ଏତେ ନେତାଙ୍କ ପାଇଁ ଆସନ କାହିଁ? ବିଧାନସଭା ଆସନ ୨୮, ନେତାଙ୍କ ହିସାବରେ ପ୍ରାର୍ଥୀ ଜିତୁଛନ୍ତି ୬୦ । ଜାଣନ୍ତୁ କେଉଁ ଦଳ କେତେ ଆସନରେ ଜିତିବେ ବୋଲି ଦେଖାଇଲେ ଦମ୍ଭ ।

486

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ମତଦାନ, ଇଭିଏମ ମେସିନରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ମୋଟ ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି । କିନ୍ତୁ ନିର୍ବାଚନ ଶେଷ ହେବା ପରେ ଦଳୀୟ ନେତା ଯେଉଁ ହିସାବ କିତାବ କରିଛନ୍ତି ତାହା ଭୋଟରଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।  କାରଣ ବିଧାନସଭା ପାଇଁ ୨୮ଟି ଆସନ ରହିଥିବା ବେଳେ ବିଭିନ୍ନ ଦଳୀୟ ନେତାଙ୍କ ହିସାବ ଦେଖିବାକୁ ଗଲେ ୬୦ ଜଣ ପ୍ରାର୍ଥୀ ବିଜୟୀ ହେବେ । ସେହିଭଳି ୪ଟି ଲୋକସଭା ରହିଥିଲେ ମଧ୍ୟ ନେତାଙ୍କ ହିସାବରେ ୧୧ ଜଣ ବିଜୟୀ ହେଉଛନ୍ତି । ତେବେ ପ୍ରଶ୍ନ ଉଠୁଛି  ଏତେ ନେତାଙ୍କ ପାଇଁ ଆସନ କାହିଁ?

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ବିଜେଡି, ବିଜେପି ଓ କଂଗ୍ରେସ ନେତା ଯେଉଁ ହିସାବ ଦେଇଛନ୍ତି ତାହା ଅନୁଯାୟୀ, ବିଧାନସଭା ଆସନ ୨୮ଟି ଥିଲେ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ସେହିଭଳି ଲୋକସଭା ଆସନ ୪ଟି ଥିଲେ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧୧ ଛୁଇଁଛି ।

କାହାର ହିସାବ କେମିତି :

ବିଜେଡି : ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ତଥା ଦିଗପହଣ୍ଡିରେ ଦଳୀୟ ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହିସାବ ବିଜେଡି ଶିବିରରେ ଖୁସି ଭରିଦେବ ନିଶ୍ଚୟ । କାରଣ ଏହି ଅଭିଜ୍ଞ ନେତା ଯେଉଁ ଅଙ୍କ କଷିଛନ୍ତି ସେଥିରେ ବିଜେଡି ୨୮ ବିଧାନସଭା ଆସନରୁ ୨୫ଟିରେ ବାଜି ମାରିବ ବୋଲି ଦାବି କରିଛନ୍ତି । ବାକି ଆସନ ଗୁଡିକ କଂଗ୍ରେସ ଓ ବିଜେପି ଭାଗ କରି ନେବେ ବୋଲି କହିଛନ୍ତି ସୂର୍ଯ୍ୟ । ସେହିଭଳି ୪ଟି ଲୋକସଭା ଆସନ ମଧ୍ୟରୁ ୪ଟି ଜିତି ପ୍ରଥମ ପର୍ଯ୍ୟାୟରେ କ୍ଲିନ ସୁଇପ କରିବ ବୋଲି କହିଛନ୍ତି ସୂର୍ଯ୍ୟ । ଏହାଛଡା ନିଜେ ମଧ୍ୟ ଜିତିବେ ଦମ୍ଭ ଦେଖାଇଛନ୍ତି ସୂର୍ଯ୍ୟ ।

କଂଗ୍ରେସ : ଜୟପୁରର ଦଳୀୟ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଭୋଟଗ୍ରହଣ ପରେ ଯେଉଁ ବୟାନ ଦେଇଛନ୍ତି ତାହା କଂଗ୍ରେସ ଶିବିରରେ ନୂଆ ଆଶାର କିରଣ ଉଦୟ କରିଛି । କାରଣ ତାରାଙ୍କ ଅଙ୍କ ଅନୁଯାୟୀ,  ୨୮ ବିଧାନସଭା ଆସନରୁ ୨୦ଟିରେ କଂଗ୍ରେସ ବିଜୟ ହାସଲ କରିବ ବୋଲି ଦାବି କରିଛନ୍ତି ତାରା । ସେହିଭଳି ୪ ଲୋକସଭା ଆସନରୁ ୪ଟିରେ ଦଳ ବିଜୟୀ ହେବ ବୋଲି ଦୃଢ ସହକାରେ କହିଛନ୍ତି । ଏପରିକି ପୁଣିଥରେ ତାଙ୍କର ଭାଗ୍ୟ ଚମକିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ତାରା । ଏପରିକି ଅନ୍ୟ ଦଳର ନେତା ଯାହା କହୁଛନ୍ତି ସେଥିରେ ଟ୍ୟାକ୍ସ ଲାଗୁନାହିଁ ବୋଲି କହିଛନ୍ତି ତାରା ।

ବିଜେପି : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ମଧ୍ୟ ନିଜ ହିସାବ କିତାବ ଅନୁଯାୟୀ ବଡ ବୟାନ ରଖିଛି । ବିଜେପି ପକ୍ଷରୁ ସୁରଥ ବିଶ୍ୱାଳ ଯେଉଁ ଗଣିତ ସାମ୍ନାକୁ ଆଣିଛନ୍ତି ତାହା ଉଭୟ କଂଗ୍ରେସ ଓ ବିଜେଡିକୁ  କଡା ଚ୍ୟାଲେଞ୍ଜ ଦେବ ବୋଲି ଦର୍ଶାଉଛି । କାରଣ ସୁରଥଙ୍କ ଗଣିତ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ମୋଟ ୪ଟି ଲୋକସଭା ଆସନରୁ ୩ଟି ଆସନରେ ଗେରୁଆ ବାନା ଉଡାଇବ ବିଜେପି । ଏହାଛଡା ୨୮ଟି ବିଧାନସଭା ଆସନରୁ ପ୍ରାୟ ୧୫ଟି ଆସନରେ ପଦ୍ମ ଫୁଟିବ ବୋଲି ଦୃଢ ଆଶାବାଦୀ ଅଛି ବିଜେପି କ୍ୟାମ୍ପ ।

ବିଜେଡି, ବିଜେପି ଓ କଂଗ୍ରେସର ଦାବିକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ଆସନ ଠାରୁ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ବୋଲି ସାମ୍ନାକୁ ଆସୁଛି । ତେବେ ଜନତା ଜନାର୍ଦ୍ଦନ କାହାକୁ ଭୋଟ ଦେଇ ନିଜର ନେତା ନିର୍ବାଚିତ କରିଛନ୍ତି ତାହା ଆସନ୍ତା ମେ ୨୩ରେ ସ୍ପଷ୍ଟ ହେବ ।