କନକ ବ୍ୟୁରୋ : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ମୁକ୍ତ ଭାରତ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି ବିଜେପି । ସମଗ୍ର ଦେଶରେ ଗେରୁଆ ବାନା ଉଡ଼ାଇବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ତାହା ଧୀରେ ଧୀରେ ପୂରଣ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କଂଗ୍ରେସ ଗଡ଼କୁ ଧ୍ୱଂସ କରି ଗେରୁଆ ବାନା ଉଡ଼ାଇ ଚାଲିଛନ୍ତି ମୋଦି-ଅମିତ ଯୋଡ଼ି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଦମଦାର ବିଜୟ ପରେ କଂଗ୍ରେସର ପାରମ୍ପରିକ ଗଡ଼ ଭୁଷୁଡ଼ିବା ଆରମ୍ଭ ହୋଇଥିଲା ।

Advertisment

publive-image୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୧୩ ରାଜ୍ୟରେ କଂଗ୍ରେସ ସରକାର ଥିବା ବେଳେ ମାତ୍ର ୭ଟି ରାଜ୍ୟରେ ବିଜେପି ସୀମିତ ରହିଥିଲା । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନର ଫଳାଫଳ ପରେ ସତେ ଯେମିତି ବିଜେପିର ଭାଗ୍ୟ ବଦଳିବା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତକୁ ଦେଶର ଶାସନ ଡୋରି ଆସିବା ପରେ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ ଆରମ୍ଭ କଲା । ଦେଶର ଅଧିକାଂଶ ରାଜ୍ୟରେ ଉଡ଼ିଲା ଗେରୁଆ ବାନା । ଖାସକରି ମୋଦି ଝଡ଼କୁ ପ୍ରତିହତ କରିବାରେ ବିଫଳ ହେଲା କଂଗ୍ରେସ । ୨୦୧୪ରେ ମାତ୍ର ୭ଟି ଆସନରେ ସୀମିତ ଥିବା ବିଜେପି କର୍ଣ୍ଣାଟକ ବିଜୟ ପୂର୍ବରୁ ୨୦ଟି ରାଜ୍ୟର ଶାସନ ଭାର ନିଜ ହାତକୁ ନେଇଛି ।

publive-imageସେହିଭଳି ୨୦୧୪ରେ ୧୩ଟି ରାଜ୍ୟରେ କଂଗ୍ରେସର ସରକାର ଥିବା ବେଳେ କର୍ଣ୍ଣାଟକ ପରାଜୟ ପରେ ମଧ୍ୟ ୪ଟି ରାଜ୍ୟରେ ସୀମିତ ରହିଛି କଂଗ୍ରେସ । କେବଳ ପଞ୍ଜାବ, ମିଜୋରାମ ଓ ପଣ୍ଡିଚେରୀରେ କଂଗ୍ରେସ ସରକାର ରହିଛି । ଅନ୍ୟପଟେ ବିଜେପି ୨୦ଟି ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଏହା ପୂର୍ବରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡ଼ିପି ଦଳ ଏନଡ଼ିଏ ଠାରୁ ସର୍ମ୍ପକ ଛିନ୍ନ କରିଥିବା ବେଳେ ବିହାରରେ ଜେଡ଼ିୟୁ କଂଗ୍ରେସର ମହାମେଣ୍ଟକୁ ବାଏ ବାଏ କରି ବିଜେପି ହାତ ଧରିଥିଲା । ସେହିଭଳି ଅଧିକାଂଶ ରାଜ୍ୟରେ ବିଜେପିକୁ ବହୁମତ ମିଳିନଥିଲେ ମଧ୍ୟ ଆଞ୍ଚଳିକ ଦଳକୁ ସାଥୀ କରି ସରକାର ଗଢ଼ିଛି ଗେରୁଆ ଦଳ । କଂଗ୍ରେସକୁ କ୍ଷମତାରୁ ଦୂରରେ ରଖିବା ପାଇଁ ଆଞ୍ଚଳିକ ଦଳକୁ ଅଗ୍ରାଧିକାର ଦେଉଛି ବିଜେପି । କେଉଁଠି ଆଞ୍ଚଳିକ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଛି ତ ପୁଣି କେଉଁଠି ଆଞ୍ଚଳିକ ଦଳକୁ ସମର୍ଥନ ଦେଇ ସହଯୋଗୀ ଦଳ ଭାବେ ସରକାର ଗଢ଼ିବାକୁ ସକ୍ଷମ ହେଉଛି ।

publive-imageସମଗ୍ର ଦେଶରେ ମୋଟ ୯ଟି ରାଜ୍ୟରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି ବିଜେପି । ରାଜସ୍ଥାନ, ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ହରିୟାଣା, ଉତ୍ତର ପ୍ରଦେଶ ଭଳି ବଡ଼ ବଡ଼ ରାଜ୍ୟରେ ଗେରୁଆ ବାନା ଉଡ଼ାଇ ସାରିଥିବା ବିଜେପି କର୍ଣ୍ଣାଟକରେ ମଧ୍ୟ ବଡ଼ ବିଜୟ ହାସଲ କରିଛି । ସେହଭିଳି ମହାରାଷ୍ଟ୍ର, ଗୋଆ, ବିହାର, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ସିକ୍କିମ, ଜମ୍ମୁ-କାଶ୍କୀର ଭଳି ରାଜ୍ୟରେ ସହଯୋଗୀ ଦଳ ସମର୍ଥନରେ ସରକାର ଗଢ଼ିଛି ବିଜେପି । ଅନ୍ୟ ରାଜ୍ୟରେ ଆଞ୍ଚଳିକ ଦଳ ସରକାର ରହିଛି ।

ତେବେ କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଗୋଟିଏ ପଟେ ବିଜେପିକୁ ଉତ୍ସାହିତ କରିଥିବା ବେଳେ କଂଗ୍ରେସକୁ ଚିନ୍ତାରେ ପକାଇଛି । ଆଗକୁ ୨୦୧୯ ସାଧାରଣ ନିର୍ବାଚନ ରହିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ହାତରୁ ଖସିଯିବା କଂଗ୍ରେସକୁ ଅଡ଼ୁଆରେ ପକାଇଛି । ଖାସକରି ୨୦୧୯ରେ ପୁଣିଥରେ ଶାସନ ଗାଦିକୁ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସ ଉପରେ କର୍ଣ୍ଣାଟକର ଫଳାଫଳ ପ୍ରଭାବ ପକାଇବ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରିଛନ୍ତି ।ଖାସକରି କର୍ଣ୍ଣାଟକ ପରାଜୟ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ପ୍ରଶ୍ନର ପାହାଡ ଛିଡ଼ା କରିଛି ।