କେଉଁ ସିଲାବସ୍‌ରେ ପଢ଼ିବେ ପିଲା ? ପିଲାଙ୍କ ଶିକ୍ଷାଦାନକୁ ନେଇ ଦ୍ବନ୍ଦ୍ବରେ ଅଭିଭାବକ

200

କନକ ବ୍ୟୁରୋ :  ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ପଦୋନ୍ନତି ଦିଆଯାଇଛି। ୯ମ ଓ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ବି ସେହି ସମାନ ବ୍ୟବସ୍ଥା ଅପଣାଯାଇଛି । ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ମଧ୍ୟ କେଉଁ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ ସେନେଇ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ। ଯେଉଁଥିପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।

୨୦୧୯-୨୦ ଶିକ୍ଷାବର୍ଷର ପୂର୍ଣ୍ଣାଙ୍ଗ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ପଢ଼ାଇବେ ନା ୨୦୨୦-୨୧ ଶିକ୍ଷାବର୍ଷର ୩୦% ବାତିଲ୍‌ ସିଲାବସ୍‌ ଆଧାରରେ ପିଲା ପଢ଼ିବେ । ଯେହେତୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ସହ ନାମଲେଖା ଜାରି ରହିଛି ତେଣୁ ପିଲାମାନେ ଚିନ୍ତାରେ ପଡ଼ିଛନ୍ତି। ଦିନ ଗଡ଼ି ଯାଉଥିବାରୁ ପାଠପଢ଼ା କିଭଳି ଆଗେଇବ ତାହାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅନ୍‌ଲାଇନ୍‌ ଶିକ୍ଷା ଉପଲବ୍ଧ ଥିବା ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି । କେତେକ ସରକାରୀ ବିଦ୍ୟାଳୟ ସମେତ ସରସ୍ବତୀ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରି ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ପାଠପଢ଼ା ଆରମ୍ଭ କରିଦେଇଛନ୍ତି । ପ୍ରତିଦିନ ୩ରୁ ୪ଟି କ୍ଲାସ କରି ପିଲାଙ୍କୁ ଶିକ୍ଷା ଦେଉଛନ୍ତି । ତେବେ ସିଲାବସ୍‌ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନ ଥିବାରୁ ସମସ୍ତେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଚିରାଚରିତ ଭାବେ ପ୍ରଥମ ବିଷୟରୁ ପାଠପଢ଼ା ଆରମ୍ଭ କରିଛନ୍ତି ।

ପିଲାଙ୍କ ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ଡକ୍ୟୁମେଣ୍ଟ ପଠାଉଛନ୍ତି । ଆଉ କେତେକ ସ୍କୁଲ କର୍ତୃପକ୍ଷ ନୂତନ ସିଲାବସ୍‌ ୨୦୨୦-୨୧ ଶିକ୍ଷାବର୍ଷର ସିଲାବସ୍‌ ଆଧାରରେ ପଢ଼ାଉଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ବର୍ତମାନ ସମୟରେ କରୋନାର ପ୍ରକୋପ କମିବାର ସମ୍ଭାବନା କ୍ଷୀଣ । ତେଣୁ ପାଠପଢ଼ା କେବେ ସ୍ବାଭାବିକ ହେବ ଓ କେତେଦିନ ପିଲାଙ୍କୁ କ୍ଲାସରୁମ୍‌ ଶିକ୍ଷା ଦିଆଯିବ ତାହା କହିହେଉ ନାହିଁ । ତେଣୁ ୩୦% କମିଲା ଶିକ୍ଷାବର୍ଷ ଆଧାରରେ ଆମେ ପଢ଼ାଉଛୁ । ଯଦି ପୂର୍ଣ୍ଣାଙ୍ଗ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ପଢ଼ାଇବାକୁ ନିଷ୍ପତ୍ତି ହୁଏ ତେବେ ଆମେ ପରବର୍ତୀ ସମୟରେ ପଢ଼ାଇବୁ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଆମେ ଏବେ ପରୀକ୍ଷା ଉପରେ ଅଧିକ ଫୋକସ୍‌ ଦେଉଛୁ । ପିଲାଙ୍କ ପରୀକ୍ଷା ଫଳ ଯେପରି ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବା ସହ ସେମାନେ ଉଚ୍ଚଶିକ୍ଷା କରିପାରିବେ ସେନେଇ କାର୍ଯ୍ୟ ଚାଲିଛି । ଦଶମ ଶ୍ରେଣୀ ପିଲାଙ୍କୁ ବିକଳ୍ପ ମୂଲ୍ୟାୟନରେ ମାର୍କ ଦେବା ଲାଗି ଆମେ କାର୍ଯ୍ୟ କରୁଛୁ । ସିବିଏସ୍‌ଇ ନିଷ୍ପତ୍ତି ପରେ ଆମେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ମାର୍କ ପ୍ରଦାନ ଲାଗି ପଦକ୍ଷେପ ନେବୁ । ଏପର୍ଯ୍ୟନ୍ତ ଶିକ୍ଷା‌ବର୍ଷ ଆରମ୍ଭ ହୋଇ ନ ଥିବାରୁ ସିଲାବସ୍‌ କଥା ବିଚାର କରାଯାଇ ନାହିଁ। ତଥାପି ଖୁବ୍‌ଶୀଘ୍ର ସିଲାବସ୍‌ କମିଟି ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ।

Comments are closed.