କନକ ବ୍ୟୁରୋ: ବାଲେଶ୍ୱରରେ କର୍ଫ୍ୟୁ ପାଇଁ ଅସୁବିଧା ଭୋଗୁଛନ୍ତି ଲୋକ । କର୍ଫ୍ୟୁ ପରେ ଏକସପ୍ତାହ ହେଲାଣି ବାଲେଶ୍ୱରରେ ମୋବାଇଲ ଇଣ୍ଟରନେଟ ପାଇଁ ହଟହଟା ହେଉଛନ୍ତି ଲୋକେ । କିଛି ସ୍ଥାନର କର୍ପ୍ୟୁ କୋହଳ ହୋଇଥିଲେ ବି ମୋବାଇଲ ଇଣ୍ଟରନେଟ ଆସୁନାହିଁ । ଆଜିକାଲି ଇଣ୍ଟରନେଟ ଲୋକଙ୍କ ପାଇଁ ଜରୁରୀ ହୋଇପଡିଥିବାବେଳେ କଟକଣା ଯୋଗୁଁ ଅସୁବିଧା ସୃଷ୍ଟି ହୋଇଛି । ଆଉ ଯେଉଁଠି ନେଟୱର୍କ ଆସୁଛି ସେଠାରେ ଭିଡ ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲି ସହଦେବଖୁଂଟା ଅଂଚଳରେ ସକାଳ ୫ଟାରୁ ରାତି ୯ ଯାଏଁ କର୍ଫ୍ୟୁ କୋହଳ ହେବ । ଟାଉନଥାନା ଅଂଚଳରେ ସକାଳ ୫ଟାରୁ ୨ଟା ଯାଏଁ କର୍ଫ୍ୟୁ କୋହଳ ହେବ ବୋଲି କୁହାଯାଇଛି । କାଲିଠାରୁ ମୋବାଇଲ ନେଟ୍ ଆସିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।

Advertisment

କେଉଁ ଅସମୟରେ ଘଟିଯାଇଥିବା ଏକ ଅଘଟଣ କେମିତି ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରେ, ଇଏ ହେଉଛି ତାର ଚିତ୍ର । କିଏ ରାସ୍ତା ଉପରେ ନେଟୱର୍କ ଖୋଜିଛି, ତ ଆଉ କିଏ ଘରୁ ବାହାରକୁ ଆସି ମୋବାଇଲ୍ ଇଣ୍ଟରନେଟ ସେବା ସ୍ୱାଭାବିକ୍ ହେଲା କି ଯାଂଚ୍ କରି ଦେଖୁଛି । କର୍ଫ୍ୟୁ କଟକଣା ଭିତରେ ମୋବାଇଲ୍ ଇଣ୍ଟରନେଟ ପାଇଁ ବାଲେଶ୍ୱରରେ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି । ସହର ଛାଡି ଇଣ୍ଟରନେଟ ଆସୁଥିବା ଅଂଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଯଦିଓ ପରିସ୍ଥିତି ସୁଧୁରୁଛି ତଥାପି ସଂପୂର୍ଣ୍ଣ ସ୍ୱାଭାବିକ୍ ହୋଇନାହିଁ ଜୀବନ ଯାତ୍ର । ସମ୍ପୂର୍ଣ୍ଣ କର୍ଫ୍ୟୁ ହଟିନାହିଁ, ମୋବାଇଲ ଇଂଟରନେଟ୍ ଉପରେ କଟକଣା ରହିଛି । ସହରକୁ ପୁଲିସ୍ ଓ ଯବାନ ଜଗିଛନ୍ତି । ସମ୍ବୋଦଶୀଳ ଅଂଚଳରେ ଡ୍ରୋନର ନଜର ରହିଛି ।

ତେବେ ମୋବାଇଲ ଇଣ୍ଟରନେଟ୍ ସେବା ବ୍ୟତୀତ ସବୁ ଇଣ୍ଟରନେଟ ସେବା ଜାରି ରହିଛି । କିନ୍ତୁ ଅଧିକାଂଶ ଲୋକେ ମୋବାଇଲରେ ଇଂଟରନେଟ ଚଳାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୯ଟି ମାମଲା ରୁଜୁ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ ୭୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ଜୀନବଯାତ୍ରା କେତେ ସ୍ୱାଭାବିକ ହେବ, ସେହି ଅପେକ୍ଷାରେ ରହିଛନ୍ତି ବାଲେଶ୍ୱରବାସୀ ।