ମହାପରୀକ୍ଷାରେ ମନ୍ତ୍ରୀଙ୍କ ରେଜଲ୍ଟ । କିଏ ପାସ୍ , କିଏ ଫେଲ? ମନ୍ତ୍ରୀଙ୍କୁ ନେଇ କଣ କହୁଛି ବୁଥ୍ ବାହୁଡା ମତ

681

କନକ ବ୍ୟୁରୋ : ରାଜ୍ୟରେ ନବୀନ,କେନ୍ଦ୍ରରେ ମୋଦି । ୨୦୧୯ ନିର୍ବାଚନ ଫଳାଫଳ ବାହାରିବା ସହ ଏଭଳି ଚିତ୍ର ଦେଖିବାକୁ ମିଳିପାରେ ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି । ରାଜ୍ୟରେ ବିଜେଡି ପୁଣିଥରେ ଏକାକୀ ୮୫ରୁ ୯୫ ଆସନ ଜିତିବା ସହ ସରକାର ଗଢିପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରୁ ସଂକେତ ମିଳିଛି । ଅବଶ୍ୟ ୨୦୧୪ ଫଳାଫଳ ତୁଳନାରେ ବିଜେଡି ଚଳିତ ନିର୍ବାଚନରେ କିଛି ଆସନ ହରାଇପାରେ କିନ୍ତୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ରେକର୍ଡ କରିପାରନ୍ତି ନବୀନ । ବିଜେଡି ସୁପ୍ରିମୋ ନବୀନ ୨ଟି ଆସନରୁ ଜିତିବା ନେଇ ସମ୍ଭାବନା ଦେଖା ଦେଇଥିବା ବେଳେ ଗତ ପାଳିରେ ମନ୍ତ୍ରୀ ଥିବା କିଛି ନେତାଙ୍କ ମୁଣ୍ଡରେ ପରାଜୟର ଖଣ୍ଡା ଝୁଲୁଛି ।

ନବୀନଙ୍କ ଚତୁର୍ଥପାଳିର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ଥିବା ଅଧିକାଂଶ ନେତା ଚଳିତ ନିର୍ବାଚନ ଯୁଦ୍ଧରେ ବାଜି ମାରିବା ସହ ପୁଣିଥରେ ବିଧାନସଭାକୁ ଫେରିପାରନ୍ତି । ଉପକୂଳ ଓଡିଶାରେ ନିର୍ବାଚନ ଲଢୁଥିବା ୫ ମନ୍ତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ବିଜୟ ସମ୍ଭାବନା ରହିଛି । କଟକ-ସଦରରୁ ଚନ୍ଦ୍ରସାରଥୀ, ମାହାଙ୍ଗାରୁ ପ୍ରତାପ ଜେନା, ପୁରୀରୁ ମହେଶ୍ୱର ମହାନ୍ତି ଓ ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡାଙ୍କ ବିଜୟ ସମ୍ଭାବନା ରହିଥିବା ବେଳେ କେନ୍ଦ୍ରାପଡାରୁ ଲଢୁଥିବା ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ବଡ ଝଟକା ଲାଗିପାରେ ।

ସେହିଭଳି ଉତ୍ତର ଓଡିଶାର ୫ ମନ୍ତ୍ରୀଙ୍କ ମଧ୍ୟରୁ ୪ ଜଣ ସହଜରେ ନିର୍ବାଚନ ବୈତରଣୀ ପାର ହୋଇପାରନ୍ତି । କିନ୍ତୁ ଘଷିପୁରାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ବଡ ଝଟକା ଲାଗିପାରେ । ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ବାଜି ମାରିପାରନ୍ତି । ଭୋଗରାଇରୁ ଅନନ୍ତ ଦାସ, ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲ ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ ଓ ପରଜଙ୍ଗରୁ ନୃସିଂହ ସାହୁ ବିଜୟୀ ଟୀକା ପିନ୍ଧିପାରନ୍ତି ।

ପଶ୍ଚିମ ଓଡିଶାରେ ୪ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ବିଜୟ ସମ୍ଭାବନା ରହିଛି । ଏହି ୩ ମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି । ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂ,ସୋନପୁରରୁ ନିରଞ୍ଜନ ପୂଜାରୀ ଚଳିତ ନିର୍ବାଚନ ଯୁଦ୍ଧରେ ବିଜୟ ଧ୍ୱଜା ଉଡାଇପାରନ୍ତି ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି । କେବଳ ଦିଲ୍ଲୀ ଲଢେଇ ପାଇଁ କଳହାଣ୍ଡି ଲୋକସଭା ଆସନରୁ ମୈଦାନକୁ ଓହ୍ଲାଇଥିବା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ନେଇ ଏକଜିଟ୍ ପୋଲରେ ସ୍ପଷ୍ଟ ମତ ଆସି ପାରିନାହିଁ । କାରଣ କଳାହାଣ୍ଡିରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି ।

ଅନ୍ୟପଟେ ଦକ୍ଷିଣ ଓଡିଶାରେ ୪ ମନ୍ତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ସାଥ୍ ଦେଇପାରେ ଭାଗ୍ୟ । ଦିଗପହଣ୍ଡିରୁ ଅଭିଜ୍ଞ ସୂର୍ଯ୍ୟ ପାତ୍ର, ଭଞ୍ଜନଗରରୁ ବିକ୍ରମ ଆରୁଖଙ୍କୁ ଛାଡିଦେଲେ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିପାରେ । ଚିକିଟିରୁ ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ଥିବା ବିଜେଡିର ହେଭିୱେଟ ଉଷା ଦେବୀଙ୍କ ବିଜୟରଥରେ ବ୍ରେକ ଲାଗିପାରେ । ଏହି ଆସନରେ ଗେରୁଆ ବାନା ଉଡାଇପାରେ ବିଜେପି । ସେହିଭଳି ଦିଲ୍ଲୀ ଲଢେଇ ଲଢୁଥିବା ମନ୍ତ୍ରୀ ରମେଶ ମାଝୀଙ୍କୁ ନବରଙ୍ଗପୁରରେ ପରାଜୟର ସ୍ୱାଦ ଚାଖିବାକୁ ପଡିପାରେ ।