କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନର ବହୁ ପୂର୍ବରୁ ଓଡ଼ିଶାରେ କେଉଁ ଦଳ କେତେ ପ୍ରତିଶତ ଭୋଟ୍ ପାଇବ ତାକୁ ନେଇ ଏବେଠୁ ଆରମ୍ଭ ହୋଇଯାଇଛି ରାଜନୀତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ଶୀର୍ଷସ୍ଥାୟୀ ନେତାଙ୍କୁ ଭେଟି ସାକ୍ଷାତ ଆଲୋଚନା କରି ଫେରିବା ପରେ, ଆମାଗୀ ସାଧାରଣ ନିର୍ବାଚନକୁ ନେଇ ବଡ଼ ବଡ଼ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡବଲ୍ ଇଞ୍ଜିନର କଥା କହିଛନ୍ତି, ପରିବର୍ତ୍ତନର ନାରା ଦେଇଛନ୍ତି । ଏମିତି କି ୫୦ ପ୍ରତିଶତରୁ ଅଧିକ ଭୋଟ୍ ଲକ୍ଷ୍ୟ ନେଇ ଦଳ ଆଗକୁ ବଢୁଛି ବୋଲି ସୂଚନା ଦେଇଛନ୍ତି । ବଡ଼ କଥା ହେଉଛି, ଠିକ୍ ଦିନକ ପୂର୍ବରୁ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ କହିଥିଲେ, ବିଜେଡିକୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିବ ।

Advertisment

କେଉଁ ଦଳକୁ କେତେ ପ୍ରତିଶତ ଭୋଟ୍ ମିଳିବ ତାହା ନିର୍ବାଚନ ସରିଲେ ଜଣାପଡ଼ିବ । କିନ୍ତୁ ଗତ ବିଧାନସଭା ନିର୍ବାଚନରେ ଶାସକ ବିଜେଡି ଦଳକୁ ୪୪.୭୧% ଭୋଟ୍ ମିଳିଥିଲା । ଆଉ ବିଜେପିକୁ ମିଳିଥିଲା ୩୨.୪୯% ଭୋଟ୍ । ତେବେ ଭୋଟ୍ ପ୍ରତିଶତ ଅନୁସାରେ ବିଜେପିକୁ ତୁଳନାତ୍ମକ ଆସନ ମିଳିନଥିଲା । ଏହି ପରିସଂଖ୍ୟାନ ଭିତରେ କିନ୍ତୁ ରାଜ୍ୟ ବିଜେପି ସଭାପତି କହିଛନ୍ତି- ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ଲକ୍ଷ୍ୟ ରହିଛି । କେନ୍ଦ୍ରରେ ପୁଣି ବିଜେପି ସରକାର ଗଢ଼ିବ ଏବଂ ଓଡ଼ିଶାରେ ପରିବର୍ତ୍ତନ ହେବ । ଓଡ଼ିଶାରେ ୫୦% ଭୋଟ୍ ମିଳିଲେ ସରକାର ଗଠନ ହୋଇଯିବ । ଏପଟେ ବିଜେଡି କହିଛି- ନବୀନ ସରକାରଙ୍କ ସପକ୍ଷରେ ଲୋକଙ୍କ ଆସ୍ଥା ବଢ଼ି ବଢ଼ି ଚାଲିଛି । ରାଜନୀତିର ଏହି ବୟାନବାଜି ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ, ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।