କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଆବାସଠାରୁ ବି ବଡ ହେବ ସେହି ବଙ୍ଗଳା ଯେଉଁଠାରେ ବର୍ତ୍ତମାନ ରାହୁଲ ଗାନ୍ଧୀ ରହିବାକୁ ଯାଉଛନ୍ତି । ଆଉ ଗୋଟେ କଥା ଏହି ବଙ୍ଗଳାଠାରୁ ବି ବଡ ଏହି ବଙ୍ଗଳାର ଇତିହାସ । ଗତ ଫେବ୍ରୁଆରୀ ୨୬ ତାରିଖରେ କଂଗ୍ରେସର ଅଧିବେଶନରେ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ ଯେ ତାଙ୍କ ପାଖରେ କୌଣସି ଘର ନାହିଁ । ନିକଟରେ ତାଙ୍କର ଲୋକସଭା ସଦସ୍ୟତା ଯିବା ପରେ ତାଙ୍କୁ ମିଳିଥିବା ଘର ମଧ୍ୟ ତାଙ୍କୁ ଖାଲି କରିବାକୁ କୁହାଯାଇଥିଲା । ତେବେ ଲମ୍ବା ସମୟ ଧରି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଯେ ବର୍ତ୍ତମାନ ରାହୁଲ ଗାନ୍ଧୀ ରହିବେ କେଉଁଠି? ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଘରେ ରହିବା ପାଇଁ ଆମନ୍ତ୍ରିତ କରିଥିଲେ । ତେବେ ରାହୁଲ ଏଥିପାଇଁ ମନା କରିଦେଇଥିଲେ । ଏବେ ରାହୁଲ ଯେଉଁ ଘରେ ରହିବେ ସେହି ଘର ପୂର୍ବଅପେକ୍ଷା ବଡ । ତାଛଡା ପ୍ରଧାନମନ୍ତ୍ରୀଙ୍କ ଆବାସଠାରୁ ମଧ୍ୟ ଏହା ବଡ । ପ୍ରଶ୍ନ ଏବେ ଉଠୁଛି କେଉଁଠି ରହିବେ ରାହୁଲ ଗାନ୍ଧୀ , କେଉଁ ବଙ୍ଗଳାରେ ରହିବେ ରାହୁଲ ଗାନ୍ଧୀ, କଣ ଏହି ବଙ୍ଗଳାର ଇତିହାସ ଆସନ୍ତୁ ଜାଣିନେବା ...

Advertisment

ରାହୁଲ ଗାନ୍ଧୀ ୧୨ ତୁଗଲକ ଲେନରେ ଥିବା ବଙ୍ଗଳା ଛାଡି ୧୦ ଜନପଥକୁ ସ୍ଥାନାନ୍ତର ହେଉଛନ୍ତି । ଏହା ହେଉଛି ସୋନିଆ ଗାନ୍ଧୀଙ୍କ ବଙ୍ଗଳା । ରାହୁଲ ଗାନ୍ଧୀ ବର୍ତ୍ତମାନ ନିଜ ମାଆ ସୋନିଆ ଗାନ୍ଧୀଙ୍କ ସହ ରହିବେ । ଏପ୍ରିଲ ୨୪ ସୁଦ୍ଧା ରାହୁଲ ଗାନ୍ଧୀଙ୍କୁ ଏହି ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ୨୦୦୫ ମସିହାରେ ରାହୁଲ ଗାନ୍ଧୀଙ୍କୁ ଏହି ବଙ୍ଗଳା ସେତେବେଳେ ମିଳିଥିଲା ଯେତେବେଳେ ୨୦୦୪ରେ ସେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଆମେଠିରୁ ପ୍ରଥମ ଥର ସାଂସଦ ହେବା ପରେ ତାଙ୍କୁ ଏହି ବଙ୍ଗଳା ଆବଣ୍ଟିତ କରାଯାଇଥିଲା । ସେପଟେ ସୋନିଆ ଗାନ୍ଧୀ ବିଗତ ୩୨ ବର୍ଷ ହେବା ୧୦ ଜନପଥରେ ରହିଆସୁଛନ୍ତି ।

ଆସନ୍ତୁ ପ୍ରଥମେ ୧୦ ଜନପଥର ଇତିହାସ କଣ ସେ ବାବଦରେ କଥା ହେବା । ୧୯୬୪ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ତାଙ୍କ ବାସଭବନ ତ୍ରିମୂର୍ତ୍ତି ଭବନକୁ କଂଗ୍ରେସ ନେହରୁ ମୋମରିଆଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସେତେବେଳେ ପ୍ରଶ୍ନ ଉଠିଥିଲା ଯେ ନୂଆ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀ ରହିବେ କେଉଁଠି ? ସେହି ସମୟରେ ଲାଲବାହଦୂର ଶାସ୍ତ୍ରୀଙ୍କୁ ୧୦ ଜନପଥ ବଙ୍ଗଳା ପ୍ରଦାନ କରାଯାଇଥିଲା । ତେବେ ୧୯୬୬ ଫେବ୍ରୁଆରୀ ୧୧ ବଙ୍ଗଳା ମିଳିବାର ୨ ବର୍ଷ ପରେ ଶାସ୍ତ୍ରୀ ଜୀଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ୧୯୯୦ ଜାନୁଆରୀ ୧୨ରେ ଏହି ବଙ୍ଗଳାରେ ରହିବା ପାଇଁ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ରହିବା ପାଇଁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୯୧ ମସିହା ମେ ୨୧ରେ ଗାଜୀବ ଗାନ୍ଧୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଏହି ବଙ୍ଗଳାକୁ ସୋନିଆ ଗାନ୍ଧୀଙ୍କୁ ଆବଣ୍ଟିତ କରିଦିଆଯାଇଥିଲା । ସେବେଠାରୁ ଆଜି ଯାଏ ସୋନିଆ ସେହି ବଙ୍ଗଳାରେ ରହିଆସୁଛନ୍ତି ।

ଏହାରି ଭିତରେ ୩ ଦଶକ ବିତିସାରିଛି । ଏବେ ବି ସୋନିଆ ଗାନ୍ଧୀ ସେହି ବଙ୍ଗଳାରେ ରହିଆସୁଛନ୍ତି । ସୋନିଆ ରହୁଥିବା ଏହି ବଙ୍ଗଳା ୧୫,୧୮୧ ବର୍ଗ ମିଟର ଅଞ୍ଚଳରେ ବ୍ୟାପିରହିଛି । ଖାସ କଥା ହେଉଛି ଏହା ପ୍ରଧାନମନ୍ତ୍ରୀଙ୍କ ବଙ୍ଗଳାଠାରୁ ମଧ୍ୟ ବଡ । ପ୍ରଧାନମନ୍ତ୍ରୀଙ୍କ ଘର ଯାହା ୭ ଲୋକକଲ୍ୟାଣ ମାର୍ଗରେ ରହିଛି ତାହା ୧୪ ହଜାର ୧୦୧ ବର୍ଗ ମିଟରରେ ବ୍ୟାପିରହିଛି । ଏହିଭଳି ସ୍ଥିତିରେ ଦେଶରେ ହମିଦ ଅନସାରୀ ଏବଂ ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ହିଁ ସୋନିଆ ଗାନ୍ଧୀଙ୍କ ଠାରୁ ବଡ ଘରେ ରହିଛନ୍ତି ।

ରାଷ୍ଟ୍ରପତି ଭବନ ପାଇଁ ୩୨୦ ଏକର ଜମି ଆବଣ୍ଟିତ ହୋଇଛି । ବିଶ୍ୱରେ ଏତେ ବଡ ଜମି କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଦିଆଯାଇନାହିଁ । ସେହିଭଳି ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ୬ ମୌଲାନ ରୋଡସ୍ଥିତ ଆବାସ ୨୬ ହଜାର ୩୩୩ ବର୍ଗ ମିଟର ଅଞ୍ଚଳରେ ବ୍ୟାପିରହିଛି । ଅନେକ ଜଣ ଭାବୁଥିବେ ଯେ ରାହୁଲ ଗାନ୍ଧୀଙ୍କ ପାଖରେ କେମିତି କୌଣସି ସମ୍ପତ୍ତି ନାହିଁ । ତେବେ ଏହା ନୁହେଁ ଯେ ରାହୁଲଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ । ୨୦୧୯ରେ ଲୋକସବା ନିର୍ବାଚନ ବେଳେ ରାହୁଲଗାନ୍ଧୀ କରିଥିବା ସତ୍ୟପାଠରେ ଉଲ୍ଲେଖ ଅଛି ଯେ ଦିଲ୍ଲୀ ମେହେରୌଲିର ୨.୩ ଏକର ଜମି ତାଙ୍କୁ ମିଳିଛି । ଏହାର ମୂଲ୍ୟ ୧.୩୨ କୋଟି ଟଙ୍କା । ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅଂଶୀଦାର ଅଛନ୍ତି । ଏଥିରେ ଗୋଟିଏ ଫାର୍ମହାଉସ ରହିଛି । ଯାହାର ମୂଲ୍ୟ ୧୬ ଲକ୍ଷ ଟଙ୍କା । ରାହୁଲଙ୍କ ପାଖରେ ଗୁରୁଗ୍ରାମର ସିଲୋଖେଡା ସିଗ୍ନେଚର ଟାୱାର-୨ରେ ୨ଟି କମର୍ସିଆଲ ସ୍ପେସ ରହିଛି । ଏହି ଦୁଇଟି ଦୋକାନର ବର୍ତ୍ତମାନର ବଜାର ଦର ୮ କୋଟି ୭୫ ଲକ୍ଷ ଟଙ୍କା । ଏହାକୁ ସେ ଭଡାରେ ଲଗାଇଛନ୍ତି ।
ତେବେ ସବୁ ଆଲୋଚନା ଭିତରେ ରାହୁଲ ଶେଷରେ ୧୦ ଜନପଥରେ ନିଜ ମାଆଙ୍କ ପାଖରେ ରହିବେ । ସୋନିଆ ଗାନ୍ଧୀ ୩୦ ବର୍ଷ ଧରି ଯେଉଁ ଘରେ ରହିଆସୁଛନ୍ତି ବର୍ତ୍ତମାନ ରାହୁଲ ସେହି ଘରେ ରହିବେ । ଉଭୟ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କର ଗୋଟିଏ ଠିକଣା ହେଉଛି ୧୦ ଜନପଥ ।