ଭାରତ ସହ କିଏ ଖେଳିବ ସେମିଫାଇନାଲ, ରେସରେ ୩ ଦଳ ।  ଜାଣନ୍ତୁ କଣ ରହିଛି ସମୀକରଣ?

1,989

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନ ପରାଜିତ ହେବା ପରେ ବିଶ୍ୱକପରେ ୩ଟି ଟିମ୍ ସେମିଫାଇନାଲ ଟିକେଟ ହାତେଇ ସାରିଛନ୍ତି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଟିକେଟ ହାତେଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ଖେଳାଯିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଭାରତ ସହ କିଏ ସେମିଫାଇନାଲ ମୁକାବିଲା ଖେଳିବ ତାହା ଉପରେ ସଭିଙ୍କର ନଜର ରହିଛି । କାରଣ ଚତୁର୍ଥ ସେମିଫାଇନାଲିଷ୍ଟ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଚତୁର୍ଥ ଦଳ ଭାବେ ସେମିଫାଇନାଲ ଟିକେଟ ହାତେଇବାକୁ ରେସରେ ୩ଟି ଦଳ ରହିଛନ୍ତି । ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ପାକିସ୍ତାନ ଏବେ ସେମିଫାଇନାଲ ପହଞ୍ଚିବାକୁ ଯଥାସାଧ୍ୟ ଉଦ୍ୟମ କରିବେ । ଏହି ୩ ଦଳ ମଧ୍ୟରୁ ଯେଉଁ ଦଳ ସେମିଫାଇନାଲ ଟିକେଟ ହାତେଇବ ସେହି ଦଳ ଭାରତ ବିପକ୍ଷରେ ସେମିଫାଇନାଲ ମୁକାବିଲା ଖେଳିବ ।

ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ତେବେ ୩ ଦଳ ମଧ୍ୟରୁ କେଉଁ ଦଳ ସେମିଫାଇନାଲ ଖେଳିବ ତାହା ଏବେ ସସପେନ୍ସରେ ରହିଛି । କାରଣ ୩ଟି ଟିମ୍ ହାତରେ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ରହିଛି । ତେଣୁ ପ୍ରତି ମ୍ୟାଚର ଫଳାଫଳ ପରେ ବଦଳିବ ସେମିଫାଇନାଲ ସମୀକରଣ ।  ୯ ତାରିଖରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ କିୱି ଦଳ । କାରଣ ନ୍ୟୁଜିଲାଣ୍ଡର ରନରେଟ୍ ଅନ୍ୟ ୨ ଦଳ ଠାରୁ ବେଶ ଭଲ ରହିଛି । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ । ୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ଦକ୍ଷିଣ ଆଫ୍ରିକାକୁ ଆଫଗାନିସ୍ତାନ ବଡ ବ୍ୟବଧାନରେ ନହରାଇଲେ ରନ୍ ରେଟରେ ବହୁତ ପଛୁଆ ରହିବ । ଏଭଳି ସ୍ଥିତିରେ ପାକିସ୍ତାନ ଯଦି ଇଂଲଣ୍ଡକୁ ପରାଜିତ କରୁଛି ତେବେ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ ।

ଅନ୍ୟ ଏକ ସମୀକରଣ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷରେ ଯଦି ନ୍ୟୁଜିଲାଣ୍ଡ ବିଜୟୀ ହେଉଛି ତେବେ ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ ହେବା ନିଶ୍ଚିତ । କାରଣ ରନ୍ ରେଟ ହିସାବରେ ପାକିସ୍ତାନ ଓ ଆଫଗାନିସ୍ତାନ ଠାରୁ ଯଥେଷ୍ଟ ଆଗରେ ରହିଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଯଦି ଏକ ରନରେ ବିଜୟୀ ହୁଏ ତେବେ ମଧ୍ୟ ପାକିସ୍ତାନ ପାଇଁ କଡା ଚ୍ୟାଲେଞ୍ଜ ରହିବ । ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡର ରନ୍ ରେଟକୁ ଅତିକ୍ରମ କରିବାକୁ ହେଲେ ପାକିସ୍ତାନକୁ ୧୩୧ ରନର ବଡ ବ୍ୟବଧାନରେ ଇଂଲଣ୍ଡକୁ ମାତ୍ ଦେବାକୁ ହେବ । ଯାହା ବାବର ଆଜମଙ୍କ ଟିମ୍ ପାଇଁ ବେଶ କଷ୍ଟକର ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିଜୟୀ ହେଲେ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ ହେବ । କାରଣ ରନରେଟରେ ଢେର ପଛୁଆ ରହିଛି ଆଫଗାନିସ୍ତାନ । ତେଣୁ ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନର ପରାଜୟ ହେଲେ ହିଁ ଦକ୍ଷିଣ ଆଫ୍ରିକାକୁ ହରାଇ ଆଫଗାନିସ୍ତାନ ସେମିଫାଇନାଲ ଟିକେଟ ହାତେଇପାରିବ ।