ଧାମନଗରରେ କିଏ ହେବ ଧରାଶାୟୀ, କିଏ ହେବ ବିଜୟୀ? ଚାଲିଛି ଅଙ୍କକଷା, ଏଥର କିଏ ଜିତିବ ଭୋଟରଙ୍କ ଭରସା?

401

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପୂଜା ପାଇଁ ରାଜନୈତିକ ମାହୋଲ ଟିକିଏ ଥଣ୍ଡା ପଡିଥିବା ବେଳେ ଏବେ ପୁଣିଥରେ ସରଗରମ ହୋଇଛି ଧାମନଗର ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଉପନିର୍ବାଚନରେ ବିଜୟ ପାଇଁ ଚାଲିଛି ଅଙ୍କକଷା । ବିଜେପି ପୁଣିଥରେ ଏହି ଆସନ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିବା ବେଳେ ବିଜେଡି ନିଜର ଗଡକୁ ଫେରିବାକୁ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ଆଉ ଏହି ଦୁଇ ଦଳର ଲଢେଇ ଭିତରେ ଦୀର୍ଘ ୨ ଦଶନ୍ଧି ପରେ ଧାମନଗରରେ ହାତ ଉଠାଇବାକୁ କଂଗ୍ରେସ ଆରମ୍ଭ କରିଛି ସିକ୍ରେଟ ପ୍ଲାନ ।

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଉପ-ନିର୍ବାଚନ ପାଇଁ ବାଜିଛି ବିଗୁଲ । କିନ୍ତୁ ଏହି ଉପ-ନିର୍ବାଚନ ୩ ଦଳ ପାଇଁ ଅଗ୍ନିପରୀକ୍ଷା ଠାରୁ ମଧ୍ୟ କମ ନୁହେଁ । କାରଣ ୨୦୨୪ ନିର୍ବାଚନ ପୂର୍ବରୁ ଧାମନଗର ଉପ-ନିର୍ବାଚନର ଫଳାଫଳ ହିଁ ସଂକେତ ଦେବ କାହାର କେତେ ଲୋକପ୍ରିୟତା ରହିଛି? ତେବେ ଧାମନଗର ଉପ-ନିର୍ବାଚନ ବିଜେଡି ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିବ । କାରଣ ଧାମନଗର ଧନୁ, ଦଳ କାହା ହାତରେ ଧରାଇବ ତାହାକୁ ନେଇ ଏଯାବତ ସସପେନ୍ସ ଲାଗି ରହିଛି । ମୁକ୍ତି ନା ରାଜୁ, କାହା ନାଁରେ ମୋହର ବାଜିବ ତାହାକୁ ନେଇ ଏବେ ବି ଶଙ୍ଖ ଶିବିର ପକ୍ଷରୁ ସ୍ପଷ୍ଟ ସଂକେତ ମିଳିନାହିଁ । ଯେହେତୁ ଉଭୟ ପୂର୍ବରୁ ଧାମନଗରରୁ ବିଧାୟକ ରହିଛନ୍ତି ତେଣୁ ଦଳ କାହାକୁ ନିରାଶ କରିବ ଓ କାହାକୁ ଭରସା କରିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

୨୦୦୯ରେ ଧାମନଗରକୁ ସଂରକ୍ଷିତ ଆସନ ଘୋଷଣା କରାଯିବା ପରେ ରାଜେନ୍ଦ୍ର ଦାଶ ଏଠାରୁ ବିଧାୟକ ହୋଇଥିଲେ । ତେବେ ୨୦୧୪ରେ ରାଜେନ୍ଦ୍ରଙ୍କ ବଦଳରେ ମୁକ୍ତିକାନ୍ତ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ଆଉ ଏହି ୨ ନିର୍ବାଚନରେ ମାତ୍ ଖାଇଥିଲେ ବିଷ୍ଣୁ ସେଠୀ । କିନ୍ତୁ ୨୦୧୯ରେ ଏହାର ପୁନରାବୃତ୍ତି ହୋଇନଥିଲା ।  ବିଜେଡିର ରାଜେନ୍ଦ୍ର ଦାଶଙ୍କୁ ହରାଇ ବିଧାନସଭାକୁ ପୁଣିଥରେ ଏଣ୍ଟ୍ରି କରିଥିଲେ ବିଷ୍ଣୁ । ଆଉ ସେତେବେଳେ ବିଜେଡିର ଗୋଟିଏ କ୍ୟାମ୍ପ ବିଷ୍ଣୁଙ୍କ ବିଜୟକୁ ସୁନିଶ୍ଚିତ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ଏସବୁ ଭିତରେ ଉପ-ନିର୍ବାଚନରେ ଦଳ ମୁକ୍ତି ଓ ରାଜୁଙ୍କ ମଧ୍ୟରୁ ଯଦି କାହା ନାଁରେ ମୋହର ମାରେ ତେବେ ଦଳ ପାଇଁ ୨୦୧୯ ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଧାମନଗରରେ ଚର୍ଚ୍ଚା ଜୋର ଧରିଛି । ତେବେ ଉପ-ନିର୍ବାଚନ ପାଇଁ ବିଜେଡିର ଟିକେଟ ରେସରେ କେବଳ ମୁକ୍ତି କି ରାଜୁ ନାହାନ୍ତି ବରଂ ନୂଆ ଯୁବ ଚେହେରା ଭାବେ ସଞ୍ଜୟ ଦାଶ ମଧ୍ୟ ସାମିଲ ହୋଇଛନ୍ତି । କୁହାଯାଉଛି ସଞ୍ଜୟଙ୍କ ପାଇଁ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଧାମନଗରରେ ବିଜେଡିର ସଙ୍ଗଠନ ବେଶ ଶକ୍ତିଶାଳୀ ରହିଛି । ଯଦି ବିଜେଡି ଏକାଠି ହୋଇ ନିର୍ବାଚନ ଲଢେ ତେବେ ପୁଣିଥରେ ନିଜର ଗଡକୁ ଫେରିବାକୁ ସୁଯୋଗ ସୃଷ୍ଟି ହୋଇପାରେ ।

ଅନ୍ୟପଟେ ବିଜେପି ପାଇଁ ଏହି ଆସନ ବଞ୍ଚାଇ ରଖିବା ସବୁଠୁ ବଡ ଚ୍ୟାଲେଞ୍ଜ । କାରଣ ୨୦୧୯ ନିର୍ବାଚନରେ ବିଷ୍ଣୁ ଏଠାରେ ଜିତି ବିଧାୟକ ହୋଇଥିଲେ ସତ କିନ୍ତୁ ପରବର୍ତ୍ତୀ ସମୟରେ ବିଜେପି ସେହି ଭୋଟବ୍ୟାଙ୍କ ବଜାୟ ରଖିବାରେ ବିଫଳ ହୋଇଥିଲା । ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଏଠାରେ ମାତ୍ ଖାଇଥିଲା । ତେବେ ବିଷ୍ଣୁଙ୍କ ପରଲୋକ ପରେ ଉପ-ନିର୍ବାଚନରେ ବିଜେପି ପାଇଁ ସବୁଠୁ ବଡ ଅସ୍ତ୍ର ସାଜିପାରେ ସହାନୁଭୂତି । ଦଳ ଏବେ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବିଷ୍ଣୁଙ୍କ ପୁଅ ସୁରୁଜଙ୍କୁ ଉପ-ନିର୍ବାଚନରେ ମୈଦାନକୁ ଓହ୍ଲାଇପାରେ ଦଳ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ପୋଷ୍ଟରରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ସୁରୁଜଙ୍କୁ ପ୍ରାର୍ଥୀ କରି ବିଜେପି କେବଳ ସହାନୁଭୂତିର ଭୋଟ ସାଉଁଟିବନି ବରଂ ବିଜୟ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢାଇବ । ସେହିଭଳି ଦଳର ପୁରୁଖା ନେତା ମନମୋହନ ସାମଲଙ୍କ କାନ୍ଧରେ ଧାମନଗର ଦାୟିତ୍ୱ ଦିଆଯାଇଥିବାରୁ ଏହା ବିଜେପିକୁ ବେଶ ସୁହାଇବ । କାରଣ ଧାମନଗରରୁ ପୂର୍ବରୁ ମନମୋହନ ବିଧାୟକ ରହିଥିବା ବେଳେ ନିଜସ୍ୱ ସଙ୍ଗଠନ ମଧ୍ୟ ରହିଛି । ଆଉ ମନମୋହନଙ୍କ ଏହି ସଙ୍ଗଠନ ହିଁ ବିଜେପିକୁ ଧାମନଗର ରେସରେ ଫ୍ରଣ୍ଟଫୁଟରେ ରଖିପାରେ ।

ତେବେ ବିଜେଡି-ବିଜେପି ଲଢେଇ ଭିତରେ ପୁଣିଥରେ କଂଗ୍ରେସ ଧାମନଗର ଗଡକୁ କମବ୍ୟାକ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଉପ-ନିର୍ବାଚନରେ ଦଳ କାହାକୁ ମୈଦାନକୁ ଓହ୍ଲାଇବ ତାହା ସ୍ଥିର ହୋଇନଥିଲେ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରି ରଣହୁଙ୍କାର ଦେବ କଂଗ୍ରେସ । ଆସନ୍ତା ନଭେମ୍ବର ୩ରେ  ଧାମନଗର ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ତେବେ ଉପ-ନିର୍ବାଚନରେ କିଏ ଧରାଶାୟୀ ହେବ ଓ କିଏ ବିଜୟ ମୁକୁଟ ପିନ୍ଧିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।