବାର ସମ୍ଭାବନା ଅଧିକ ରହିଛି । ସେହିଭଳି ରାଜସ୍ଥାନ କାହାକୁ ରିଟେନ କରିବ ସେନେଇ କୌଣସି ସଂକେତ ମିଳିନାହିଁ । କାରଣ ଦଳରେ ବିସ୍ଫୋରକ ବିଦେଶୀ ଖେଳାଳୀ ରହିଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କାହା ନାଁରେ ରାଜସ୍ଥାନ ମୋହର ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ୨ଟି ନୂଆ ଟିମ୍ ସହ ୨୦୨୨ ଆଇପିଏଲ ଭାରତରେ ଖେଳାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ।