କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଭିତରେ ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେନସ୍କିଙ୍କ ଉପରେ ରହିଛି ସାରା ବିଶ୍ୱର ନଜର । ଦୁଇ ଦେଶର ଲଢେଇ ଭିତରେ ସେ ଦେଶଛାଡି ପୋଲାଣ୍ଡ ପଳାଇଥିବା ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଜେଲେନସ୍କି ନିଜେ କିଭରେ ତାଙ୍କ କାର୍ଯ୍ୟାଳୟରୁ ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି ଯେ, ସେ ଦେଶ ଛାଡି କୁଆଡେ ଯାଇନାହାନ୍ତି ।
କେଉଁଠି ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି ? ପୋଲାଣ୍ଡ ପଳାଇ ଯାଇଥିବା ଖବରକୁ ଜେଲେନସ୍କିଙ୍କ ଖଣ୍ଡନ । ରୁଷ୍ ଦାବି କରିଥିଲା ଯେ, ୟୁକ୍ରେନ ରାଷ୍ଟ୍ରପତି ଦେଶ ଛାଡ଼ି ପୋଲାଣ୍ଡ ପଳାଇଛନ୍ତି । ଏହି ଖବର ପରେ ସାମ୍ନାକୁ ଆସିଛନ୍ତି ଜେଲେନସ୍କି । ନିଜେ ଏକ ଭିଡିଓ ଜାରି କରି ସେ କହିଛନ୍ତି ଯେ, ସେ ଦେଶ ଛାଡ଼ିନାହାନ୍ତି କିମ୍ବା ଛାଡ଼ିବାର କୌଣସି ଯୋଜନା ବି ନାହିଁ । ବରଂ ରାଜଧାନୀ କିଭରେ ରହି ସେ ଯୁଦ୍ଧ ପରିଚାଳନା କରୁଛନ୍ତି ।
ଜେଲେନସ୍କି କହିଛନ୍ତି, ‘ମୁଁ କିଭରେ ଅଛି.. ମୋ କାର୍ଯ୍ୟାଳୟରେ ଅଛି..ପ୍ରତି ୨ ଦିନରେ ଏଭଳି ସୂଚନା ଦିଆଯାଉଛି ଯେ, ମୁଁ କେଉଁଆଡେ ଲୁଚିଯାଇଛି.. ୟୁକ୍ରେନରୁ, କିଭରୁ ମୋ କାର୍ଯ୍ୟାଳୟରେ ବସି କହୁଛି.. ମୁଁ ଏଇଠି ଅଛି.. ମୋ ଜାଗାରେ ଅଛି । କେହି କୁଆଡେ ପଳାଇନି । ଆମେ ସଭିଏଁ କାମ କରୁଛୁ ।’
ରୁଷ ବିରୋଧରେ ନିଜ ସେନା ଓ ଦେଶବାସୀଙ୍କୁ ଏକାଠି କରିବାରେ ବେଶ୍ ସଫଳ ହୋଇଛନ୍ତି ୟୁକ୍ରେନ ରାଷ୍ଟପ୍ରତି । ଏପରିକି ମସ୍କୋ ବିଜୟ ଆଗରେ ସବୁଠୁ ବଡ଼ ପ୍ରତିବନ୍ଧକ ପାଲଟିଛନ୍ତି ଜେଲେନସ୍କି । ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ରୁଷ୍ ଗୋଟିଏ ପରେ ଗୋଟିଏ ଯୋଜନା କରୁଛି । ଏପରିକି ତାଙ୍କୁ ହତ୍ୟା କରିବାକୁ ୩ ଥର ଉଦ୍ୟମ ହୋଇ ସାରିଥିବା ଭିଡିଓ ଜାରି କରି ନିଜେ କହିଛନ୍ତି ଜେଲେନସ୍କି । ଏହି ଆକ୍ରମଣ ପଛରେ ରୁଷ୍ ଗୁଇନ୍ଦା ସଂସ୍ଥାର କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।
ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ରୁଷ୍ ସେନାକୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା । ଆଉ ଏହାର ନେତୃତ୍ୱ ନେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ତେଣୁ ତାଙ୍କ ଉପରେ ସାରା ବିଶ୍ୱର ନଜର ଅଟକିଛି ।