ଅନଲକ୍ ପାଇଁ ସରକାରଙ୍କ ବିଚାର! ରଜ ପରେ ଅଧା ଓଡ଼ିଶାରୁ ପର୍ଯ୍ୟାୟକ୍ରମେ ହଟିପାରେ କଟକଣା, ଜାଣନ୍ତୁ ତାଲିକାରେ କେଉଁ କେଉଁ ଜିଲ୍ଲାକୁ ମିଳିପାରେ ଅଗ୍ରାଧିକାର । 

4,854

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା ପରେ ସଂକ୍ରମଣ ହାର କମ ଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ କରିବା ନେଇ ସରକାର ବିଚାର କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ସ୍ଥିତିରେ ରାଜ୍ୟରେ ଏବେ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ ରହିଛି । ଆଉ ଯଦି କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଦେଖିବା ତେବେ ୫ ପ୍ରତିଶତରୁ କମ ସଂକ୍ରମଣ ହାର ରହୁଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ କରାଯାଇପାରିବ । ଆଉ କେନ୍ଦ୍ର ସରକାରଙ୍କ ଏହି ଗାଇଡଲାଇନରେ ଏବେ ସୁଦ୍ଧା ରାଜ୍ୟର ୧୨ ଜିଲ୍ଲା ଆସୁଛି ।

ଏହାବାଦ୍ ଲକଡାଉନ କଟକଣା ଆସନ୍ତ ୧୭ ତାରିଖ ପର୍ଯ୍ୟନ୍ତ ରହିଥିବାରୁ ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ କମିବାର ସମ୍ଭାବନା ରହିଛି । ଖାସକରି ବୌଦ୍ଧ ଓ ଅନୁଗୁଳରେ ମଧ୍ୟ ସଂକ୍ରମଣ ଦ୍ରୁତ ହ୍ରାସ ପାଉଥିବାରୁ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ହାର ମଧ୍ୟ ୫ ପ୍ରତିଶତରୁ ତଳକୁ ଆସିପାରେ । କେବଳ ଏହି ଦୁଇ ଜିଲ୍ଲା ନୁହେଁ ବରଂ କେଉଁଝର ଓ ମୟୂରଭଞ୍ଜରେ ମଧ୍ୟ ଗୋଟିଏ ସପ୍ତାହ ମଧ୍ୟରେ ସ୍ଥିତିରେ ସୁଧାର ଆସିପାରେ । କାରଣ ରାଜ୍ୟରେ ଲଗାତାର ସଂକ୍ରମଣ ହାର କମୁଥିବା ବେଳେ ଉଭୟ ଜିଲ୍ଲାରେ ମଧ୍ୟ ସଂକ୍ରମଣ ଦ୍ରୁତ ହ୍ରାସ ପାଉଛି ।

ପୂର୍ବରୁ ସଂକ୍ରମଣ ହାର କମ ଥିବା ୩ ଜିଲ୍ଲା ଗଜପତି, ନୂଆପଡା, ସୁନ୍ଦରଗଡରେ  ଲକଡାଉନ କଟକଣାକୁ ଟିକିଏ କୋହଳ ସହ ବିଭିନ୍ନ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିଲେ । ତେବେ ଏଭଳି ନିଷ୍ପତି ପରେ ଉକ୍ତ ୩ ଜିଲ୍ଲାରେ ସଂକ୍ରମଣ ସେଭଳି ବଢିନଥିଲା । ଏପରିକି ଏକଦା ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସୁନ୍ଦରଗଡରେ ସ୍ଥିତିରେ ସୁଧାର ଆସିବା ସହ ସଂକ୍ରମଣ ହାର ଏବେ ମଧ୍ୟ ୫ ପ୍ରତିଶତ ତଳେ ରହୁଛି । ତେଣୁ ଏହା ଅନ୍ୟ ଜିଲ୍ଲା ଗୁଡିକ ପାଇଁ ଶୁଭସଂକେତ ଆଣିପାରେ । ଉକ୍ତ ୩ ଜିଲ୍ଲା ଭଳି, ୫ ପ୍ରତିଶତରୁ କମ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ ମଧ୍ୟ ସରକାର କଟକଣାକୁ କୋହଳ ସହ ପର୍ଯ୍ୟାୟକ୍ରମେ ଅନଲକ କରିପାରନ୍ତି । ରାଜ୍ୟରେ ଲକଡାଉନ କଟକଣାର କଣ୍ଟ ପୂରା ହେବାକୁ ଆଉ ୯ ଦିନ ବାକି ରହିଛି । ତେଣୁ ଏହି ସମୟ ଭିତରେ ସଂକ୍ରମଣ ଲଗାତାର ହ୍ରାସ ପାଇଲେ ପୁଣିଥରେ ଦୋକାନ ବଜାର ଖୋଲିବା ପାଇଁ ବାଟ ଫିଟିପାରେ । ସବୁଠୁ ବଡ କଥା ହେଲା, ଯଦି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଅନଲକ୍ କରାଯାଏ ତେବେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏହି ତାଲିକାରେ ରହିବେ । ତେବେ ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଥିବାରୁ ଏଠାରେ ଅନଲକ ହେବାର ସମ୍ଭାବନା ଯଥେଷ୍ଟ କମ ରହିଛି । କିନ୍ତୁ ଯେହେତୁ ଆଗକୁ ପର୍ବପର୍ବାଣୀ ରହିଛି ତେଣୁ ସରକାର କଣ ନିଷ୍ପତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।