କୋଭିଡ-୧୯ ଭ୍ୟାକ୍ସିନ ପଲିସିକୁ ନେଇ ପ୍ରଶ୍ନ ଘେରରେ କେନ୍ଦ୍ର ସରକାର । ବିରୋଧୀଙ୍କ ପରେ ଏବେ କୋର୍ଟ ଉଠାଇଲେ ପ୍ରଶ୍ନ ।

766

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରର ପ୍ରଭାବ କମ କରିବା ଓ ତୃତୀୟ ଲହରରୁ ବଞ୍ଚିବା ପାଇଁ ଦେଶରେ ଟିକାକରଣ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୨୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଛି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ଯେଭଳି ଭାବେ ଭ୍ୟାକ୍ସିନ ନୀତିକୁ ଆଗକୁ ବଢାଯାଉଛି ତାହାକୁ ନେଇ ପ୍ରଥମେ ବିରୋଧୀ ଓ ଏବେ କୋଟ ର୍ ପ୍ରଶ୍ନ ଉଠାଇଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟିକା ନୀତିକୁ ପ୍ରଥମେ ବିରୋଧୀ ଦଳମାନେ ଫେଲ୍ ହୋଇଥିବା ଦର୍ଶାଇବା ପରେ ଏବେ ସୁପ୍ରିମ କୋର୍ଟ ବି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଫଳରେ ବିଶ୍ୱରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଚଳାଉଛନ୍ତି ବୋଲି ପ୍ରଚାର କରୁଥିବା କେନ୍ଦ୍ର ସରକାର ଏବେ ଚାରିପଟୁ ଘେରାବନ୍ଦି ହୋଇଛନ୍ତି ।

କେନ୍ଦ୍ର ସରକାରଙ୍କର ଟିକାକରଣ ନୀତିକୁ ନେଇ ସୁପ୍ରିମକୋର୍ଟ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । କୋର୍ଟ ତରଫରୁ କେନ୍ଦ୍ର ସରକାରଙ୍କୁ ପଚରାଯାଇଛି କି, ୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ସରକାର ପ୍ରସ୍ତୁତ କରିଥିବା ଟିକାନୀତି ଏବେ ତର୍କହୀନ ଓ ମନମାନି ନୁହେଁ କି? ଏହାସହ ସାଧାରଣ ବଜେଟରେ ଭ୍ୟାକ୍ସିନ ପାଇଁ ଘୋଷିତ ହୋଇଥିବା ୩୫ ହଜାର କୋଟି ସରକାର କେଉଁଠି ଖର୍ଚ୍ଚ କରିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଟିକାକରଣରେ ଡେରି ହେଉଥିବାକୁ ନେଇ କୋର୍ଟ କହିଛନ୍ତି କି ଯେତେବେଳେ ନାଗରିକଙ୍କ ଅଧିକାର ସଂକଟରେ ସେତେବେଳେ କୋର୍ଟ ଚୁପ ହୋଇ ବସିପାରିବ ନାହିଁ । ଏଭଳି ଭାବେ ସୁପ୍ରିମକୋର୍ଟ ଭ୍ୟାକ୍ସିନ ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ପୁରା ହିସାବ ମାଗିଛନ୍ତି । ଏବେ କେନ୍ଦ୍ରକୁ କୋର୍ଟରେ ଯବାବ୍ ଦେବାକୁ ହେବ କି, ସରକାର କେବେ କେବେ ଭ୍ୟାକ୍ସିନ କିଣିଛନ୍ତି । ପୁରା ଦେଶର ଲୋକଙ୍କୁ ଟିକା ଲଗାଇବାକୁ କ’ଣ ଯୋଜନା ରହିଛି । କୋର୍ଟ ୨ ସପ୍ତାହ ମଧ୍ୟରେ ଏହାର ଜବାବ୍ ଦେବାକୁ ସରକାରଙ୍କୁ କହିଛନ୍ତି ।