କିଏ ହେବ କର୍ଣ୍ଣାଟକ କିଙ୍ଗ ! କ୍ଷମତା ଦଖଲ ପାଇଁ କିଙ୍ଗ ମେକର ଜେଡିଏସ ସହ ବିଜେପି ଓ କଂଗ୍ରେସର ବ୍ୟାକଡୋର କଥାବାର୍ତା, ଆସନ୍ତାକାଲିକୁ ଅପେକ୍ଷା
କନକ ବ୍ୟୁରୋ : କର୍ଣ୍ଣାଟକରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସର ସରକାର ଗଠନ ନେଇ ଦାବି ଭିତରେ ଆସନ୍ତାକାଲି ଖୋଲିବାକୁ ଯାଉଛି ଇଭିଏମ । ଆସନ୍ତାକାଲି ସ୍ପଷ୍ଟ ହୋଇଯିବ କାହା ସପକ୍ଷରେ ଯାଇଛି ଜନାଦେଶ । ମୋଦିଙ୍କ ଲୋକପ୍ରିୟତା ନା ରାହୁଲଙ୍କ ନେତୃତ୍ୱ, କାହାର ପ୍ରଭାବ କାମ ଦେଇଛି ଦକ୍ଷିଣରେ । କର୍ଣ୍ଣାଟକ ବିଧାନସଭାର ୨୨୪ ଆସନରୁ ୨୨୨ଟିରେ ଭୋଟ୍ ପଡିଥିବାବେଳେ ମ୍ୟାଜିକ ନମ୍ବର ୧୧୩ କେହି ଛୁଇଁପାରିବେ ନାହିଁ ବୋଲି ଆକଳନ କରିଛନ୍ତି ଏକଜିଟ ପୋଲ ସଂସ୍ଥା । ଆଉ କିଙ୍ଗମେକର ସାଜିବାକୁ ଯାଉଥିବା ଜେଡିଏସର ସମର୍ଥନ ହାସଲ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବିଜେପି ଓ କଂଗ୍ରେସ । ଏହାରି ଭିତରେ ଆଜି ତିନିଟି ବୁଥରେ ହୋଇଛି ସାନି ଭୋଟିଂ । ଉତର ବେଙ୍ଗାଲୁରର ହିବଲ ଓ କୋପାଲା ଜିଲ୍ଲା କୁସ୍ତଗିରେ ଦୁଇଟି ବୁଥରେ ହୋଇଛି ମତଦାନ । ଯାହାର ଫଳାଫଳ ମଧ୍ୟ ଆସନ୍ତାକାଲି ପ୍ରକାଶ ପାଇବ ।
Kanak News is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ପଡିବା ପରେ ବିଭିନ୍ନ ଏକଜିଟ ପୋଲ ସଂସ୍ଥା ଫଳାଫଳକୁ ନେଇ ଯେଉଁ ପୂର୍ବନୁମାନ କରିଛନ୍ତି, ସେଥିରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବା ସମ୍ଭାବନା କମ୍ । କେତେକ ଏକଜିଟ ପୋଲ ବିଜେପିକୁ ଆଗରେ ରଖିଥିବାବେଳେ ଆଉ କେତେକ ସଂସ୍ଥା କଂଗ୍ରେସ ବଡଦଳ ଭାବେ ଉଭାହେବ ବୋଲି କହିଛନ୍ତି । ଆଉ ସରକାର ଗଠନରେ ପ୍ରମୁଖ ଭୂମିକା ନେବ ଦେବେଗୌଡାଙ୍କ ଜେଡିଏସ । ଯାହାକୁ ନେଇ ରାଜନୀତି ପଣ୍ଡିତ ମାନେ କର୍ଣ୍ଣାଟକର ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି ।
୧-କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କଲେ
ବର୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି । ଆଉ ମ୍ୟାଜିକ ନମ୍ବର ୧୧୩ ଛୁଇଁବାକୁ ଅଳ୍ପ କୋତେଟି ସିଟ ଆବଶ୍ୟକ ପଡିଲେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଲୋଡିପାରନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଜଣେ ଦଳିତଙ୍କୁ ନେତୃତ୍ୱ ଦେବା ସପକ୍ଷରେ ହେଉଥିବା ଯୁକ୍ତିକୁ ମଧ୍ୟ ଗ୍ରୀନସିଗନାଲ ଦେଇସାରିଛନ୍ତି ସିଦ୍ଧରମୈୟା । ଅର୍ଥାତ ହାଇକମାଣ୍ଡ ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ସିଦ୍ଧରମୈୟା ।
୨-ବିଜେପି ମ୍ୟାଜିକ ନମ୍ବର ୧୧୩ ଛୁଇଁଲେ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପସନ୍ଦ ବିଏସ ୟେଦିୟୁରପ୍ପା ହେବେ ମୁଖ୍ୟମନ୍ତ୍ରୀ । ଦଳିତ ବିରୋଧୀ ଟ୍ୟାଗ ହଟାଇବାକୁ ଏବଂ ୨୦୧୯କୁ ଆଖିରେ ରଖି ଜଣେ ଦଳିତ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିପାରେ ଗେରୁଆ ପାର୍ଟି । ଏଥିପାଇଁ ଚର୍ଚ୍ଚାରେ ରହିଛି ବେଲାରୀ ସାଂସଦ ବି. ଶ୍ରୀରାମଲ୍ଲୁଙ୍କ ନାଁ । ମ୍ୟାଜିକ ନମ୍ବର ପାଇଁ ଅଳ୍ପସିଟ ଆବଶ୍ୟକ ପଡିଲେ ସ୍ୱାଧୀନଙ୍କ ସମର୍ଥନ ନେଇପାରେ ବିଜେପି ।
୩-ଜେଡିଏସ୍ କିଙ୍ଗମେକର ଭୂମିକାରେ ରହିଲେ
ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ ଅନୁସାରେ ତୃତୀୟରେ ରହିବ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ପାର୍ଟି ଜେଡିଏସ । କଂଗ୍ରେସ କିମ୍ବା ବିଜେପି ବଡଦଳ ହୋଇ ତିନିଅଙ୍କ ଛୁଇଁ ନପାରିଲେ ସରକାର ଗଠନ ପାଇଁ ଜେଡିଏସର ସମର୍ଥନ ଆବଶ୍ୟକ କରିବେ । ଆଉ ସରକାରକୁ ବାହାରୁ ସମର୍ଥନ ଯୋଗାଇ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ ।
୪- କଂଗ୍ରେସ ବଡଦଳ ଭାବେ ଉଭାହେଲେ
ଜେଡିଏସର ସମର୍ଥନ ହାସଲ କରି କଂଗ୍ରେସ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିପାରିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇନପାରନ୍ତି ସିଦ୍ଧରମୈୟା । କାରଣ କୁମାରସ୍ୱାମୀ ଓ ସିଦ୍ଧରମୈୟାଙ୍କ ମଧ୍ୟରେ ବଡଧରଣ ବିଭେଦ ରହିଛି । ଆଉ ପଞ୍ଜାବ, ମିଜୋରାମ, ପୁଡୁଚେରୀ ପରେ କର୍ଣ୍ଣାଟକରେ କ୍ଷମତା ବଜାୟ ଲକ୍ଷ୍ୟରେ ସାଲିସ କରିପାରେ କଂଗ୍ରେସ । ତେଣୁ କୁମାରସ୍ୱାମୀଙ୍କୁ ଖୁସି କରିବା ଲାଗି ଦଳିତ ଚେହେରା ତଥା ଅନୁଭବୀ ନେତା ମଲ୍ଲିକାର୍ଜୁନ ଖାରଗେଙ୍କୁ ଆଗକୁ ଆଣିପାରେ । ଆଉ ଦୁଇଦଳର ନେତା ଅଢେଇବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ହୋଇପାରେ ବୁଝାମଣା ।
୫-ବିଜେପି ବଡଦଳ ହୋଇ ସାମ୍ନାକୁ ଆସିଲେ
ବିଜେପି ଯଦି ସରକାର ଗଠନ ପାଇଁ ଜେଡିଏସର ସମର୍ଥନ ହାସଲ କରିପାରିଲା ତେବେ ଉଭୟ ୩୦ ମାସ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ହୋଇପାରେ ସହମତି । ତେବେ ପୂର୍ବରୁ ଧୋକା ଖାଇଥିବା ୟେଦିୟୁରପ୍ପା ଏଥର ପ୍ରଥମେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଦାବି କରିପାରନ୍ତି । ଏବଂ ପରବର୍ତୀ ୩୦ ମାସ ପାଇଁ କୁମାରସ୍ୱାମୀଙ୍କୁ ଆସନ ଛାଡିପାରନ୍ତି ।
ତେବେ ୧୨ ତାରିଖରେ କର୍ଣ୍ଣାଟକ ଭୋଟ ପରେ ଆସିଥିବା ବୁଥବାହୁଡା ମତକୁ ନେଇ ଏହି ସମ୍ଭାବନା ପ୍ରକାଶ ପାଇଛି । ହେଲେ ଆଗାମୀ କାଲି ଭୋଟ ଗଣତି ପୂର୍ବରୁ ଏକଜିଟ ପୋଲ ପୂର୍ବାନୁମାନକୁ ଭୁଲ କହି ସରକାର ଗଠନ ପାଇଁ ଦାବି କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ । କିନ୍ତୁ କର୍ଣ୍ଣଟକରେ କିଙ୍ଗମେକର ସାଜିବାକୁ ଯାଉଥିବା ଜେଡିଏସ ସହ ବ୍ୟାକଡୋର ଆଲୋଚନା ଜାରି ରଖିଛନ୍ତି କଂଗ୍ରେସ ଓ ବିଜେପି ।