କନକ ବ୍ୟୁରୋ : ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଭାସିଯାଇଥିବା ୧୫ ବର୍ଷର ଛାତ୍ରର ଏ ଯାଏଁ କୌସସି ପତ୍ତା ମିଳିନାହିଁ । ଟ୍ୟୁସନ୍ ଯାଉଥିବା ବେଳେ ଭୁବନେଶ୍ୱର ଏକ ନାଳରେ ଭାସି ଯାଇଥିଲେ ଜଣେ ଦଶମ ଶ୍ରେଣୀର ଛାତ୍ର । ଗତକାଲି ଅପରାହ୍ନରେ ଗଣ୍ଡମୁଣ୍ଡା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଡ୍ରେନରେ ଭାସି ଯାଇଥିବା ବେଳେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳି ନାହିଁ ।
ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ରାଜା ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ । ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେସାଙ୍ଗେ ଫେରି ଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ । ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରିନଥିଲେ । ଏମିତିକି ଟ୍ୟୁସନ୍ ଯିବା ବାଟରେ ପଡ଼ୁଥିବା ନାଳରେ ବର୍ଷା ଜଳର ସୁଅ ପଡ଼ିଥିବା ବୋଲି ମା’ ରାଜାକୁ ସତର୍କ କରାଇଥିଲେ। କିନ୍ତୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା । ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ। ଶତାବ୍ଦୀନଗର ଲେନ୍-୭ ଦେଇ ଯାଇଥିବା ବିଏମ୍ସିର ଡ୍ରେନ୍ ନମ୍ବର-୮ରେ ରାଜା ଭାସି ଯାଇଥିଲେ ।
ସେ ଉବୁଟୁବୁ ହୋଇ ଭାସି ଯାଉଥିବା ଦେଖି କ୍ୟାଟରିଂ କାମରେ ଆସିଥିବା କିଛି ପିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଡ୍ରେନ୍କୁ ଡେଇଁଥିଲେ । ମାତ୍ର ପ୍ରଖର ସ୍ରୋତରେ ସେମାନେ ରାଜାକୁ ଉଦ୍ଧାର କରିବାର ବିଫଳ ହୋଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ରାଜାକୁ ଖୋଜାଖୋଜି କରିଥିଲେ । ବରମୁଣ୍ଡାରୁ ପଞ୍ଚସଖାନଗର ପର୍ଯ୍ୟନ୍ତ ପ୍ରାୟ ୧୦ କିମି ଡ୍ରେନ୍ରେ ପଶି ବହୁ ଖୋଜାଖୋଜି ପରେ ବି ରାଜାକୁ ପାଇନଥିଲେ। ଏହି ଘଟଣା ପ୍ରଚାର ହେବା ପରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମେତ ଛାତ୍ର ନେତା ୟାସିର ନଵାଜ୍ ସେଠାରେ ପହଞ୍ଚି ବିଏମ୍ସିର ଦାୟିତ୍ବହୀନତା ଉପରେ ବର୍ଷିଥିଲେ। ସେହିଭଳି ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ବିଏମ୍ସି କମିସନରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି ।