କୋଭିଡ ରିପୋର୍ଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଘରୋଇ ହସପିଟାଲ ଦେଲା ନେଗେଟିଭ୍ ରିପୋର୍ଟ, ଉଠିଲା ପ୍ରଶ୍ନ, କାହାର ରିପୋର୍ଟ ଠିକ୍, କେଉଁଠି ହେଉଛି ତ୍ରୁଟି?

513

କନକ ବ୍ୟୁରୋ : ସରକାରୀ ପଜିଟିଭି ହେଲେ ଘରୋଇ ନେଗେଟିଭ । ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ କିଛି ଏହିଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ରିପୋର୍ଟରେ କରୋନା ପଜିଟିଭ ଥିବାବେେଳେ ଘରୋଇ ହସ୍ପିଟାଲରେ ନମୂନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଗଣପତିନଗର ବସ୍ତିରୁ । ତେବେ କିଏ କହୁଛି ଠିକ୍ ତାକୁ ନେଇ ଉଠିଛି ପ୍ରଶ୍ନ ।

ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ କିଛି ଏହିଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ ହସ୍ପିଟାଲର କରୋନା ନେଗେଟିଭ ରିପୋର୍ଟ ଧରି କ୍ୟାମେରା ସାମ୍ନାରେ ଛିଡା ହୋଇଥିବା ଏହି ମହିଳାଙ୍କ ଅଭିଯୋଗ ଯେ, ସରକାରୀ ରିପୋର୍ଟରେ ତାଙ୍କ ଝିଅର କରୋନା ପଜିଟିଭ ଥିବା କୁହାଯାଇଛି । ହେଲେ ଘରୋଇ ହସ୍ପିଟାଲରେ ନମୂନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଛି ।

ଭୁବନେଶ୍ୱର ନୟାପଲ୍ଲୀ ଥାନା ଗଣପତିନଗର ବସ୍ତିରେ ରୁହନ୍ତି ଏହି ମହିଳାଙ୍କ ପରିବାର । ବିବାହିତ ଝିଅ ଗର୍ଭବତୀ ଥିବାରୁ ଗଞ୍ଜାମ ବୁଗୁଡାରୁ ଗତ ୧୬ ତାରିଖରେ ଭୁବନେଶ୍ୱର ଫେରି ଆସିଥିଲେ । ହଟ୍ସ୍ପଟ୍ ଜିଲ୍ଲାରୁ ଆସିଥିବାରୁ ଆଶା ଓ ଅଙ୍ଗନବାଡି ଦିଦି ପହଂଚି ତାଙ୍କ ଝିଅର ସ୍ୱାବ ପରୀକ୍ଷା ପାଇଁ କହିଥିଲେ । ତାଙ୍କର ସ୍ୱାବ ସଂଗ୍ରହ କରାଗଲା ଏବଂ ୨୧ ତାରିଖରେ ରିପୋର୍ଟ ଆସିଲା । କରୋନା ପଜିଟିଭ ବାହାରିଥିବାରୁ ଝିଅକୁ କୋଭିଡ ହସ୍ପିଟାଲ ଆଣିବା ଲାଗି ୨୨ ତାରିଖରେ ଫୋନ କରି ସୂଚନା ଦିଆଗଲା । ହେଲେ ତାଙ୍କୁ ରିପୋର୍ଟ ଦିଆଯାଇନଥିଲା । କରୋନା ଲକ୍ଷଣ ନଥିବାରୁ ରିପୋର୍ଟରେ କିଛି ତ୍ରୁଟି ରହିଥିବା ଆଶଙ୍କା କରିଥିଲେ ପରିବାର ଲୋକ । ପୁଣିଥରେ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରାଇଥିଲେ । ହେଲେ ସେଠାରେ ରିପୋର୍ଟ ଆସିଥିଲା ନେଗେଟିଭ ।

ଭୁଲ-ଠିକର ଦୋଛକିରେ ମାନସିକ ଯନ୍ତ୍ରଣା ଭୋଗୁଥିବା ବେଳେ ସଂପୃକ୍ତ ମହିଳାଙ୍କ ପରିବାରକୁ ବସ୍ତିରେ ବାସନ୍ଦ କରିଦିଆଯାଇଛି । ସରକାରୀ ରିପୋର୍ଟ ଆଧାରରେ କରୋନାର ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସାଇ ପଡିଶା କେହି ମିଳାମିଶା କରୁନାହାନ୍ତି । ଏପରିକି ଘର ସାମ୍ନାରେ ବାଡ ପକାଇ ଦିଆଯାଇଛି ।

ସେପଟେ ଭୁବନେଶ୍ୱରର ଆଳୁ ବ୍ୟବସାୟୀ ବାପା-ପୁଅଙ୍କ ସରକାରୀ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ କୋଭିଡ୍ ହସପିଟାଲରେ ଭର୍ତି କରାଯାଇଥିଲା । ତେବେ ଘରୋଇ ହସପିଟାଲ୍ରେ ସେମାନଙ୍କ ରିପୋର୍ଟ ନେଭେଟିଭ୍ ଆସିଥିଲା । ଭିଡିଓ କରି ଅଭିଯୋଗ ଆଣିବା ପରେ ତୁରନ୍ତ ସେମାନଙ୍କୁ ହସପିଟାଲ୍ରୁ ଛାଡି ଦିଆଯାଇଥିବା ଜଣାପଡିଛି । ଏବେ ପ୍ରଶ୍ନ ଉଠୁଛି ସରକାରୀ ରିପୋର୍ଟ ଠିକ୍ ନା’ ଘରୋଇ ହସପିଟାଲ୍ ରିପୋର୍ଟ ଠିକ୍? କୋଭିଡ୍ ପରୀକ୍ଷାରେ କିଛି ତ୍ରୁଟି ରହିଛି କି? ପରୀକ୍ଷା ରିପୋର୍ଟ କାହିଁକି ଦେଉନାହାନ୍ତି ସରକାର? ଖାମଖିଆଲି ପରୀକ୍ଷା ଓ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପାଇଁ କିଏ ଦାୟୀ ରହିବେ?