ଦିଲ୍ଲୀ ଅଗ୍ନିକାଣ୍ଡରେ ଗଲା ୨୭ ଜଣଙ୍କ ଜୀବନ । ଏବେ ବି ମିଳୁନି ୩୦ ଜଣଙ୍କ ପତ୍ତା । ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ।

193

କନକ ବ୍ୟୁରୋ: ଦିଲ୍ଲୀରେ ୪ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ନିଆଁ ଲାଗିବା ଫଳରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ଏକାଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଥିବା ସୂଚନା ଆସୁଛି । ୩୦ଟି ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରିଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାକୁ ନେଇ ଛାନଭିନ୍ ଆରମ୍ଭ କରିଛି ପୁଲିସ ।

ଦିଲ୍ଲୀରେ ୪ ମହଲା ବିଶିଷ୍ଟ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ବିଲଡିଂରେ ଲାଗିଥିବା ନିଆଁ ଦେଖି ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ବିଲଡିଂରୁ ନିର୍ଗତ ହେଉଥିବା ଧୂଆଁ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ଘଟଣା ସ୍ଥଳରେ ପହଞ୍ଚ ଘଟଣା ସ୍ଥିତି ପରଖିଛନ୍ତି ।

ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ୪ ମହଲା ବିଲଡିଂ । ଯେଉଠିଁ ନିଆଁ ଲାଗିବା ପରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବିଲଡିଂରେ ଉପସ୍ଥିତ ଲୋକେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିଲେ । ଏହି ସମୟରେ ଝରକା ଫାଙ୍କରୁ ଡେଉଁଥିବା ଜଣେ ଲୋକ ଗଳିପଡିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଦ୍ୱିତୀୟ ମହଲାରୁ ୨୭ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪୦ ଜଣ ଆହତଙ୍କୁ ବିଲଡିଂ ଭିତରୁ ବାହାର କରାଯାଇଛି । ଘଟଣା ପରେ ବିଲଡିଂ ମାଲିକକୁ ଗିରଫ କରାଯାଇଥିବା ଜଣାପଡିଛି ।

ଏ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି । ସେହିପରି ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।