୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବାତ୍ୟା କେଉଁଠି କରିବ ମାଡ । ୱିଣ୍ଡି-ଡଟ୍-କମ୍ କହିଲା ୨୬ ତାରିଖ ରାତି ୯ଟାରେ ଚାନ୍ଦବାଲିରେ ହୋଇପାରେ ଲ୍ୟାଣ୍ଡଫଲ୍

1,992

କନକ ବ୍ୟୁରୋ: ଆଉ ଦୁଇଦିନ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପୁଣି ୨ ଦିନ ପରେ ଅର୍ଥାତ ମେ ୨୪ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଦେଖନ୍ତୁ ଏକ ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି-ଡଟ-କମ୍ କଣ ପୂର୍ବାନୁମାନ କରିଛି ।

ମେ ୨୬ ସକାଳ ୬ଟାରେ ବାତ୍ୟାର ଉପସ୍ଥିତି ଏହିଭଳି ରହିଥାଇପାରେ । ଯଦି ୱିଣ୍ଡି-ଡଟ-କମ୍ର ଆକଳନ ସତ ହୁଏ ତେବେ ଏହି ବାତ୍ୟା ଓଡିଶା ଉପକୂଳ ଆଡକୁ ମୁହାଁଉଥିବ । ମେ ୨୬ ତାରିଖ ଅପରାହ୍ନ ୧୨ଟା ବେଳକୁ ବାତ୍ୟା ଆହୁରି ନିକଟତର ହେବ । ଉତର-ପଶ୍ଚିମ ଆଡକୁ ଏହାର ଗତି ଥିବାରୁ ଏହା ଚାନ୍ଦବାଲି ଆଡକୁ ମୁହାଁଉଥିବା ନେଇ ଅନୁମାନ କରିଛି ୱିଣ୍ଡି-ଡଟ-କମ୍ ।

ମେ ୨୬ ତାରିଖ ଅପରାହ୍ନ ୪ଟା ବେଳକୁ ବାତ୍ୟା ଉପକୂଳର ଆହୁରି ନିକଟତର ହେବ । ଏବଂ ଏହାର ପ୍ରଭାବ ପାରାଦ୍ୱୀପ, ଚାନ୍ଦବାଲ. ଭଦ୍ରକ ଉପକୂଳ , ବାଲେଶ୍ୱର ଏବଂ ସେପଟେ ପଶ୍ଚିମବଙ୍ଗର ଦୀଘା ଯାଏଁ ଆରମ୍ଭ ହୋଇଯିବ ।

ମେ ୨୬ ତାରିଖ ରାତି ୮ଟା ବେଳକୁ ବାତ୍ୟାର ପ୍ରଭାବ କିଛି ଏହିଭଳି ଦେଖାଉଛି ୱିଣ୍ଡି-ଡଟ-କମ୍ । ଏହି ସମୟବେଳକୁ ବାତ୍ୟାର ପୁରା ପ୍ରଭାବ ଆରମ୍ଭ ହୋଇଯାଇପାରେ । ଯଦି ୱିଣ୍ଡି-ଡଟ-କମ୍ର ଅନୁମାନ ସତ ହୁଏ ତେବେ ୮ଟା ପରେ ପରେ ଚାନ୍ଦବାଲିରେ ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇପାରେ ।

ମେ ୨୬ ତାରିଖ ୮ଟାରୁ ୧୦ଟା ମଧ୍ୟରେ ବାତ୍ୟା ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଅର୍ଥାତ ସ୍ଥଳଭାଗ ଛୁଇଁପାରେ । ଏହି ଅନୁମାନ ଯଦି ସତ ହୁଏ ତେବେ ପାରାଦ୍ୱୀପ, ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ ।

ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖରେ ବାତ୍ୟାର ରୂପ ନେବ । ତେଣୁ ୨୪ରେ ହିଁ ବାତ୍ୟାର ସଠିକ ଗତି ଆକଳନ କରାଯାଇପାରିବ । ତେଣୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଅନ୍ୟ କାହାର ଆକଳନ ଉପରେ ବିଶ୍ୱାସ ନ କରି ଭାରତୀୟ ପାଣିପାଗ ବିଭାଗର ଆକଳନକୁ ଅପେକ୍ଷା କରାଯିବା ଉଚିତ ।

ଭାରତୀୟ ପାଣିପାଗ ବିଭାଗର ଆଂଚଳିକ କାର୍ଯ୍ୟାଳୟ କହିଛି , ଉପକୂଳ ଅଂଚଳରେ ୨୫ ତାରିଖରୁ ବର୍ଷାର ପରିମାଣ ଯଥେଷ୍ଟ ବଢିଯିବ । ସେପଟେ କାହିଁକି ଏହି ଲଘୁଚାପ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ତାର କାରଣ ନେଇ ବିସ୍ତୁତ ଭାବେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ପ୍ରକୃତରେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟାର ଦିଗ ଠିକ ଭାବେ ଆକଳନ କରିହୁଏ । ତେଣୁ ୱିଣ୍ଡି-ଡଟ-କମ୍ର ଆକଳନକୁ ନେଇ ସନ୍ଦେହ ଉଠିବା ସ୍ୱାଭାବିକ । ୨୪ ତାରିଖ ପରେ ଭାରତୀୟ ପାଣିପାଗ ବିଭାଗ କଣ ପୂର୍ବାନୁମାନ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।