କେଉଁ ଦଳରେ ଯୋଗ ଦେବେ ବରିଷ୍ଠ ନେତା ବିଜୟ ମହାପାତ୍ର ? ବିଆରଏସ ନେତାଙ୍କ ସହ ଫଟୋ ଭାଇରାଲ୍ ହେବା ପରେ ବଢ଼ିଲା ଚର୍ଚ୍ଚା

307

କନକ ବ୍ୟୁରୋ: କେସିଆରଙ୍କ ଭାରତ ରାଷ୍ଟ୍ର ସମିତିର ଓଡିଶା ପ୍ଲାନ ନେଇ ଆଲୋଚନା ଜୋର ଧରିଥିବାବେଳେ ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ଚନ୍ଦ୍ରଶେଖରଙ୍କ ଦୂତ । ଏବେ ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଦିନ ତଳେ ବିଆରଏସର ଜଣେ ନେତା ଭୁବନେଶ୍ୱର ବାସଭବନରେ ବିଜୟ ମହାପାତ୍ରଙ୍କୁ ଭେଟିଥିବା ଜଣାପଡିଛି । ତେବେ ବିଜୟ ଏହାକୁ ସ୍ୱୀକାର କରିଥିଲେ ମଧ୍ୟ ମାପିଚୁପି ଉତ୍ତର ଦେଇଛନ୍ତି ।

  • ବିଆରଏସ ଆଡକୁ ଢଳୁଛନ୍ତି କି ବିଜୟ?
  • ସୋସିଆଲ ମିଡିଆ ଫଟୋକୁ ନେଇ ବଢିଲା ଚର୍ଚ୍ଚା

ରାଜ୍ୟ ରାଜନୀତିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ସବୁବେଳେ ଆଲୋଚନା ଲାଗିରହିଥାଏ । କୌଣସି ଦଳରେ ଥାଆନ୍ତୁ କି ନଥାଆନ୍ତୁ ତାଙ୍କ ବୟାନ ସବୁବେଳେ ଚର୍ଚ୍ଚାର ଖୋରାକ ଯୋଗାଏ । କିନ୍ତୁ ଏବେ ଏହି ଚର୍ଚ୍ଚା ବଢିଛି ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ।
ଫଟୋଟି ହେଉଛି ବିଜୟ ମହାପାତ୍ରଙ୍କ ଭୁବନେଶ୍ୱର ବାସଭବନର । ଭାରତ ରାଷ୍ଟ୍ର ସମିତି, ବିଆରଏସର ଜଣେ ନେତା ବିଜୟଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଆରଏସର ଓଡିଶା ପ୍ଲାନକୁ ନେଇ ଆଲୋଚନା ଚାଲିଥିବାବେଳେ ବିଜୟଙ୍କ ସହ ବିଆରଏସ ନେତାଙ୍କ ଭେଟଘାଟ ନିଆଁରେ ଘିଅ ଢାଳିଛି । ରାଜନୈତିକ ମହଲରେ ଏହା ନୂଆ ଚର୍ଚ୍ଚା ସୃଷ୍ଟି କରିଛି । କିନ୍ତୁ ବିଜୟ ମହାପାତ୍ର ଭେଟିବା କଥା ମାନିଥିବାବେଳେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।

  • ବିଜୟ ବଦଳାଇବେ କି ସମୀକରଣ?
  • ଭେଟଘାଟ କଣ ଦେଉଛି ଇସାରା?

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ସମେତ ଡଜେନରୁ ଅଧିକ ନେତା ତେଲେଙ୍ଗାନା ଯାଇ ବିଆରଏସରେ ମିଶିଥିଲେ । ଏହାପରେ ଭୁବନେଶ୍ୱର ଫେରି ବିଆରଏସ ନେତା ଅକ୍ଷୟ କୁମାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିଜୟଙ୍କ ସମେତ କିଛି ବଡ ନେତା ବିଆରଏସ ଯୋଗାଯୋଗରେ ଅଛନ୍ତି । ଆଉ ଏହାର ଠିକ ପରେ ଏଭଳି ଭେଟଘାଟକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

୨୦୨୪ ପାଇଁ ଆଉ କିଛିଦିନ ପରେ ଆୟାରାମ ଗୟାରାମ ରାଜନୀତି ଆରମ୍ଭ ହେବ । କିନ୍ତୁ ରାଜ୍ୟ ରାଜନୀତିର ପୋଖତ ନେତା ବିଜୟ ଏ ଯାଏଁ ନିଜର ପତ୍ତା ଖୋଲିନାହାନ୍ତି । ତେଣୁ ତାଙ୍କ ପରବର୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।