ନିର୍ବାଚନ ସରିଲା, ଏକଜିଟ୍ ପୋଲ୍ ଆସିଲା । ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଢିପାରେ ବିଜେଡି, ଫାଇଦାରେ ରହିପାରେ ବିଜେପି । ଚମକାଇଦେବ ଲୋକସଭା ନିର୍ବାଚନ ଫଳାଫଳ

486

କନକ ବ୍ୟୁରୋ : ନିର୍ବାଚନ ସରିଲା, ଏକଜିଟ୍ ପୋଲ ଆସିଲା । ସରକାର କିଏ ଗଢିବ, କିଏ ଶାସନ କ୍ଷମତାରୁ ବିଦା ହେବ ତାହା ଆସନ୍ତା ୨୩ରେ ସ୍ପଷ୍ଟ ହୋଇଯିବ । ହେଲେ ୨୩ରେ ମତଗଣନା ହେବା ପୂର୍ବରୁ ଆଜି ଆସିଛି ବୁଥ୍ ବାହୁଡା ମତ । ଆଉ ଏସବୁ ଭିତରେ ଓଡିଶା ଇତିହାସର ସବୁଠୁ ବଡ ଏକଜିଟ୍ ପୋଲ କରିଛି ସମ୍ବାଦ-କନକ ନ୍ୟୁଜ୍ । ବୁଥ ଫେରନ୍ତା ପ୍ରାୟ ୧ ଲକ୍ଷ ଭୋଟରଙ୍କ ମତକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ପ୍ରଥମଥର ପାଇଁ ଆସନ ଆଧାରରେ ବୁଥ୍ ବାହୁଡା ମତ ଆସିଛି । କେଉଁ ଆସନରେ କିଏ ଜିତିବ, କିଏ ପଛରେ ପଡିଯିବ ତାର ଆକଳନ କରାଯାଇଛି । ଆଉ କେଉଁଠି କ୍ଲୋଜ୍ ଫାଇଟ୍ ହେବ ତାହା ମଧ୍ୟ ଜଣାଇବ ସମ୍ବାଦ ଓ କନକ ନ୍ୟୁଜ୍ ।

ଓଡିଶାରେ କାହାର ଭାଗ୍ୟ ଖୋଲିବ । ସରକାର ଗଠନ ରେସରେ କିଏ ଆଗରେ ରହିବ ଓ କିଏ ପଛରେ ପଡିଯିବ । କେବଳ ବିଧାନସଭା ନୁହେଁ ଲୋକସଭାରେ ମଧ୍ୟ କାହା ପଲ୍ଲା ଭାରି ରହିବ ତାହାକୁ ନେଇ ବୁଥ୍ ବାହୁଡା ମତଦାତାଙ୍କ ମତ ନେଇଥିଲା ସମ୍ବାଦ ଓ କନକ ନ୍ୟୁଜର ଟିମ୍ । ଲକ୍ଷାଧିକ ଲୋକଙ୍କ ମତକୁ ନେଇ ହୋଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ ରାଜ୍ୟରେ ରେକର୍ଡ ପଞ୍ଚମଥର ପାଇଁ ଶାସନ କ୍ଷମତାକୁ ଫେରିପାରେ ବିଜେଡି । ଜନତାଙ୍କ ଭରସା ପୁଣିଥରେ ଜିତିପାରେ ବିଜେଡି ।

ଏକଜିଟ୍ ପୋଲ ଅନୁଯାୟୀ, ନିର୍ବାଚନ ହୋଇଥିବା ୧୪୬ଟି ଆସନ ମଧ୍ୟରୁ ୮୫ରୁ ୯୫ଟି ଆସନରେ ବିଜୟୀ ହୋଇ ଏକାକୀ ସରକାର ଗଠନ କରିପାରେ ବିଜେଡି । ବିଜେଡି ୨୦୧୪ ତୁଳନାରେ କିଛି ଆସନ ହରାଇପାରେ । ସେହିଭଳି ଚଳିତ ନିର୍ବାଚନରେ ଫାଇଦାରେ ରହିପାରେ ବିଜେପି । ୨୦୧୪ରେ ୧୦ଟି ଆସନରେ ସୀମିତ ଥିବା ବିଜେପି ୨୦୧୯ରେ ୨୫ରୁ ୩୪ଟି ଆସନରେ ବିଜୟୀ ହୋଇପାରେ । ଅନ୍ୟପଟେ କଂଗ୍ରେସକୁ ମଧ୍ୟ ୨୦୧୯ ନିର୍ବାଚନରେ ଝଟକା ଲାଗିପାରେ । ୨୦୧୪ ନିର୍ବାଚନରେ ୧୭ଟି ଆସନ ପାଇଥିବା କଂଗ୍ରେସ ୨୦୧୯ରେ ୧୨ରୁ ୧୫ ଆସନ ମଧ୍ୟରେ ସୀମିତ ରହିପାରେ । ଏହାଛଡା ସ୍ୱାଧୀନ ଓ ଅନ୍ୟାନ୍ୟ ପ୍ରାର୍ଥୀ ୧ରୁ ୩ ଆସନରେ ବାଜି ମାରିପାରନ୍ତି । ସମ୍ବାଦ-କନକ ନ୍ୟୁଜ୍ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲରେ ଆସିଥିବା ଏଭଳି ଫଳାଫଳ ପୂରା ରାଜ୍ୟବାସୀଙ୍କୁ ଚକିତ କରିଛି ।

ସେହିଭଳି ଲୋକସଭା ଆସନରେ ବିଜେଡିକୁ ବଡ ଝଟକା ଲାଗିପାରେ । ୨୧ ଲୋକସଭା ଆସନରୁ ବିଜେଡି ମାତ୍ର ୦୬ରୁ ୦୯ଟି ଆସନ ପାଇପାରେ । ୨୦୧୪ ଫଳାଫଳକୁ ନଜର ପକାଇଲେ ବିଜେଡିକୁ ବଡ କ୍ଷତି ସହିବାକୁ ପଡିପାରେ । ୨୦୧୪ରେ ବିଜେଡି ୨୦ଟି ଆସନରେ ବାଜି ମାରିଥିଲା । ଚଳିତ ନିର୍ବାଚନ ଫଳାଫଳ ବିଜେପି ପାଇଁ ଖୁସି ଖବର ଆଣିପାରେ । ୨୦୧୪ରେ ବିଜେପି ଏଠାରେ ମାତ୍ର ଗୋଟିଏ ଆସନରେ ବାଜି ମାରିଥିବା ବେଳେ ଚଳିତଥର ୦୯ରୁ ୧୨ ଆସନରେ ଗେରୁଆ ବାନା ଉଡାଇପାରେ । ସେହିଭଳି କଂଗ୍ରେସ ନବରଙ୍ଗପୁରରେ ବିଜୟ ହେବା ସହ ଖାତା ଖୋଲିବାକୁ ସକ୍ଷମ ହୋଇପାରେ ।