କେରଳରେ ନିର୍ବାଚନୀ ହଲଚଲ । ରାହୁଲଙ୍କ ବିରୋଧରେ ସିପିଆଇର ପ୍ରାର୍ଥୀ ଘୋଷଣା । ୱାଏନାଡରେ ରାହୁଲଙ୍କ ବିରୋଧରେ ଆନୀ ରାଜା ପ୍ରାର୍ଥୀ

87

କନକ ବ୍ୟୁରୋ: କଂଗ୍ରେସ ନେତା ତଥା ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଏଥର କେଉଁଠୁ ଲଢିବେ ନିର୍ବାଚନ? ୨୦୨୪ ସାଧାରଣ ନିର୍ବାଚନରେ ରାହୁଲଙ୍କୁ ୱାଏନାଡ ଆସନ ଛାଡିବାକୁ ପଡିବ କି ? ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଇଣ୍ଡିଆନ ୟନିଅନ୍ ମୁସଲିମ ଲିଗ୍ ବା ଆଇୟୁଏମଏଲ କେରଳରେ ତିନୋଟି ଲୋକସଭା ଆସନ ଦାବି କରୁଛି । ସେପଟେ ସିପିଆଇଏର ଶୀର୍ଷ ନେତା ଡି ରାଜାଙ୍କ ପତ୍ନୀ ଆନି ରାଜାଙ୍କୁ ୱାଏନାଡରୁ ପ୍ରାର୍ଥୀ କରାଯାଇଛି । ସିପିଆଇର ପ୍ରାର୍ଥୀ ଘୋଷଣାକୁ କଂଗ୍ରେସ ସହଜରେ ଗ୍ରହଣ କରିବନି । ସେପଟେ ସିପିଆଇଏମ କହିଛି ଯଦି କଂଗ୍ରେସର ଲଢ଼େଇ ବିଜେପି ସହ ତେବେ ସିପିଆଇଏମ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଛିଡା କରିବା ପୂର୍ବରୁ କଂଗ୍ରେସ ଥରୁଟିଏ ବିଚାର କରିବା ଜରୁରୀ ।

କେଉଁଠୁ ଲଢ଼ିବେ ରାହୁଲ ଗାନ୍ଧୀ?

  • ବିଜେପିକୁ ମାତ ଦେବାକୁ ଇଣ୍ଡିଆ ମେଂଟ ଗଠନ ହୋଇଛି
  • ମେଣ୍ଟର ସଦସ୍ୟ ରହିଛି ସିପିଆଇ
  • କିନ୍ତୁ ୱାଏନାଡ ମୁସଲିମ୍ ବୁହଳ ଅଞ୍ଚଳ ହୋଇଥିବାରୁ ଆଇୟୁଏମଏଲ ଏହି ଆସନ ପାଇଁ ଦାବି କରୁଛି
  • ଅନ୍ୟପଟେ ସିପିଆଇ ପ୍ରାର୍ଥୀ ଘୋଷଣା କରିବା ପରେ ଏହି ଆସନକୁ ନେଇ ଅଡୁଆ ବଢିଛି

ଉଭୟ ଦୁଇ ଦଳ ଇଣ୍ଡିଆ ମେଣ୍ଟରେ ଅଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କ’ଣ ରାହୁଲ ଗାନ୍ଧୀ ପ୍ରାର୍ଥୀ ହୋଇ ମେଣ୍ଟ ସହଯୋଗୀଙ୍କୁ ଅସନ୍ତୁଷ୍ଟ କରିବେ? ମେଣ୍ଟ ଧର୍ମ ରକ୍ଷା କରିବାକୁ ଯାଇ ରାହୁଲ ଗାନ୍ଧୀ ୱାଏନାଡ ଆସନ ଛାଡିବେ କି?

କେରଳରେ ମୋଟ ୨୦ ଆସନ ରହିଛି । ଗତ ନିର୍ବାଚନରେ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଆସନ ଆମେଠି ଓ ୱାଏନାଡରୁ ଲଢ଼ିଥିଲେ । ଯଦିଓ ଆମେଠିରୁ ସେ ପରାସ୍ତ ହୋଇଥିଲେ କିନ୍ତୁ ୱାଏନାଡରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ । ୱାଏନାଡକୁ ନେଇ ସସପେନ୍ସ ଚାଲିଛି । ସେପଟେ ସୋନିଆ ଗାନ୍ଧୀ ରାଜ୍ୟସଭାକୁ ଯିବା ପରେ ରାଏବରେଲୀ ଆସନ ମଧ୍ୟ ଖାଲି ପଡିଛି । ଅନ୍ୟପଟେ ଆମେଠି ଆସନ ମଧ୍ୟ ଗାନ୍ଧୀ ପରିବାର ପାଇଁ ସମ୍ମାନର ପ୍ରଶ୍ନ । ଏବେ ଉଠୁଛି ପ୍ରଶ୍ନ ରାହୁଲ ୨୦୨୪ରେ ପୁଣିଥରେ କେଉଁ ଆସନରୁ ପ୍ରାର୍ଥୀ ହେବେ ?

ରାହୁଲଙ୍କ ପାଇଁ ଉତରପ୍ରଦେଶ ମଧ୍ୟ କିଛି କମ ଚ୍ୟାଲେଞ୍ଜ ନୁହେଁ । ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଉପରେ ଫୋକସ କରିପାରନ୍ତି । ସବୁ ଚ୍ୟାଲେଞ୍ଜ ଭିତରେ ରାହୁଲ ଗାନ୍ଧୀ ସଂସଦକୁ ନିର୍ବାଚିତ ହେବା ଜରୁରୀ ବୋଲି ଦଳ ହୃଦବୋଧ କରେ । ତେଣୁ ସେ ସେଫ୍ ସିଟ୍ ପାଇଁ କର୍ଣ୍ଣାଟକ ଏବଂ ତେଲେଙ୍ଗାନାକୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।