ଜଗା ଦର୍ଶନ ପାଇଁ ହସ୍ପିଟାଲ ଦେଇଥାଇପାରେ ନକଲି ରିପୋର୍ଟ । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ମିଳିଛି ନେଗେଟିଭ ସାର୍ଟିଫିକେଟ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

276

କନକ ବ୍ୟୁରୋ: ସର୍ବସାଧାରଣଙ୍କୁ ଜଗା ଦର୍ଶନ ପାଇଁ ଦ୍ୱିତୀୟ ଦିନରେ ବଢ଼ିଲା ଦ୍ୱନ୍ଦ । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ଗତକାଲି ହଜାର ହଜାର ଲୋକ ଘରୋଇ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇଥିଲେ । ଲୋକଙ୍କ ଭିଡ ଜମିଥିବା ବେଳେ ପୁରୀର ଏକ ଘରୋଇ ହସ୍ପିଟାଲ ନକଲି ରିପୋର୍ଟ ଦେଇଥାଇପାରେ ସନ୍ଦେହ କରାଯାଉଛି । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ହସ୍ପିଟାଲ ପକ୍ଷରୁ କରୋନାର ନେଗେଟିଭ ସାର୍ଟିଫିକେଟ ଦିଆହୋଇଥିଲା । ହେଲେ ସ୍ୱାସ୍ଥ୍ୟ ବିଭାଗକୁ ପାଖକୁ ଏନେଇ କିଛି ବି ତଥ୍ୟ ଯାଇନାହିଁ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତବେ କୋଭିଡ ରିପୋର୍ଟ ଜାଲିଆତି ଅଭିଯୋଗ ଆସିବା ପରେ ସଂପୃକ୍ତ ଘରୋଇ ହସ୍ପିଟାଲରେ ଚଢାଉ କରିଛି ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ବାହାର ଭକ୍ତଙ୍କ କୋଭିଡ ଟେଷ୍ଟ ପୁରୀରେ ହୋଇପାରିବ ନାହିଁ ବୋଲି କୁହାଯାଇଥିବା ବେଳେ ଏକ ଘରୋଇ ହସ୍ପିଟାଲ ଏହାର ଉଂଲଘନ କରିଥିବା ନେଇ ଚଢାଉ ହୋଇଛି ବୋଲି ସିଡିଏମଓ କହିଛନ୍ତି ।