କେଉଁଠୁ ଲଢିବେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ? ଭୁବନେଶ୍ୱର ଲୋକସଭା ଆସନ ନା ଖୋର୍ଦ୍ଧା ବିଧାନସଭା ଆସନ? ରାଜନୈତିକ ମହଲରେ ବଢିଲା ଚର୍ଚ୍ଚା

404

କନକ ବ୍ୟୁରୋ: କେଉଁଠୁ ଲଢିବେ ସୁରଙ୍କ ସାନପୁଅ? କେଉଁ ଆସନରୁ ଭାଗ୍ୟ ପରୀକ୍ଷା କରିବେ କ୍ୟାପଟେନ୍ ମନ୍ମଥ ରାଉତରାୟ? ଭୁବନେଶ୍ୱର ଲୋକସଭା ଆସନ ନା ଖୋର୍ଦ୍ଧା କିମ୍ବା ଜଟଣୀ ବିଧାନସଭା ଆସନ? ରବିବାର ଶଙ୍ଖ ଭବନରେ ବିଜେଡିରେ ସାମିଲ ହେବା ବେଳେ ମନ୍ମଥ ଏମିତି କିଛି କଥା କହିଛନ୍ତି, ଯାହାକୁ ନେଇ ଏହି ସବୁ ପ୍ରଶ୍ନ ଏବେ ରାଜନୈତିକ ସମୀକ୍ଷକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

ମିଶ୍ରଣ ପର୍ବରେ କହୁ କହୁ ମନ୍ମଥ କହିଦେଇଥିଲେ ଯେ, ସେ ଜଣେ ସୈନିକ ଆଉ ସୈନିକ ହେଇ ସେ ଦଳରେ ସାମିଲ ହେଇଛନ୍ତି । ତାଙ୍କୁ କେଉଁ ଦାୟିତ୍ୱ ମିଳିବ ସେ ଜାଣିନାହାଁନ୍ତି । ହେଲେ ଖୋର୍ଦ୍ଧା ଆଉ ଜଟଣୀର ବିକାଶ ପାଇଁ ଯାହା ବି ଦାୟିତ୍ୱ ମିଳେ, ସେ ତାକୁ ଧର୍ମ ମାନି ପାଳନ କରିବେ । ଆଉ ମନ୍ମଥଙ୍କ ଏହି କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

କୁହାଯାଉଛି ମନ୍ମଥ ରାଉତରାୟଙ୍କୁ ବିଜେଡି ଖୋର୍ଦ୍ଧା କିମ୍ବା ଜଟଣୀ ଆସନରୁ ବିଧାୟକ ପ୍ରାର୍ଥୀ କରିପାରେ । ଯେହେତୁ ଜଟଣୀରେ ସୁରଙ୍କ କ୍ରେଜ୍ ରହିଛି, ତେଣୁ ତାଙ୍କ ପୁଅକୁ ଟିକେଟ୍ ଦେଇ ଏହି ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ମଧ୍ୟ ଜଟଣୀ ବିଧାନସଭା ଆସନରୁ ଟିକେଟ୍ ରେସରେ ଅଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରୁ କାହାକୁ ଜଟଣୀ ଟିକେଟ୍ ମିଳିବ ତାକୁ ନେଇ ଚର୍ଚ୍ଚା ବଢିଛି ।

ଅନ୍ୟପଟେ ଯଦି ମନ୍ମଥଙ୍କୁ ଜଟଣୀ ଟିକେଟ୍ ନଦିଆଯାଏ, ତେବେ ତାଙ୍କୁ ସମ୍ଭବତଃ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ୍ ଦେଇପାରେ ଶଙ୍ଖ ଦଳ । କାହିଁକି ନା, ଯେବେଠୁ ଖୋର୍ଦ୍ଧାର ବିଜେଡି ନେତା ରାଜା ସାହୁ ବେଗୁନିଆ ଯାଇ ବିଧାୟକ ହେଇଛନ୍ତି, ଆଉ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଅସୁସ୍ଥତା କାରଣରୁ ଅନେକ ବୈଠକରେ ଅନୁପସ୍ଥିତ ରହୁଛନ୍ତି । ସେବେଠୁ ଖୋର୍ଦ୍ଧା ବିଜେଡିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଇଛି । ଆଉ ସେହି ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବାକୁ ମନ୍ମଥଙ୍କୁ ଖୋର୍ଦ୍ଧା ଟିକେଟ୍ ଦେଇପାରେ ବିଜୁ ଜନତା ଦଳ । ତେଣୁ ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ କୁହାଯାଉଛି, ମନ୍ମଥ ଆଉ ବିଭୂତି ବଳବନ୍ତରାୟଙ୍କ ମଧ୍ୟରୁ ଜଣକୁ ଖୋର୍ଦ୍ଧା ଆଉ ଅନ୍ୟ ଜଣକୁ ଜଟଣୀ ଆସନ ମିଳିପାରେ ।

ମନ୍ମଥଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା କେବଳ ଏତିକିରେ ଥମିନାହିଁ । କୁହାଯାଉଛି ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ଲଢାଇପାରେ ବିଜେଡି । ଏହାର ଏକ ଛୋଟିଆ ସଙ୍କେତ ମଧ୍ୟ ଖୋଦ୍ ନିଜେ ମନ୍ମଥ ରାଉତରାୟ ଦେଇଛନ୍ତି । କଥା ଛଳରେ କହୁ କହୁ ମନ୍ମଥ କହିଛନ୍ତି ଯେ, ସେ ସାଂସଦ ସସ୍ମିତ ପାତ୍ରଙ୍କୁ ବହୁତ ଅନୁସରଣ କରନ୍ତି । ଆଉ ସଂସଦରେ ସେ ଦେଇଥିବା ସ୍ପିଚକୁ ମଧ୍ୟ ଅନୁସରଣ କରନ୍ତି । ଭବିଷ୍ୟତରେ ତାଙ୍କ ଭଳି କାମ କରି ଭଲ ଭାଷଣ ଦେବାକୁ ମଧ୍ୟ ତାଙ୍କର ଇଚ୍ଛା ଅଛି ବୋଲି ମନ୍ମଥ କହିଛନ୍ତି । ତେବେ ମନ୍ମଥଙ୍କ ଏହି କଥାର ରାଜନୈତିକ ସନ୍ଧିବିଚ୍ଛେଦ କରି ରାଜନୈତିକ ଆଲୋଚକମାନେ ତାଙ୍କୁ ଲୋକସଭା ଟିକେଟ୍ ମିଳିପାରେ ବୋଲି ମଧ୍ୟ ଅନୁମାନ କରୁଛନ୍ତି । ହେଲେ ମନ୍ମଥଙ୍କୁ କେଉଁ ଆସନରୁ ଟିକେଟ୍ ମିଳୁଛି? ଆଉ ସେ କେଉଁ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।