ତୁଟୁନି ତପସ୍ୱିନୀ ସୁମିତଙ୍କ କଳି । କୋର୍ଟଙ୍କ ନିର୍ଦ୍ଦେଶ ପରେ କେଉଁଠି ରହିବେ ତପସ୍ୱିନୀ ତାକୁ ନେଇ ବିବାଦ

218

କନକ ବ୍ୟୁରୋ: ଚର୍ଚ୍ଚିତ ତପସ୍ୱିନୀ-ସୁମିତ ମାମଲାରେ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି । କୋର୍ଟଙ୍କ ରାୟ ପରେ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରକୁ ଯାଇଛନ୍ତି ତପସ୍ୱିନୀ । କିନ୍ତୁ ଶ୍ୱଶୁର ଘର ଲୋକ ତାଙ୍କ ସାଙ୍ଗରେ ରଖିବାକୁ ରାଜି ହେଉ ନାହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମାନି ସେମାନେ ତପସ୍ୱିନୀଙ୍କୁ ଘରେ ରଖିବେ କିନ୍ତୁ ସାଙ୍ଗରେ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ଅନ୍ୟପଟେ ତପସ୍ୱିନୀ କହୁଛନ୍ତି, ସେ ପରିବାର ଲୋକଙ୍କ ସହ ମିଶିକି ରହିବାକୁ ଚାହୁଁଛନ୍ତି ।

ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ବୈବାହିକ ବିବାଦ ତୁଟିବାର ନାଁ ନେଉ ନାହିଁ । କୋର୍ଟ ସୁମିତଙ୍କ ଘରେ ରହିବାକୁ ତପସ୍ୱିନୀଙ୍କୁ ନିର୍ଦ୍ଦେଶ ଦେବା ପରେ ତପସ୍ୱିନୀ କେଉଁଠି ରହିବେ ତାକୁ ନେଇ ନୂଆ ବିବାଦ ଦେଖା ଦେଇଛି । ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଉପର ମହଲାରେ ତପସ୍ୱନୀ ରହିବା ପାଇଁ କଠୋରୀ ସଫା-ସୁତରା କରାଯାଇଛି । କିନ୍ତୁ ତପସ୍ୱିନୀ ଉପର ମହଲାକୁ ଯିବାକୁ ରାଜି ନାହାନ୍ତି । ସୁମିତଙ୍କ ଗ୍ୟାରେଜରେ ଅଛନ୍ତି । କହୁଛନ୍ତି, ସେ ଉପର ମହଲା ଯିବେ ନାହିଁ, ପରିବାର ଲୋକଙ୍କ ସହ ମିଶିକି ରହିବେ ।

ଅନ୍ୟପଟେ ସୁମିତଙ୍କ ବାପା କହିଛନ୍ତି, ତପସ୍ୱିନୀଙ୍କ ରହିବା ପାଇଁ ଉପର ମହଲାରେ ବ୍ୟବସ୍ଥା କରାଯାଇଛି । ମାସର ୧୦ ତାରିଖ ସୁଦ୍ଧା ଚଳିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଟଙ୍କା ମଧ୍ୟ ଦିଆଯିବ । କିନ୍ତୁ ତପସ୍ୱିନୀଙ୍କୁ ସାଙ୍ଗରେ ରଖିହେବ ନାହିଁ । କାରଣ ତପସ୍ୱିନୀ ସାଙ୍ଗରେ ରହିଲେ ପୁଣି ଘରୋଇ ହିଂସାର ମିଛ ଅଭିଯୋଗ ଆଣିବା ସମ୍ଭାବନା ରହିଛି । ସେପଟେ ସୁମିତ ସାହୁଙ୍କ ଓକିଲ କହିଛନ୍ତି, ଜିଲ୍ଲା ଜଜଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିବେ । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଜିଲ୍ଲା ଜଜ୍ ମଙ୍ଗଳବାର ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଇଥିଲେ । ତପସ୍ୱିନୀ ଶାଶୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ତପସ୍ୱିନୀଙ୍କୁ ଘରେ ରଖିବାକୁ ସୁମିତ ପରିବାର ରାଜିଥିବା ବେଳେ ସାଙ୍ଗରେ ରଖିବାକୁ ରାଜି ନାହାନ୍ତି ।