କୁଆଡେ ଲମ୍ବିଛି ଭେଜାଲ ମେଡିସିନର ଚେର? ନକଲି ମେଡିସିନ ଖଳନାୟକକୁ ଖୋଜିପାଇବ ତ ପୋଲିସ୍ ?

165

କନକ ବ୍ୟୁରୋ: ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ, ଜବତ ହେଲା ୭୦ ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ୍ । କଟକର ନକଲି କାରବାରରେ ଏଥର ଯୋଡ଼ିହୋଇଛି ମେଡିସିନ୍ର ନାଁ । ପୂର୍ବରୁ ସିମେଣ୍ଟ, ଘିଅ, ପନିର, ତେଲ, ମସଲା ଆଦି ସବୁକିଛିର ଭେଜାଲ କାରଖାନା ଠାବ ହୋଇଥିବାବେଳେ ଏବେ ପେଟି ପେଟି ନକଲି ଔଷଧକୁ ଠାବ କରିଛି ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ । ଏହି ମେଡିସିନ୍ ମଧ୍ୟରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକୀୟ ଫାଭିଫିରାଭିରର ନକଲି ଟାବଲେଟ୍ ବିକ୍ରି ହେଉଥିଲା । ଯହାକୁ ନେଇ ଏବେ ଛାନବିଭିନ୍ କରାଯାଉଛି ।

ଦିନକ ପୂର୍ବରୁ କଟକ କନିକା ଛକ ନିକଟ ଏକ ଔଷଧ ଗୋଦାମ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରିଥିଲା । ଚଢ଼ାଉ ବେଳେ ଫାଭିଫିରାଭିର ବା ଫାବିମେକ୍ସ-୪୦୦ର ୧୭ଶହ ଷ୍ଟ୍ରିପ୍, ମେଡିଅକ୍ସି-୩୦୦ର ୨୩ଶହ ଷ୍ଟ୍ରିପ୍, କାଶ ପାଇଁ ମେଡ୍ ଟିବିଆର ୨୦୫୪ଟି ଷ୍ଟ୍ରିପ୍, ମେଡଗୋଜ୍-୨୦୦ର ୨୫ଶହ ଷ୍ଟ୍ରିପ୍, ସିନିଜ୍ର ୬ ହାଜର ଷ୍ଟ୍ରିପ୍, ଟିବିଆର-୯୬ର ୪୪ଶହ ଷ୍ଟ୍ରିପ୍, ଟ୍ରିଟ୍-୨୦୦ ଏସବିର ୩୩ଶହ ଷ୍ଟ୍ରିପ୍ ଭଳି ୭ ପ୍ରକାର ନକଲି ଔଷଧ ଜବତ କରାଯାଇଛି । ତେବେ ଏତେ ପରିମାଣର ନକଲି ମେଡିସିନ୍ ଭିତରୁ ନକଲି କରୋନା ମେଡିସିନ୍ ଫାବିଫିରାଭିର କେଉଁ କେଉଁ ଜିଲ୍ଲାକୁ ଯାଇଛି, କୋଉ ହସ୍ପିଟାଲ ନେଇଛି? କେଉଁ ଦୋକାନୀ ବା ରିଟେଲର ଏହାକୁ ନେଇଛନ୍ତି? ଏସବୁକୁ ଦିଗରେ ଛାନଭିନ୍ ଚଳାଇଛି ଡ୍ରଗ୍ସ କଂଟ୍ରୋଲର ଓ ପୋଲିସ ।

ହେଲେ ଏସବୁ ଭିତରେ ଏହି ନକଲି ଔଷଧ ଜବତ ଘଟଣାରେ ସମ୍ପୃକ୍ତ ମେଡିସିନ୍ ହୋଲସେଲର ଏହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ସବୁକିଛି ବିଲ୍ ମୋ ପାଖରେ ଅଛି, ମୁଁ କିଣିଥିବା ଫାବିଫିରାଭିର ଓଡ଼ିଶାର କୌଣସି ସ୍ଥାନରେ ସପ୍ଲାଇ କରାଯାଇ ନାହିଁ । କେବଳ ଗ୍ୱାଲିଅରକୁ ଯାଇଛି ଏବଂ ଅନ୍ୟାନ୍ୟ ୪ରୁ ୫ଟି ମେଡିସିନ୍ ରାଜ୍ୟର କିଛି ଜାଗାକୁ ଯାଇଛି ବୋଲି ସଫେଇ ରଖିଛନ୍ତି ହୋଲସେଲର ।

ସେପଟେ ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟବିଭାଗ । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେନେଇ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ମେଡିସିନରୁ ବଂଚିତ ହେଉନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି ।
ସବୁଠାରୁ ବଡ଼କଥା ହେଲା, କରୋନା କାଳରେ ପ୍ରଥମ କରି ଓଡ଼ିଶାରେ ଏହି ନକଲି ମେଡିସିନ୍ କାରବାର ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତର, କାରଣ ଯେଉଁ ମେଡିସିନ୍ କେବଳ ଅତି ଜରୁରୀ ସମୟରେ ବ୍ୟବହାର କରାଯାଏ ତାହାର ନକଲି କାରବାର ଜୀବନ ପ୍ରତି ବିପଦକର ହେବ ।

ତେବେ କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କ ଜୀବନ ସହ ଖେଳୁଥିବା ଏଭଳି ନକଲି ମେଡିସିନ୍ ର ନାୟକ ମାନଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ, ଏଭଳି ଭେଜାଲ ମେଡିସିନର ରାକେଟ୍ର ପର୍ଦ୍ଦାଫାସରେ ସଫଳ ହେବତ ପୋଲିସ? ତଦନ୍ତ କେତେବାଟ ଆଗେଇବ? ତାହା ଉପରେ ଏବେ ନଜର ।